କାବୁଲ: ବଦଳିଛି ସରକାର, ବଦଳିଛି ଶାସନ | ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ଦୁଃଖ, ଦୁର୍ଦ୍ଦଶା ଓ ଅନ୍ୟାୟର ଗୋଟିଏ ପରେ ଗୋଟିଏ ଚିତ୍ର ସାମ୍ନାକୁ ଆସିଛି | ଆଜି ଆମେ ଆପଣଙ୍କୁ ଏମିତି ଏକ ଦୃଶ୍ୟ ବାବଦରେ କହିବୁ ଯାହାକୁ ଜାଣିବା ପରେ ଆପଣ ଭାବିବେ ଏମିତି ବି ଶାସନ ଚାଲେ | ଆଫଗାନିସ୍ତାନର କାବୁଲର ଏହି ଘଟଣାକୁ ବଖାଣିଛନ୍ତି ସାମାଜିକ କର୍ମୀ ନାତିକ ମାଲିକଯାଦ | ତାଙ୍କ ସୂଚନା ମୁତାବକ ଏହି ଦୁଇ ନାବାଳକଙ୍କୁ ତାଲିବାନ ଗିରଫ କରିଛି | ସେମାନଙ୍କୁ ଏକ ଦୋକାନରୁ ଚୋରି ଅଭିଯୋଗରେ ଗିରଫ କରାଯିବା ପରେ ସର୍ବସାଧାରଣ ସ୍ଥାନରେ ବନ୍ଧା ଯାଇଛି | ଦୁଇ ନାବାଳକଙ୍କ କହିବା କଥା ଯେ, 'ପରିବାରରେ ୫ ଜଣ ସଦସ୍ୟ ଅଛନ୍ତି | ଆଉ ଘରେ ଖାଇବା ପାଇଁ କିଛି ବି ନାହିଁ | ୩ ଦିନ ହେଲାଣି ସମସ୍ତେ ଭୋକିଲା ଅଛନ୍ତି | ପାଖରେ ଚାକିରି ନାହିଁ, ଏହା ସହ ଖାଇବା ପାଇଁ ଟଙ୍କା ବି ନାହିଁ | ତେଣୁ ବାଧ୍ୟ ହୋଇ ଚୋରି କରିବାକୁ ପଡୁଛି | ଦୁଇ ଖଣ୍ଡ ପାଉଁରୁଟି ଚୋରି କରିଛୁ, ଏହା ଛଡା ଆଉ କିଛି ବି ବାଟ ନାହିଁ | ପରିବାରରେ ସମସ୍ତେ ଭୋକରେ ଆଉଟୁପାଉଟୁ ହେଲେଣି, ତେଣୁ ରୁଟି ଚୋରି କରିବା ହିଁ ଶେଷ ବାଟ ଥିଲା' |
Bread thieves!
Taliban have arrested two teenage boy for stealing bread from a bakery.
One of them told a local journalist, "my family did not eat in past 3 days, i am sorry if i took that bread without permission, but i had to. There is no job & no food, what would i've done?" pic.twitter.com/s1VUlcVdyy— Natiq Malikzada (@natiqmalikzada) September 26, 2021
ତେବେ ପାଉଁରୁଟି ଚୋରି ପରେ ତାଲିବାନମାନେ ଏହି ଦୁଇ ନାବାଳକଙ୍କୁ ସର୍ବସାଧାରଣରେ ବାନ୍ଧି ଅକଥନୀୟ ଯନ୍ତ୍ରଣା ଦେଇଛନ୍ତି | କାରଣ ତାଲିବାନ ଶାସନ ଏଭଳି ଏକ ଆଇନକୁ ନେଇ ଚାଲେ ଯେଉଁଥିରେ ହାତ କାଟିଦେବା ସହ ସର୍ବସାଧାରଣରେ ହତ୍ୟା କରିବା ଭଳି ଦଣ୍ଡ ଦେବାର ବ୍ୟବସ୍ଥା ରହିଛି | ଆଉ ଖୁବ ଶୀଘ୍ର ଏହି ନୂଆ ଦଣ୍ଡ ଲାଗୁ ହେବ ବୋଲି ପୂର୍ବରୁ ତାଲିବାନ ପକ୍ଷରୁ ସଙ୍କେତ ଦିଆଯାଇଛି | ତାଲିବାନର ଅନ୍ୟତମ ପ୍ରତିଷ୍ଠାତା ମୁଲ୍ଲା ନୁରୁଦ୍ଦିନ ତୁରାବୀ କହିଥିଲେ ଯେ ଆଫଗାନିସ୍ତାନରେ ପୁଣି ଥରେ ଫାଶୀ ଦେବା ଏବଂ ହାତ କାଟିବାର ଦଣ୍ଡ ପୁନଃ ପ୍ରଚଳନ କରାଯିବ |
ପୂର୍ବରୁ ସର୍ବସାଧାରଣ ସ୍ଥାନରେ ଏପରି ଦଣ୍ଡ ଦିଆଯାଉଥିବାବେଳେ ଏଥର କିନ୍ତୁ ଏକାନ୍ତ ସ୍ଥାନରେ ଦଣ୍ଡ ଦିଆଯିବ ବୋଲି ସେ ପରୋକ୍ଷରେ କହିଥିଲେ | ତୁରାବୀ କହିଥିଲେ ଯେ ଆମେ ଇସଲାମକୁ ଅନୁସରଣ କରିବୁ ଏବଂ କୁରାନ ଉପରେ ଆମର ନିୟମ କରିବୁ। ଅଗଷ୍ଟ ୧୫ ରେ ତାଲିବାନ କାବୁଲକୁ କବଜା କରିବା ପରଠାରୁ ଆଫଗାନିସ୍ତାନ ଉପରେ ୧୯୯୦ ଦଶକର ନିୟମ ପୁଣି ଲାଗୁ ହେବ କି ନାହିଁ ତାହା ଉପରେ ସମଗ୍ର ବିଶ୍ୱ ଦୃଷ୍ଟି ରଖିଛି। କିନ୍ତୁ ତୁରାବୀଙ୍କ ବିବୃତ୍ତିରୁ ଏହା ସ୍ପଷ୍ଟ ହୋଇଛି ଯେ ତାଲିବାନର ଆଦର୍ଶ ସମାନ ରହିଛି। ପୂର୍ବ ତାଲିବାନ ଶାସନ କାଳରେ କୌଣସି ହତ୍ୟାକାରୀଙ୍କୁ ସର୍ବସାଧାରଣରେ ଗୁଳି ଚଳାଇବାର ନିୟମ ଥିଲା । ସେହିପରି ଡକାୟତମାନଙ୍କ ହାତ ଏବଂ ଗୋଡ କାଟିଦିଆଯାଉଥିଲା |