ଆଫଗାନ ସେନା ଉପରେ ଆକ୍ରମଣ ଜାରି ରହିବ : ତାଲିବାନ

କାବୁଲ : ଯୁଦ୍ଧ ବିଧ୍ୱସ୍ତ ଆଫଗାନିସ୍ତାନରେ ଶାନ୍ତି ପ୍ରତିଷ୍ଠା ପାଇଁ ଗତ ଶନିବାରଦିନ ହୋଇଥିବା ଚୁକ୍ତି ବିଫଳ ହେବା ଆଶଙ୍କା ଦେଖାଦେଇଛି । ତାଲିବାନ ଓ ଆଫଗାନିସ୍ତାନ ସରକାରଙ୍କ ମଧ୍ୟରେ ବିବାଦ ବଢିଚାଲିଥିବାରୁ ଉଭୟ ପକ୍ଷ ଏହି ସର୍ତ୍ତମାନିବା ନେଇ ଆଶଙ୍କା ଦେଖାଦେଇଛି ।
ସୋମବାରଦିନ ତାଲିବାନ ପକ୍ଷରୁ କୁହାଯାଇଛି ଯେ କେବଳ ବିଦେଶୀ ସୈନିକମାନଙ୍କ ଉପରେ କୌଣସି ଆକ୍ରମଣ ହେବ ନାହିଁ, କିନ୍ତୁ ସରକାରୀ ଆଫଗାନ ସୈନ୍ୟମାନଙ୍କ ଉପରେ ଆକ୍ରମଣ ଜାରି ରହିବ । ବନ୍ଦୀ ଥିବା ତାଲିବାନ ଲୋକମାନଙ୍କୁ ଛାଡ଼଼ିବାକୁ ଆଫଗାନ ସରକାର ଘୋଷଣା କରିବାର ଦିନକ ପରେ ତାଲିବାନ ନିଜର ଅଭିମୁଖ୍ୟ ସ୍ପଷ୍ଟ କରିଛି ।

ଗତ ଶନିବାରଦିନ କାତାରର ଦୋହାଠାରେ ସ୍ୱାକ୍ଷରିତ ଏହି ଚୁକ୍ତି ଅନୁସାରେ ଆସନ୍ତା ୧୪ ମାସ ମଧ୍ୟରେ ଆମେରିକା ଆଫଗାନିସ୍ତାନରୁ ନିଜର ସମସ୍ତ ସୈନ୍ୟ ଅପସାରଣ କରିବ । ପ୍ରଥମ ପର୍ଯ୍ୟାୟରେ ଆସନ୍ତା ୧୩୫ ଦିନ (ସାଢେ ୪ ମାସ) ମଧ୍ୟରେ ଆମେରିକା ନିଜର ପ୍ରାୟ ୮୬୦୦ ସୈନ୍ୟଙ୍କୁ ଅପସାରଣ କରିବ । ତେବେ ଏହି ସୈନ୍ୟ ଅପସାରଣ ତାଲିବାନର ଆଚରଣ ଉପରେ ନିର୍ଭର କରିବ । ଯଦି ଶାନ୍ତି ରକ୍ଷା ପାଇଁ ତାଲିବାନ ଦେଇଥିବା ପ୍ରତିଶ୍ରୁତି ପୂରଣ ନକରେ ତେବେ ସୈନ୍ୟ ଅପସାରଣ ସଂପର୍କରେ ପୁନର୍ବିଚାର କରାଯିବ । ଅନ୍ୟପକ୍ଷରେ ଏହି ଚୁକ୍ତି ମାଧ୍ୟମରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଆମେରିକା ସେନା ପକ୍ଷରୁ ବନ୍ଦୀ କରାଯାଇଥିବା ପ୍ରାୟ ୫ ହଜାର ଲୋକଙ୍କୁ ମୁକ୍ତ କରାଯିବ ।

ସମ୍ବନ୍ଧିତ ଖବର