ଆଫଗାନିସ୍ତାନରେ ତାଲିବାନ ଶାସନ ବେଶି ଦିନ ଚାଲିବନି: ଅମରୁଲ୍ଲା ସାଲେହ

କାବୁଲ : ଆଫଗାନିସ୍ତାନର ପୂର୍ବତନ ଉପରାଷ୍ଟ୍ରପତି ତଥା ବର୍ତ୍ତମାନର ସ୍ବଘୋଷିତ ରାଷ୍ଟ୍ରପତି ଅମରୁଲ୍ଲା ସାଲେହ ଶନିବାର ଦାବି କରିଛନ୍ତି ଯେ ଆଫଗାନିସ୍ତାନରେ ତାଲିବାନ ଶାସନ ବେଶି ଦିନ ଚାଲିବନି। ପଞ୍ଜଶୀର ଉପତ୍ୟକାରୁ ୟୁରୋନ୍ୟୁଜ୍‌କୁ ଏକ ସାକ୍ଷାତ୍‌କାର ଦେଇ ସାଲେହ କହିଛନ୍ତି, ତାଲିବାନର ଆଇନ ହେଉଛି ଇସଲାମିକ୍ ଏମିରେଟ୍, ଯାହା ଆଫଗାନିସ୍ତାନବାସୀଙ୍କର ଗ୍ରହଣୀୟ ନୁହେଁ । ତେଣୁ ଆଫଗାନିସ୍ତାନରେ ତାଲିବାନୀ ଶାସନ ବେଶି ଦିନ ଚାଲିପାରିବ ନାହିଁ। ସାଲେହଙ୍କ ମତରେ ତାଲିବାନଙ୍କର ବୈଧତା ନାହିଁ। ଖୁବ୍‌ଶୀଘ୍ର ସେମାନେ ଏକ ସାମରିକ ସଂକଟର ମଧ୍ୟ ସମ୍ମୁଖୀନ ହେବେ। କାରଣ ପଞ୍ଜଶୀର ସମେତ ଅନ୍ୟ ଅଞ୍ଚଳରେ ବି ସେମାନଙ୍କ ବିରୋଧରେ ପ୍ରତିରୋଧ କ୍ରମଶଃ ଦୃଢ଼ ହେବାରେ ଲାଗିଛି। ସେ ପୁଣି କହିଲେ ଯେ, ୟୁରୋପୀୟ ସଂଘ ନିଜର ନୈତିକ ଦାୟିତ୍ବ ବହନ କରିବା ସହ ଆଫଗାନ ନ୍ୟାସନାଲ ରେଜିଷ୍ଟାନ୍ସକୁ ନୈତିକ ଓ ରାଜନୈତିକ ସମର୍ଥନ ଦେବା ଉଚିତ।

ସମ୍ବନ୍ଧିତ ଖବର