ନୂଆଦିଲ୍ଲୀ : ତାଲିବାନ ଖୁବଶୀଘ୍ର ଆଫଗାନିସ୍ତାନରୁ କ୍ଷମତାଚ୍ୟୁତ ହେବାର ସମ୍ଭାବନା ରହିଛି ! ଏପରି ଭବିଷ୍ୟତବାଣୀ କରିଛନ୍ତି ଋଷିଆର ଜଣେ ବରିଷ୍ଠ କୂଟନୀତିଜ୍ଞ ।

Advertisment

ଆଫଗାନିସ୍ତାନରେ ଅବସ୍ଥାପିତ ଋଷୀୟ ରାଷ୍ଟ୍ରଦୂତ ଜାମିର କାବୁଲୋଭ କହିଛନ୍ତି ଯେ ତାଲିବାନକୁ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବାକୁ ପଡ଼ିବ । ତାଲିବାନକୁ ଏକ ସମାବେଶୀ ସରକାର, ଯେଉଁଥିରେ ସବୁ ପକ୍ଷଙ୍କ ପ୍ରତିନିଧିତ୍ବ ଥିବ, ଗଢିବାକୁ ପଡ଼ିବ । ଏପରି ନକଲେ ତାଲିବାନ ଖୁବଶୀଘ୍ର କ୍ଷମତା ହରାଇବ । କାରଣ ଏହା ଗୃହଯୁଦ୍ଧ ଆଡ଼଼କୁ ଟାଣିନେବ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ପାଶ୍ଚାତ୍ୟ ଦେଶରେ ଅଚଳ କରାଯାଇଥିବା ଆଫଗାନିସ୍ତାନର ପାଣ୍ଠିକୁ ସଚଳ କରାଯିବ ଯଦି ତାଲିବାନ ନିଜର ଆଚରଣରେ ସଂଶୋଧନ କରେ । ତାଲିବାନ ଜାଣିବା ଉଚିତ ଯେ ବିଭିନ୍ନ ବହୁରାଷ୍ଟ୍ରୀୟ ସଂସ୍ଥାରେ ଥିବା ଆଫଗାନିସ୍ତାନର ପାଣ୍ଠି ତାଲିବାନର ସମ୍ପତ୍ତି ନୁହେଁ, ଏହି ସମ୍ପତ୍ତି ଆଫଗାନିସ୍ତାନବାସୀଙ୍କର । ସେମାନଙ୍କ ସମସ୍ୟା ସମାଧାନରେ ତାହାର ଉପଯୋଗ ହେବା ଉଚିତ । ତେବେ ଆଫଗାନିସ୍ତାନରେ ଦେଖାଦେଇଥିବା ମାନବୀୟ ସଂକଟ ପାଇଁ ପାଶ୍ଚାତ୍ୟ ଦେଶ ବି ଦାୟୀ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଅନ୍ତର୍ଜାତୀୟ ସମୁଦାୟର ନିବେଦନ ସତ୍ତ୍ବେ ତାଲିବାନ ପକ୍ଷରୁ ଗତ ସେପ୍ଟେମ୍ବର ମାସରେ ଗଠିତ ଅନ୍ତରୀଣ ସରକାରରେ କେବଳ ତାଲିବାନ ଓ ହକ୍କାନି ନେଟଓ୍ବାର୍କର ଲୋକମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା । ସଂଖ୍ୟାଲଘୁ ଲୋକମାନଙ୍କୁ ଏଥିରେ ସ୍ଥାନ ଦିଆଯାଇନଥିଲା । ଏହା ପରେ ଅଧିକାଂଶ ଦେଶ ତାଲିବାନ ସରକାରକୁ ଏପର୍ଯ୍ୟନ୍ତ ସ୍ବୀକୃତି ଦେଇନାହାନ୍ତି ।