ଗୁରୁଦ୍ବାରରୁ ଶିଖ୍‌ ଧର୍ମ ପତାକା ହଟାଇଲା ତାଲିବାନ

ନୂଆଦିଲ୍ଲୀ : କଠୋରପନ୍ଥୀ ଇସ୍‌ଲାମୀ ସଂଗଠନ ତାଲିବାନ ପୁଣିଥରେ ଆଫଗାନିସ୍ତାନରେ ଶିଖ୍‌ ଧର୍ମକୁ ଅପମାନିତ କରିଛି। ପୂର୍ବ ଆଫଗାନିସ୍ତାନର ପକ୍‌ତିୟାରେ ଥିବା ଏକ ଗୁରୁଦ୍ବାରର ପବିତ୍ର ପତାକା ‘ନିଶାନ ସାହିବ’କୁ ତାଲିବାନୀ ଆତଙ୍କବାଦୀମାନେ ହଟାଇ ଦେଇଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଫଟୋରେ ଦୃଶ୍ୟମାନ ହେଉଛି, ପକ୍‌ତିୟାର ଚମକାନୀ ଅଞ୍ଚଳରେ ଥିବା ଗୁରୁଦ୍ବାରା ଥାଲା ସାହିବକୁ ଛାତରୁ ଖୋଲି ଦିଆଯାଇଛି। ଐତିହାସିକ ଗୁରୁଦ୍ବାରରୁ ନିଶାନ ସାହିବକୁ ହଟାଇ ଦିଆଯାଇଛି। ଶିଖ୍‌ ଧର୍ମର ସଂସ୍ଥାପକ ଗୁରୁ ନାନକ ଏହି ଗୁରୁଦ୍ବାରକୁ ଆସିଥିବା ଇତିହାସରୁ ଜଣାପଡ଼େ। ୨୦୨୦ ଜୁନ୍‌ ୨୨ରେ ଆଫଗାନିସ୍ତାନରେ ହିନ୍ଦୁ ଓ ଶିଖ୍‌ ସମ୍ପ୍ରଦାୟର ନେତା ନିଦାନ ସିଂହ ସଚଦେବାଙ୍କୁ ତାଲିବାନୀମାନେ ପକ୍‌ତିୟା ଗୁରୁଦ୍ବାରରୁ ଅପହରଣ କରି ନେଇଥିଲେ। ଆଫଗାନିସ୍ତାନ ସରକାର ଏବଂ ଶିଖ୍ ସମ୍ପ୍ରଦାୟର ପୁରୁଖା ନେତାମାନଙ୍କ ଉଦ୍ୟମ ପରେ ତାଙ୍କୁ ଛାଡ଼ି ଦିଆଯାଇଥିଲା।

ସମ୍ବନ୍ଧିତ ଖବର