କାବୁଲ୍‌ କେନାଲ୍‌ରେ ୩୦୦୦ ଲିଟର୍‌ ମଦ ଢାଳି ଦେଲା ତାଲିବାନ୍‌

କାବୁଲ୍‌: ନୂଆ ତାଲିବାନ୍‌ କର୍ତ୍ତୃପକ୍ଷମାନେ ମଦ ବିକ୍ରି ବିପକ୍ଷରେ କଠୋର ପଦକ୍ଷେପ ନେବାରୁ କାବୁଲ୍‌ର ଗୋଟାଏ କେନାଲ୍‌ରେ ଆଫଗାନ ଗୁଇନ୍ଦା ଏଜେଣ୍ଟ୍‌ମାନେ ୩୦୦୦ ଲିଟର୍‌ ମଦ ଢାଳି ଦେଇଥିବା କଥା ରବିବାର ଦିନ ଦେଶର ଗୁଇନ୍ଦା ଏଜେନ୍‌ସି କହିଛି।

‘ଦି ଜେନେରାଲ୍‌ ଡାଇରେକ୍ଟୋରେଟ୍‌ ଅଫ୍‌ ଇଣ୍ଟେଲିଜେନ୍‌ସ୍‌’ (ଜିଡିଆଇ) ରିଲିଜ୍‌ କରିଥିବା ‘ଭିଡିଓ ଫୁଟେଜ୍‌’ରେ ଦେଖାଯାଉଛି ତା’ର ଏଜେଣ୍ଟ୍‌ମାନେ ପିମ୍ପାରେ ଗଚ୍ଛିତ ଥିବା ମଦକୁ କେନାଲ୍‌‌ରେ ଢାଳି ଦେଉଛନ୍ତି। ରାଜଧାନୀ କାବୁଲ୍‌ରେ ଚଢ଼ାଉ ବେଳେ ଉକ୍ତ ମଦ ଜବତ ହୋଇଥିଲା।

ରବିବାର ଦିନ ଟୁଇଟର୍‌ରେ ଗୁଇନ୍ଦା ଏଜେନ୍‌ସି ପୋଷ୍ଟ୍‌ କରିଥିବା ‘ଫୁଟେଜ୍‌’ରେ ଜଣେ ଗୁଇନ୍ଦା ଅଧିକାରୀ କହିଛନ୍ତି, ମଦ ପ୍ରସ୍ତୁତି ଏବଂ ଯୋଗାଣରୁ ମୁସଲ୍‌ମାନ୍‌ମାନେ ନିଷ୍ଠାପର ଭାବେ ନିବୃତ ରହିବା ଉଚିତ।

Image Courtesy of The Arab News

କେବେ ଚଢ଼ାଉ ‌ହୋଇଥିଲା କିଂବା ଠିକ୍‌ କେତେବେଳେ ଜବତ ମଦକୁ ନଷ୍ଟ କରି ଦିଆଗଲା ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ, ଗୁଇନ୍ଦା ଏଜେନ୍‌ସି ଜାରି କରିଥିବା ବିବୃତି ଅନୁସାରେ, ଉକ୍ତ ଚଢ଼ାଉ ଅଭିଯାନରେ ୩ଜଣ ଡିଲର୍‌ଙ୍କୁ ଗିରଫ କରାଯାଇଛି।

ପାଶ୍ଚାତ୍ୟ ସମର୍ଥିତ ଆଫଗାନିସ୍ତାନର ପୂର୍ବ ଶାସନରେ ବି ମଦ ବିକ୍ରୟ ଏବଂ ପାନ ନିଷେଧ କରାଯାଇଥିଲା। କିନ୍ତୁ, ଇସ୍‌ଲାମ୍‌ ନିୟମ ପ୍ରତି ଅଧିକ ନିଷ୍ଠାପର ଥିବା ତାଲିବାନ୍‌ ମଦକୁ ଘୋର ବିରୋଧ କରେ। ତେଣୁ, ଅଗଷ୍ଟ ମାସରେ ତାଲିବାନ୍‌ କ୍ଷମତାକୁ ଆସିବା ପରେ ଆଫଗାନିସ୍ତାନରେ ସବୁବେଳ ଏଭଳି ଚଢ଼ାଉ ଜାରି ରହିଛି।

ସମ୍ବନ୍ଧିତ ଖବର