ସର୍ବସାଧାରଣରେ ଦେଖାଦେଲା ତାଲିବାନର ସର୍ବୋଚ୍ଚ ନେତା ଅଖୁନଜାଦା

କାବୁଲ : ପବିତ୍ର ଇଦ-ଉଲ୍-ଫିତର ଉପଲକ୍ଷେ ତାଲିବାନର ସର୍ବୋଚ୍ଚ ନେତା ହୈବାତୁଲ୍ଲା ଅଖୁନଜାଦା ସର୍ବସାଧାରଣରେ ଦେଖାଦେଇଛି । ସେ ଦେଖାଦେବା ଏକ ବିରଳ ଘଟଣା କୁହାଯାଉଛି । କାରଣ ଗତ ବର୍ଷ ତାଲିବାନ ଦ୍ବାରା ଆଫଗାନିସ୍ତାନ ଦଖଲ ପରେ ୨ୟ ଥର ପାଇଁ ସେ ଦେଖାଦେଇଛି । ନିଜ ଅଭିଭାଷଣରେ ସେ ଲୋକମାନଙ୍କୁ ଇଦ ପାଇଁ ଅଭିନନ୍ଦନନ ଜଣାଇବା ସହ ତାଲିବାନ ଆଫଗାନିସ୍ତାନରେ ସ୍ବାଧୀନତା ଓ ସୁରକ୍ଷା ଆଣିଛି ବୋଲି କହିଛି ।

ଶନିବାର କାନ୍ଦାହାରର ଇଦଗା ମସଜିଦଠାରେ ସେ ଏକ ଭାଷଣ ଦେଇ ସେ କହିଥିଲା ବିଜୟ, ସ୍ବାଧୀନତା ଓ ସଫଳତା ପାଇଁ ଅଭିନନ୍ଦନ । ସୁରକ୍ଷା ଓ ଇସଲାମୀୟ ବ୍ୟବସ୍ଥା ପାଇଁ ଅଭିନନ୍ଦନ ।

ଜଣେ ଇସ୍ଲାମୀୟ ବିଦ୍ବାନ ଭାବେ ପରିଚିତ ୬୦ ବର୍ଷୀୟ ଅଖୁନଜାଦା ଜଣେ କଠୋରପନ୍ଥୀ ମୌଳବାଦୀ ଭାବେ ମଧ୍ୟ ପରିଚିତ । ଆଫଗାନିସ୍ତାନକୁ ଏକ ଇସ୍ଲାମୀୟ ଦେଶରେ ପରିଣତ କରିବା ତାହାର ଲକ୍ଷ୍ୟ । ଅଖୁନଜାଦା ଗତ ୨୦୧୬ରେ ତାଲିବାନର ନେତୃତ୍ବ ସମ୍ଭାଳିଥିଲା । ସେହି ବର୍ଷ ତାଲିବାନର ନେତା ଅଖତର ମନସୁର ଆମେରିକୀୟ ଡ୍ରୋନ ଆକ୍ରମଣରେ ନିହତ ହେବା ପରେ ସେ ନେତୃତ୍ବ ସମ୍ଭାଳିଥିଲା । ୨୦୧୬ରେ ଆତ୍ମଗୋପନ କରିବା ପୂର୍ବରୁ ପ୍ରାୟ ୧୫ ବର୍ଷ ଧରି ଦକ୍ଷିଣ-ପଶ୍ଚିମ ପାକିସ୍ତାନର ଏକ ସହର କୁଚଲକର ଏକ ମସଜିଦରେ ସେ ପାଠ ପଢାଉଥିଲା ।

ସମ୍ବନ୍ଧିତ ଖବର