ସୈନ୍ୟ ପ୍ରତ୍ୟାହାର ପାଇଁ ଆମେରିକା ପ୍ରସ୍ତୁତି କରୁଥିବା ବେଳେ କାବୁଲ୍ ବିମାନ ବନ୍ଦରର କେତେକାଂଶ ଅକ୍ତିଆର କରିଛି ତାଲିବାନ୍

ନୂଆଦିଲ୍ଲୀ: ଅଗଷ୍ଟ ୩୧ ତାରିଖ ସୁଦ୍ଧା ଆଫଗାନିସ୍ତାନରୁ ସୈନ୍ୟ ପ୍ରତ୍ୟାହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକା ପ୍ରସ୍ତୁତି ଚଳାଇଥିବା ବେଳେ କାବୁଲ୍ ଆନ୍ତର୍ଜାତିକ ବିମାନ ବନ୍ଦରର କିଛି ଅଂଶ ନିୟନ୍ତ୍ରଣକୁ ନେଇଥିବା କଥା ଶୁକ୍ରବାର ଦିନ ତାଲିବାନ୍ ଦାବି କରିଛି।

ଟୁଇଟ୍‌ କରି ତାଲିବାନ୍‌ ମୁଖପାତ୍ର ବିଲାଲ୍‌ କରିମି କହିଛନ୍ତି, ଆଜି ଆମେରିକୀୟମାନଙ୍କଦ୍ବାରା ଖାଲି ହୋଇଥିବା ସାମରିକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ କାବୁଲ୍ ବିମାନ ବନ୍ଦରର ତିନୋଟି ସ୍ଥାନ ‘ଇସ୍‌ଲାମିକ୍‌ ଏମିରେଟ୍‌’ ନିୟନ୍ତ୍ରଣକୁ ଆସିଛି। ଏବେ ଆମେରିକୀୟଙ୍କ ଦଖଲରେ ଅତି କ୍ଷୁଦ୍ର ଅଂଶଟିଏ ରହିଛି।

Image Courtesy of ABC7 News

ତାଲିବାନ୍‌ ଫୌଜର ଜଣେ ବରିଷ୍ଠ କମାଣ୍ଡର୍‌ କହିଛନ୍ତି, ଏବେ ଆମେରିକୀୟମାନେ ଥିବା ଜାଗାଟି କାଣିଚାଏ ବି ହେବ ନାହିଁ। ଅନ୍ୟ ଜଣେ କମାଣ୍ଡର୍‌ କହିଛନ୍ତି କି, ପୂର୍ଣ୍ଣ ନିୟନ୍ତ୍ରଣ ପାଇଁ ଫୌଜ ପ୍ରସ୍ତୁତ ହୋଇ ରହିଛନ୍ତି। ଚାଲିଯିବା ବେଳେ ଆମେରିକୀୟମାନେ ଆମକୁ ସାମାନ୍ୟ ଇସାରା ଦେଲେ ଆମେ ସମୁଦାୟ ବିମାନ ବନ୍ଦରକୁ ଅକ୍ତିଆରକୁ ନେଇଯିବୁ। ଏ ସପ୍ତାହାନ୍ତ ପ୍ରାରମ୍ଭରେ ହିଁ ଏକାମ କରାଯାଇ ପାରିବ। ଆଉ ଅଳ୍ପ ସମୟର କଥା ମାତ୍ର।

ଯୁଦ୍ଧ-ବିକ୍ଷତ ଆଫଗାନିସ୍ତାନରୁ ସ୍ଥାନାନ୍ତରଣ ପରିସମାପ୍ତି ଲାଗି ଯୁକ୍ତରାଷ୍ଟ୍ର ଆମେରିକା ଏବଂ ତା’ର ମିତ୍ରମାନେ ଅଗଷ୍ଟ ୩୧ ତାରିଖକୁ ଶେଷ ଦିନ ଭାବେ ସ୍ଥିର କରିଥିଲେ। କିନ୍ତୁ, ପେଣ୍ଟାଗନ୍‌ ତେଣେ କହୁଛି ଯେ, କାବୁଲ୍‌ ବିମାନ ବନ୍ଦର ଉପରେ ଆମେରିକାର ପୂର୍ଣ୍ଣ ନିୟନ୍ତ୍ରଣ ରହିଛି। ତାଲିବାନ୍‌ ବିମାନ ଚଳାଚଳ ଦାୟିତ୍ବରେ ନାହିଁ ବୋଲି ମଧ୍ୟ ପେଣ୍ଟାଗନ୍‌ ଭରସା ଦେଇ କହିଛି।

ଏହା ବ୍ୟତିରେକେ, ଶୁକ୍ରବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ବିଭାଗର ମୁଖପାତ୍ର ନେଡ୍‌ ପ୍ରାଇସ୍‌ କହିଛନ୍ତି, ଯୁକ୍ତରାଷ୍ଟ୍ର ଆମେରିକା ଆଫଗାନବାସୀଙ୍କୁ କାବୁଲ୍ ବିମାନ ବନ୍ଦର ଫେରସ୍ତ କରିବ। ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ପ୍ରତ୍ୟାବର୍ତ୍ତନ କରିବା ବେଳେ ଆମେ ଆଫଗାନବାସୀଙ୍କୁ ବିମାନ ବନ୍ଦର ହସ୍ତାନ୍ତର କରିଦେବୁ।

ସମ୍ବନ୍ଧିତ ଖବର