ବୁଦ୍ଧଙ୍କ ଶାନ୍ତି ଆଗରେ ତାଲିବାନୀ ହିଂସା ହାରିଲା

ମିଙ୍ଗେରା: ତାଲିବାନର ବର୍ବରତା ବୁଦ୍ଧଙ୍କ ଶାନ୍ତି ଆଗରେ ହାର୍‌ ମାନିଛି। ଏକ ବିରଳ ଓ ଅତୁଳନୀୟ ବୁଦ୍ଧ ମୂର୍ତ୍ତିକୁ ତାଲିବାନ ଆତଙ୍କବାଦୀମାନେ ପାକିସ୍ତାନର ସ୍ୱାତ ଜିଲ୍ଲାରେ ଡିନାମାଇଟ୍‌ ବିସ୍ଫୋରଣ କରି କ୍ଷତି ପହଞ୍ଚାଇଥିଲେ। ସପ୍ତମ ଶତାବ୍ଦୀରୁ ଏକ ପାହାଡ଼ ଦେହରେ ଖୋଦେଇ ହୋଇଥିବା ବୁଦ୍ଧଙ୍କ ବିଶାଳ ପ୍ରତିମାର ମୁଣ୍ଡକୁ ୨୦୦୭ରେ ଉଡ଼ାଇ ଦେବାପାଇଁ ପ୍ରୟାସ ହୋଇଥିଲା। ଏବେ ଏହାର ପୁନରୁଦ୍ଧାର କରାଯାଇଛି। ଶାନ୍ତି ଓ ଅହିଂସାର ଏହି ଶକ୍ତିଶାଳୀ ପ୍ରତୀକକୁ ପୁଣି ଥରେ ଯଥାରୀତି ସ୍ଥାପିତ କରାଯାଇଛି। ସ୍ୱାତ ଘାଟିରେ ଏବେ ଏହି ପ୍ରତିମା ସହିଷ୍ଣୁତାର ସବୁଠାରୁ ବଡ଼ ବାର୍ତ୍ତା ନେଇ ଆସିଛି। ୨୦୦୧ରେ ସ୍ୱାତ ଘାଟିରେ ଧାର୍ମିକ ଓ ସାଂସ୍କୃତିକ ପ୍ରତିଷ୍ଠାନ ଏବଂ କଳାକୃତିଗୁଡ଼ିକ ଉପରେ ପ୍ରଚଣ୍ଡ ଆକ୍ରମଣ ଆରମ୍ଭ କରିଥିଲେ ଇସ୍‌୍‌ଲାମିକ ଆତଙ୍କବାଦୀ ଏବଂ ଏହି ପ୍ରକ୍ରିୟାରେ ସେମାନେ ୨୦୦୭ରେ ବୁଦ୍ଧ ପ୍ରତିମାକୁ ଡିନାମାଇଟ ଲଗାଇ ନଷ୍ଟ କରିଦେବାକୁ ପ୍ରୟାସ କରିଥିଲେ। ପ୍ରତିମାର ମୁଣ୍ଡରେ ବିସ୍ଫୋରଣ କରାଯାଇଥିବାରୁ ଏହାର କେତେକ ଅଂଶ କ୍ଷତିଗ୍ରସ୍ତ ହୋଇଥିଲା। ସେତେବେଳେ ଏହି ବର୍ବରତାପୂର୍ଣ୍ଣ କାର୍ଯ୍ୟ ବିଶ୍ୱବ୍ୟାପୀ ଶାନ୍ତିକାମୀ ମଣିଷଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା।

ସ୍ୱାତରେ ବୌଦ୍ଧଧର୍ମ ଉପରେ ଗବେଷଣା କରୁଥିବା ୭୯ ବର୍ଷୀୟ ପରବେସ୍‌ ସାହିଦ କହିଛନ୍ତି, ଏହି ବୁଦ୍ଧ ମୂର୍ତ୍ତି ଉପରେ ଆକ୍ରମଣ ହେବା ପରେ ମତେ ଲାଗିଲା ଯେଭଳି ମୋ ପିତାଙ୍କୁ କେହି ହତ୍ୟା କରିଦେଇଛି। ସେମାନେ ମୋର ସଂସ୍କୃତି ଏବଂ ଇତିହାସ ଉପରେ ଆକ୍ରମଣ କରିଥିଲେ। ଏବେ ଏହି ଅଂଚଳରେ ଐତିହାସିକ ପୁରାତନ କୀର୍ତ୍ତିରାଜିର ସୁରକ୍ଷା ପାଇଁ ଅନେକ ଦେଶ ଆଗଭର ହୋଇଛନ୍ତି ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ଏହି ବୁଦ୍ଧ ମୂର୍ତ୍ତି ପୁଣି ପୂର୍ବଭଳି ସ୍ଥାପିତ ହୋଇପାରିଛି। ଅସହିଷ୍ଣୁତା ଓ ବର୍ବରତା ବିରୋଧରେ ଏହା ଏକ ବଡ଼ ବିଜୟ ବୋଲି ସେ କହିଛନ୍ତି। ଏହି ୨୦ ଫୁଟ ଉଚ୍ଚ ବୁଦ୍ଧ ମୂର୍ତ୍ତିକୁ ସଂପୂର୍ଣ୍ଣ ଧୂଳିସାତ କରିବା ପାଇଁ ତାଲିବାନ ଆତଙ୍କବାଦୀ ଯୋଜନା କରିଥିଲେ ମଧ୍ୟ ଏଥିରେ ସକ୍ଷମ ହୋଇନଥିଲେ। ଡିନାମାଇଟ୍‌ ବିସ୍ଫୋରଣରେ ମୂର୍ତ୍ତି କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ଏହାର ଢାଞ୍ଚା ଯଥାରୀତି କାଏମ ରହିଥିବାରୁ ପୁନରୁଦ୍ଧାର ସମ୍ଭବ ହୋଇପାରିଲା ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର