ନିଜ ସମସ୍ୟା ନିଜେ ସମ୍ଭାଳ.. ଆମକୁ ଦାୟୀ କରନି : ପାକିସ୍ତାନକୁ କହିଲା ତାଲିବାନ

କାବୁଲ : ପାକିସ୍ତାନର ପେଶାଓ୍ବରରେ ହୋଇଥିବା ଭୟଙ୍କର ଆତ୍ମଘାତୀ ବୋମା ବିସ୍ଫୋରଣରେ ୧୦୦ରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି । ଏହି ଆକ୍ରମଣ ପାଇଁ ପାକିସ୍ତାନ ପକ୍ଷରୁ ତେହରିକ-ଏ-ତାଲିବାନ-ପାକିସ୍ତାନକୁ ଦାୟୀ କରାଯାଉଛି । ଆଫଗାନିସ୍ତାନର ତାଲିବାନ ଶାସକ ମଧ୍ୟ ଆଫଗାନିସ୍ତାନ ମାଟିକୁ ପାକିସ୍ତାନ ବିରୋଧୀ କାମରେ ଲଗାଉଛନ୍ତି ବୋଲି ପୂର୍ବରୁ ଇସ୍ଲାମାବାଦ ଅଭିଯୋଗ କରିଥିଲା । ଏବେ ତାଲିବାନ ତାହାର ଜବାବ ଦେଇଛି । ତାଲିବାନ ପକ୍ଷରୁ କୁହାଯାଇଛି ଯେ ପାକିସ୍ତାନ ଅନ୍ୟକୁ ଦାୟୀ କରିବା ଅପେକ୍ଷା ନିଜେ ନିଜ ସମସ୍ୟାର ସମାଧାନ କରୁ ।

ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରୀ ଅମୀର ଖାନ ମୁତାକି ଗୁରୁବାରଦିନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ପାକିସ୍ତାନ ନିଜ ସମସ୍ୟାର ଯତ୍ନ ନେବା ଉଚିତ୍। ପେଶାୱାର ମସଜିଦ ଆକ୍ରମଣ ପାଇଁ ଆଫଗାନିସ୍ତାନକୁ ଦାୟୀ କରିବା ବନ୍ଦ କର । “୨୦ ବର୍ଷ ମଧ୍ୟରେ, ଆମେ କେବେ ବି ଏକ ମସଜିଦର ଛାତ ଉପରକୁ ବୋମା କିମ୍ବା ଆତ୍ମଘାତୀ ଆକ୍ରମଣ  ଏବଂ ଶହ ଶହ ଜୀବନ ଯାଉଥିବା ଦେଖିନାହୁଁ । ତେଣୁ, ଏହି ଘଟଣାର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରାଯିବା ଉଚିତ୍ । ପାକିସ୍ତାନର ଆଭ୍ୟନ୍ତରୀଣ ସମସ୍ୟା ପାଇଁ ଆଫଗାନିସ୍ତାନକୁ ଦାୟୀ କରାଯିବା ଉଚିତ ନୁହେଁ ବୋଲି ମୁଟାକି କହିଛନ୍ତି ।

ଆଫଗାନିସ୍ତାନ ଆତଙ୍କବାଦର କେନ୍ଦ୍ର ବୋଲି ପାକିସ୍ତାନ କରୁଥିବା ଦାବିକୁ ବି ସେ ଅସ୍ବୀକାର କରିଛନ୍ତି । ସେ କହିଛନ୍ତି ଯେ ଯଦି ଆଫଗାନିସ୍ତାନ ଆତଙ୍କବାଦର କେନ୍ଦ୍ର ଥାନ୍ତା ତେବେ ଆତଙ୍କବାଦ ତାଜିକିସ୍ତାନ, ଉଜବେକିସ୍ତାନ, ତୁର୍କମେନିସ୍ତାନ ଏବଂ ଇରାନରେ ମଧ୍ୟ ପହଞ୍ଚିଥାନ୍ତା । କିନ୍ତୁ ସେପରି କିଛି ହେଉନାହିଁ । “ଆଫଗାନିସ୍ତାନ ଆଜି ଅନ୍ୟ ପଡ଼ୋଶୀ ଦେଶମାନଙ୍କ ସହିତ ଶାନ୍ତିରେ ଅଛି । ଏହା ପ୍ରମାଣ କରୁଛି ଯେ ଆଫଗାନିସ୍ତାନ ଆତଙ୍କବାଦର କେନ୍ଦ୍ରସ୍ଥଳ ନୁହେଁ ।

ସମ୍ବନ୍ଧିତ ଖବର