ପଞ୍ଜଶୀର ଦଖଲ ପାଇଁ ଅଧିକ ଯୋଦ୍ଧା ପଠାଇଲା ତାଲିବାନ

କାବୁଲ : ଆଫଗାନିସ୍ତାନର ଏକମାତ୍ର ପ୍ରଦେଶ ପଂଜଶୀର ଏବେ ତାଲିବାନ ଦଖଲରେ ନାହିଁ। ଗତ କିଛି ଦିନ ଧରି ତାଲିବାନ ବାହିନୀ ପଂଜଶୀର ଅକ୍ତିଆର କରିବାପାଇଁ ଉଦ୍ୟମ ଜାରି ରଖିଛନ୍ତି। ପଂଜଶୀରରେ ବିଦ୍ରୋହୀ ଗୋଷ୍ଠୀଙ୍କ ସହ ବିଦ୍ରୋହ ଜାରି ରହିଥିଲେ ବି କିଛି ସମାଧାନ ବାହାରିପାରିନି। ଉଭୟ ତାଲିବାନ ଏବଂ ପଂଜଶୀର ବିଦ୍ରୋହୀ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଲାଗି ରହିଛି। ଆଫଗାନିସ୍ତାନରେ ତାଲିବାନ ଶାସନକୁ ବିରୋଧ କରି ଏକ ଯୁଗ୍ମ ସାମରିକ ବାହିନୀ ପଂଜଶୀରରେ ତାଲିବାନ ବିରୋଧରେ ସଂଘର୍ଷ କରୁଛନ୍ତି। ଅହମଦ ମସୋଦ ଏବଂ ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସଲେହଙ୍କ ନେତୃତ୍ବରେ ଉକ୍ତ ଅଞ୍ଚଳରେ ବିଦ୍ରୋହ ଜାରି ରହିଛି। ପଂଜଶୀରରେ ତାଲିବାନ ବିରୋଧରେ ଲଢ଼ୁଥିବା ଏହି ବିଦ୍ରୋହୀ ଗୋଷ୍ଠୀର ନାମ ଏନ୍‌ଆରଏଫ୍‌ (ଜାତୀୟ ବିଦ୍ରୋହୀ ବାହିନୀ)। ତାଲିବାନ ଦାବି କରୁଛି ଯେ, ଏହା ଏନ୍‌ଆରଏଫ୍‌ର ପ୍ରମୁଖ ଅଂଚଳ ଅକ୍ତିଆର କରିଛି ଏବଂ ଏଆରଏଫ୍‌ ଗୋଷ୍ଠୀର ପ୍ରବଳ କ୍ଷତି କରିଛି। ଅନ୍ୟପକ୍ଷେ ଏନଆରଏଫ୍‌ ଦାବି କରିଛି ଯେ, ଏହା ପଂଜଶୀର ଉପତ୍ୟକାର ସମସ୍ତ ପ୍ରବେଶପଥକୁ ନିୟନ୍ତ୍ରଣ କରୁଛି। ସଂଘର୍ଷରେ ତାଲିବାନ ଏହାର ଶତାଧିକ ସଦସ୍ୟଙ୍କୁ ହରାଇଛି ଏବଂ ଶବ ଉଠାଇବାକୁ ମଧ୍ୟ ଏହାର ସାମର୍ଥ୍ୟ ନାହିଁ ବୋଲି ବିଦ୍ରୋହୀ ଗୋଷ୍ଠୀ ପକ୍ଷରୁ କୁହାଯାଇଛି। ଆଜି ତାଲିବାନ ପଂଜଶୀରକୁ ଅଧିକ ୧ ହଜାର ଯୋଦ୍ଧାଙ୍କୁ ପଠାଇଛି।

ଏନଆରଏଫ୍‌ରେ ପ୍ରାୟ ୧୦,୦୦୦-୧୫,୦୦୦ ସୈନିକ ଅଛନ୍ତି। ଏହି ସୈନିକମାନଙ୍କୁ ଅହମଦ ମସୋଦଙ୍କ ନିଜସ୍ବ ଆଦିବାସୀ ବାହିନୀରୁ ଅଣାଯାଇଛି। ଅମରୁଲ୍ଲା ସଲେହଙ୍କ ନେତୃତ୍ବରେ କିଛି ଆଦିବାସୀ ନେତା ମଧ୍ୟ ଏଥିରେ ଅଛନ୍ତି। ୩୨ ବର୍ଷୀୟ ଅହମଦ ମସୋଦ ଜଣେ ପ୍ରମୁଖ ବ୍ୟକ୍ତିତ୍ବ। ତାଙ୍କ ବାପା ଅହମଦ ଶାହ ମସୋଦ ସୋଭିଏତ ସେନା ବିରୋଧରେ ହୋଇଥିବା ଯୁଦ୍ଧରେ ଆଫଗାନିସ୍ତାନ ପାଇଁ ଜଣେ ଜାତୀୟ ହିରୋ ଥିଲେ। ୧୯୯୦ ଦଶକରେ ସେ ତାଲିବାନ ବିରୋଧରେ ଲଢ଼ିଥିଲେ। ତେବେ ୯/୧୧ ଆକ୍ରମଣର ମାତ୍ର ୨ ଦିନ ପୂର୍ବରୁ ତାଙ୍କୁ ହତ୍ୟା କରାଯାଇଥିଲା। ଏନ୍ଆରଏଫ୍‌ ଆଫଗାନିସ୍ତାନରେ ଏକ ଗଣତାନ୍ତ୍ରିକ ଶାସନ ଚାହୁଛି।

ସମ୍ବନ୍ଧିତ ଖବର