କାବୁଲକୁ  ଘେରି ରହିଛି ତାଲିବାନ, ପଦ ଛାଡ଼ି ପାରନ୍ତି ରାଷ୍ଟ୍ରପତି ଘନି

କାବୁଲ : ତାଲିବାନର ଯୋଦ୍ଧାମାନେ ଆଫଗାନିସ୍ତାନ ରାଜଧାନୀ କାବୁଲକୁ ଚାରିପଟୁ ଘେରି ରଖିଛନ୍ତି । କିଛି ଯୋଦ୍ଧା ସହରରେ ପ୍ରବେଶ କରିଥିଲେ ବି ସେମାନଙ୍କ ଆଚରଣ ଶାନ୍ତିପୂର୍ଣ୍ଣ ରହିଛି । ଏବେ କ୍ଷମତା ହସ୍ତାନ୍ତର ପାଇଁ ତାଲିବାନ ଓ ଆଫଗାନ ସରକାରଙ୍କ ମଧ୍ୟରେ ଆଲୋଚନା ଜାରି ରହିଥିବାରୁ ହିଂସା ନ କରିବାକୁ ତାଲିବାନର ନେତୃତ୍ବ ନିଜ ଯୋଦ୍ଧାମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଏକ ଶାନ୍ତିପୂର୍ଣ୍ଣ ଉପାୟରେ କ୍ଷମତା ହସ୍ତାନ୍ତର ପାଇଁ ତାଲିବାନ ଓ ଆଫଗାନ ସରକାରଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି । ରାଷ୍ଟ୍ରପତି ଅସରଫ ଘନି ନିଜ ପଦରୁ ଇସ୍ତଫା ଦେବାର ସମ୍ଭାବନା ରହିଛି । ତେବେ ସେ ଏବେ ବି କାବୁଲରେ ଥିବା  ଜଣାପଡ଼ିଛି । ଆଜି ସକାଳେ ସେ ରାଷ୍ଟ୍ରପତି ଭବନର ଉଦ୍ୟାନରେ ବୁଲାବୁଲି କରିଥିଲେ  । ଅନ୍ୟପକ୍ଷରେ ଅଲ୍ଲି ଅହମ୍ମଦ ଜଲାଲି ମଧ୍ୟବର୍ତ୍ତିକାଳୀନ ସରକାରର ମୁଖ୍ୟ ହେବା ସମ୍ଭାବନା ରହିଛି ।

ତାଲିବାନର ମୁଖପାତ୍ର ସୁହେଲ ସାହିନ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ତାଲିବାନ ଯୋଦ୍ଧାମାନେ ସହରର ବାହାରେ ଥିଲେ ମଧ୍ୟ ଭିତରକୁ ପ୍ରବେଶ କରିନାହାନ୍ତି । ଶାନ୍ତିପୂର୍ଣ୍ଣ ଉପାୟରେ କ୍ଷମତା ହସ୍ତାନ୍ତରଣ ଉପରେ ତାଲିବାନ ଗୁରୁତ୍ବ ଦେଉଛି । କାବୁଲକୁ ବଳପୂର୍ବକ ଦଖଲ କରିବାକୁ ତାଲିବାନ ଚାହେଁନାହିଁ । ସେହିପରି ଯେଉଁମାନେ କାବୁଲ ଛାଡ଼ି ଯିବାକୁ ଚାହୁଁଛନ୍ତି ସେମାନେ ଯାଇପାରିବେ ବୋଲି ତାଲିବାନ କହିଛି ।

ସମ୍ବନ୍ଧିତ ଖବର