କାବୁଲ: ଆଫଗାନିସ୍ତାନରେ ଶାସନ କରୁଥିବା ତାଲିବାନ ପକ୍ଷରୁ ଭାରତ ସହଯୋଗ ଲୋଡ଼ାଯାଇଛି।   ଭାରତ ଏବଂ  ତାଲିବାନ ମଧ୍ୟରେ ବନ୍ଧୁତା ନୂଆ ସ୍ତରରେ ପହଞ୍ଚିବାକୁ ଯାଉଛି।  ଭାରତ ଏବଂ ତାଲିବାନ ସରକାରଙ୍କ ମଧ୍ୟରେ ରଣନୈତିକ ସହଯୋଗ ମଧ୍ୟ ବୃଦ୍ଧି ପାଇଛି ଯାହା ପୂର୍ବରୁ ସମ୍ଭବ ହେଉ ନ ଥିଲା।

Advertisment

ଉଭୟଙ୍କ ମଧ୍ୟରେ ବନ୍ଧୁତା ମଧ୍ୟରେ  ଆଫଗାନିସ୍ତାନର ତାଲିବାନ ଶାସକ ନୂଆଦିଲ୍ଲୀରେ ନିଜର ରାଷ୍ଟ୍ରଦୂତ ଅବସ୍ଥାପିତ  କରିବା ପାଇଁ ଅନେକ ନାମର ପରାମର୍ଶ ଦେଇଛନ୍ତି। ଆଫଗାନିସ୍ତାନ ଗଣମାଧ୍ୟମ ଅନୁଯାୟୀ, ଏଥିରେ ମହମ୍ମଦ ସୁହେଲ ଶାହିନଙ୍କ ପୁଅ ନଜୀବ ଶାହିନ ମଧ୍ୟ ଅଛନ୍ତି। ସୁହେଲ ଶାହିନ୍  କତାରରେ ତାଲିବାନର ରାଜନୈତିକ କାର୍ଯ୍ୟାଳୟର ମୁଖପାତ୍ର ଅଟନ୍ତି। ଦୋହାରେ ଥିବା ତାଲିବାନ କାର୍ଯ୍ୟାଳୟ ଆମେରିକା ସହିତ ଚୁକ୍ତି କରିଥିଲା।

ଦି ସଣ୍ଡେ ଗାର୍ଡିୟନ ରିପୋର୍ଟ ଅନୁଯାୟୀ, ଆଫଗାନିସ୍ତାନ ସରକାର ଭାରତକୁ  ଗୁରୁତ୍ୱ ପ୍ରଦାନ କରିବା ଆରମ୍ଭ କରିଛନ୍ତି। ତେଣୁ ନାଜିବଙ୍କ ନାମ ରାଷ୍ଟ୍ରଦୂତ ତାଲିକାରେ ରଖାଯାଇଛି। ବର୍ତ୍ତମାନ ତାଲିବାନ ସରକାର ଚାହୁଁଛନ୍ତି ଯେ ଭାରତ ସରକାର ଆଫଗାନିସ୍ତାନ ସହ କୂଟନୈତିକ ସମ୍ପର୍କକୁ ଶୀଘ୍ର  ବୃଦ୍ଧି କରନ୍ତୁ। ତାଲିବାନର ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ ଏଭଳି ସମ୍ପର୍କ ଗଢ଼ିବା ପାଇଁ ଏହା ହେଉଛି ସର୍ବୋତ୍ତମ ସମୟ କାରଣ ଆଫଗାନିସ୍ତାନ ସହ ଭଲ ସମ୍ପର୍କ ରହିଲେ ଭାରତ ଏଠାରେ ଭିତ୍ତିଭୂମି ବିକାଶ କରିବାରେ ସକ୍ଷମ ହେବ। ଏଥିସହ ଅନ୍ତର୍ଜାତୀୟ ରାଜନୀତିରେ ଭାରତ ଆଫଗାନିସ୍ତାନର ସମର୍ଥନ ପାଇବାର ଆଶା ରହିଛି।

ଅଧିକ ପଢ଼ନ୍ତୁ: ରାଜନୈତିକ ସଂକଟ ଭିତରେ ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ଏକନାଥ ସିନ୍ଦେ

