ନିଜର ପୁରୁଣା ରୂପ ଦେଖାଇଲା ତାଲିବାନ : ସର୍ବସାଧାରଣରେ ଦିଆଗଲା ମୃତ୍ୟୁଦଣ୍ଡ

୨୦୨୧ କ୍ଷମତା ଅଧିକାର ପରେ ପ୍ରଥମ ମୃତ୍ୟୁଦଣ୍ଡ

କାବୁଲ : ୨୦୨୧ରେ ଆଫଗାନିସ୍ତାନକୁ ଅଧିକାର କରିବା ପରେ ପ୍ରଥମ ଥର ପାଇଁ ତାଲିବାନ ନିଜର ପୁରୁଣା ରୂପ ଦେଖାଇଛି । ଜଣେ ବ୍ୟକ୍ତିକୁ ସର୍ବସାଧାରଣରେ ମୃତ୍ୟୁଦଣ୍ଡ ଦିଆଯାଇଛି । ଏ ସଂପର୍କରେ ତାଲିବାନର ମୁଖପାତ୍ର ଜବିହୁଲ୍ଲା ମୁଜାହିଦ ସୂଚନା ଦେଇଛନ୍ତି । ମୃତ୍ୟୁଦଣ୍ଡ ପାଇଥିବା ବ୍ୟକ୍ତିକୁ ହତ୍ୟା ଅପରାଧରେ ଗିରଫ କରାଯାଇଥିଲା ।

ମୁଜାହିଦ କହିଛନ୍ତି ଯେ ପଶ୍ଚିମ ଫରାହ ପ୍ରଦେଶରେ ଏହି ମୃତ୍ୟୁଦଣ୍ଡ ଦିଆଯାଇଥିଲା । ଏକ ସର୍ବସାଧାରଣ ସ୍ଥାନରେ ମୃତ୍ୟୁଦଣ୍ଡ ଦିଆଯାଇଥିଲା । ଏହି ବ୍ୟକ୍ତି ୨୦୧୭ ରେ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଛୁରୀ ଭୁସି ହତ୍ୟା କରିଥିଲା । ତାଲିବାନ ଅଦାଲତ ଏହି ବ୍ୟକ୍ତିଙ୍କ ଅପରାଧ ସଂପର୍କରେ ବିଚାର କରିବା ପରେ ତାକୁ ମୃତ୍ୟୁଦଣ୍ଡ ଦେଇଥିଲେ ।

ଏହି ମାମଲାର ତିନୋଟି ଅଦାଲତ ଅନୁସନ୍ଧାନ କରିଥିଲେ । ଏହି ଅଦାଲତଗୁଡ଼ିକ ଦକ୍ଷିଣ କାନ୍ଦାହାର ପ୍ରଦେଶରେ ଅବସ୍ଥାପିତ ଗୋଷ୍ଠୀର ସର୍ବୋଚ୍ଚ ଆଧ୍ୟାତ୍ମିକ ନେତାଙ୍କ ଦ୍ୱାରା କ୍ଷମତାପ୍ରାପ୍ତ ବୋଲି ବୋଲି ମୁଜାହିଦ କହିଛନ୍ତି। ତେବେ ଉକ୍ତ ବ୍ୟକ୍ତିକୁ କିପରି ମୃତ୍ୟୁଦଣ୍ଡ ଦିଆଗଲା ସେ କହିନାହାଁନ୍ତି । କିନ୍ତୁ ତାକୁ ଗୁଳିକରି ହତ୍ୟା କରାଯାଇଥିବା ସଂଦେହ କରାଯାଉଛି ।

ଉକ୍ତବ୍ୟକ୍ତିକୁ ମୃତ୍ୟୁଦଣ୍ଡ ଦିଆଯିବାବେଳେ ତାଲିବାନର କେତେକ ବରିଷ୍ଠ ନେତା ଓ କମାଣ୍ଡର ଉପସ୍ଥିତ ଥିଲେ । ସେମାନଙ୍କ ମଧ୍ୟରେ ଅଛନ୍ତି କାମଚଳା ଉପ-ପ୍ରଧାନମନ୍ତ୍ରୀ ଅବଦୁଲ ଗନି ବରାଦର, ଗୃହମନ୍ତ୍ରୀ ସିରାଜୁଦ୍ଦିନ ହକ୍କାନି ।

 

ସମ୍ବନ୍ଧିତ ଖବର