ଆଫଗାନିସ୍ତାନ ସୀମାନ୍ତରେ ଆତ୍ମଘାତୀ ବୋମା ବିସ୍ଫୋରଣକାରୀ ବାଟାଲିୟନ୍ ମୁତୟନ କରିବ ତାଲିବାନ୍‌

କାବୁଲ୍‌: ଆଫଗାନିସ୍ତାନର ବିଭିନ୍ନ ସୀମାନ୍ତ ଇଲାକାରେ, ବିଶେଷକରି ବଦକଶାନ୍‌ରେ ମୁତୟନ ନିମନ୍ତେ ତାଲିବାନ୍ ସ୍ବତନ୍ତ୍ର ଭାବେ ଆତ୍ମଘାତୀ ବୋମାବିସ୍ଫୋରଣକାରୀ ବାଟାଲିୟନ୍‌ ଗଠନ କରିଥିବା କଥା ବିଭିନ୍ନ ଗଣମାଧ୍ୟମ ରିପୋର୍ଟସୂତ୍ରରୁ ଜଣାପଡ଼ିଛି।

‘ଖାମା ପ୍ରେସ୍’ ରିପୋର୍ଟ ଅନୁସାରେ, ତାଜିକିସ୍ତାନ ଏବଂ ଚୀନ୍‌ ସୀମାନ୍ତକୁ ଲାଗିଥିବା ଆଫଗାନିସ୍ତାନର ଉତ୍ତରପୂର୍ବ ପ୍ରଦେଶ ବଦକଶାନ୍‌ରେ ଆତ୍ମଘାତୀ ବୋମାବିସ୍ଫୋରଣକାରୀ ବାଟାଲିୟନ୍‌ ଗଠନ କରାଯାଇଥିବା କଥା ଉପରାଜ୍ୟପାଳ ମୁଲ୍ଲା ନିସାର୍‌ ଅହମଦ୍‌ ଅହମଦି ଗଣମାଧ୍ୟମକୁ କହିଛନ୍ତି। ଉକ୍ତ ବାଟାଲିୟନ୍‌ର ନାମ ‘ଲଶ୍କର୍‌-ଏ-ମନ୍‌ସୂରି’ (ମନ୍‌ସୁର ସେନା) ଏବଂ ସେମାନଙ୍କୁ ଦେଶର ସୀମାନ୍ତରେ ମୁତୟନ କରାଯିବ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପୂର୍ବତନ ଆଫଗାନିସ୍ତାନ ସରକାରଙ୍କ ନିରାପତ୍ତା ବଳକୁ ଟାର୍ଗେଟ୍‌ କରି ଯେଉଁଭଳି ଆତ୍ମଘାତୀ ଆକ୍ରମଣ କରାଯାଉଥିଲା ‘ଲଶ୍କର୍‌-ଏ-ମନ୍‌ସୂରି’ ସେହି ଧରଣର ଆକ୍ରମଣ କରିବ।

Image Courtesy of ABP Live

ଏହି ବାଟାଲିୟନ ବିନା ଯୁକ୍ତରାଷ୍ଟ୍ର ଆମେରିକାକୁ ପରାସ୍ତ କରାଯାଇ ପାରି ନ ଥାଆନ୍ତା। ଏଥିରେ ଥିବା ସାହସୀ ବ୍ୟକ୍ତିମାନେ ବିସ୍ଫୋରକ ଭରା ‘ୱେଷ୍ଟ୍‌କୋଟ୍‌’ ପିନ୍ଧି ଆଫଗାନିସ୍ତାନରେ ଥିବା ଯୁକ୍ତରାଷ୍ଟ୍ର ଆମେରିକାର ଘାଟି ସବୁକୁ ବିସ୍ଫୋରଣ କରି ଉଡ଼ାଇ ଦେବେ। ପ୍ରକୃତରେ ଭୟଭୀତି ନ ଥିବା ଏହି ଲୋକମାନେ ଆଲ୍ଲାଙ୍କ ସମ୍ମତି ପ୍ରତି ଆପଣାକୁ ଉତ୍ସର୍ଗ କରିଛନ୍ତି।

‘ଲଶ୍କର୍‌-ଏ-ମନ୍‌ସୂରି’ ବ୍ୟତିରେକେ, ସବୁଠୁ ଅଧିକ ଅସ୍ତ୍ରଶସ୍ତ୍ରଧାରୀ ଆଧୁନିକ ସାମରିକ ଦଳ ହେଉଛି କାବୁଲ୍ ଆନ୍ତର୍ଜାତିକ ବିମାନ ବନ୍ଦରରେ ମୁତୟନ କରାଯାଇଥିବା ‘ବଦ୍ରି୩୧୩’ ନାମକ ଅନ୍ୟ ଏକ ବାଟାଲିୟନ୍‌। ଏହା ମଧ୍ୟ ଆତ୍ମଘାତୀ ବୋମାବିସ୍ଫୋରଣକାରୀଙ୍କୁ ନେଇ ଗଠିତ ବୋଲି ଉକ୍ତ ଗଣମାଧ୍ୟମ ରିପୋର୍ଟ କରିଛି।

ସମ୍ବନ୍ଧିତ ଖବର