ଆଫଗାନିସ୍ତାନ ଅଧିକାରୀ କହିଛନ୍ତି ଯେ, ଏହି ରଣନୀତି ଭାରତ ପାଇଁ ପ୍ରଭାବଶାଳୀ ହେବ, କାରଣ ଏହା ଦ୍ବାରା ଆଫଗାନିସ୍ତାନରେ ପାକିସ୍ତାନର ଭୂମିକାକୁ ହଟାଯାଇ ପାରିବ। ଭାରତ ଆଫଗାନିସ୍ତାନକୁ ବାଣିଜ୍ୟ ଏବଂ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ପାଇଁ ପାକିସ୍ତାନ ଉପରେ ନିର୍ଭରଶୀଳତା ହ୍ରାସ କରିବାରେ ସାହାଯ୍ୟ କରିବା ଉଚିତ୍  ବୋଲି ବିଶେଷଜ୍ଞ ମତପୋଷଣ କରିଛନ୍ତି।  ପାକିସ୍ତାନ ଦୀର୍ଘ ଦିନ ଧରି ଆଫଗାନିସ୍ତାନକୁ ଏହାର ଫାଇଦା ପାଇଁ ବ୍ୟବହାର କରିଆସୁଛି। ଏଥିସହ ପାକିସ୍ତାନ ଆଫଗାନିସ୍ତାନର କୂଟନୈତିକ ସମ୍ପର୍କକୁ ସେନା ଏବଂ ଏଜେଣ୍ଟମାନଙ୍କ ମାଧ୍ୟମରେ ଜାରି ରଖିବାକୁ ଗୁରୁତ୍ବାରୋପ କରୁଛି।  ସମ୍ପ୍ରତି ତାଲିବାନ ଏବଂ ପାକିସ୍ତାନ ମଧ୍ୟରେ ତିକ୍ତତା ଚରମ ସୀମାରେ ରହିଛି। ଉଭୟଙ୍କ ସୈନ୍ୟବାହିନୀ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିବାରେ ଲାଗିଛି।  

ଆଫଗାନିସ୍ତାନ ଅଧିକାରୀ ଆଶା ପ୍ରକଟ କରିଛନ୍ତି ଯେ, ଆଫଗାନିସ୍ତାନରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଭାରତ ଯେପରି କାର୍ଯ୍ୟ କରୁଛି, ଯାହାଦ୍ବାରା ଆଫଗାନିସ୍ତାନର ଅନ୍ୟ ପଡ଼ୋଶୀ ଦେଶ ଉପରେ ନିର୍ଭରଶୀଳତାକୁ ହ୍ରାସ କରାଯାଇ ପାରିବ। ଆଫଗାନିସ୍ତାନର ଲୋକ ଏବଂ ଅଧିକାରୀଙ୍କ ମଧ୍ୟରେ  ଏଭଳି ପଦକ୍ଷେପ  ଭାରତ ପ୍ରତି ଶୁଭେଚ୍ଛା ବୃଦ୍ଧି କରିବ ବୋଲି ଆଫଗାନିସ୍ତାନ ଅଧିକାରୀ କହିଛନ୍ତି।  

ଆଫଗାନିସ୍ତାନରେ ୧୦୦୦ ଲୋକଙ୍କ ପାଇଁ କେବଳ  ୦.୩୩ ଜଣ ଡାକ୍ତର ଅଛନ୍ତି, ଯାହା ଅତି କମରେ ୨.୫ ଜଣ  ଡାକ୍ତର ହେବା ଉଚିତ୍।  ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମାନଦଣ୍ଡଠାରୁ ଏହା ବହୁତ କମ୍  ରହିଛି।  ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ଆଫଗାନିସ୍ତାନରେ କେବଳ ୧୩୪  ଡାକ୍ତରଖାନା ଅଛି।  ଆଫଗାନିସ୍ତାନ ଅଧିକାରୀ କହିଛନ୍ତି, ଯେତେବେଳେ ଆମେରିକୀୟ ସେନା ଫେରି ଯାଇଥିଲେ ସେତେବେଳେ କୁହାଯାଉଥିଲା ଯେ ଆଫଗାନିସ୍ତାନ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲଶ୍କରର ଏକ ଗଡ଼ରେ ପରିଣତ ହେବ କିନ୍ତୁ ଏହା ହୋଇ ନ ଥିଲା।

ଅଧିକ ପଢ଼ନ୍ତୁ: ମିଳୁନାହାନ୍ତି ଓକିଲ; ଆର ମାସକୁ ଘୁଞ୍ଚିଲା ଚିନ୍ମୟ ଦାସଙ୍କ ଜାମିନ ଆବେଦନ ଶୁଣାଣି