କଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ସହାୟତା କରିବ ତାଲିବାନ  : ପାକ୍ ନେତ୍ରୀଙ୍କ ଦାବି

ଇସଲାମାବାଦ :  କଠୋରପନ୍ଥୀ ମୌଳବାଦୀ ସଂଗଠନ ତାଲିବାନ ସହ ପାକିସ୍ତାନର ଘନିଷ୍ଠ ସମ୍ପର୍କ ଥିବା କଥା ବିଶ୍ବରେ ପ୍ରାୟ ସବୁଦେଶ ଅବଗତ ଅଛନ୍ତି । କିନ୍ତୁ ପାକିସ୍ତାନ ସରକାର ଖୋଲାଖୋଲି ଏ ସମ୍ପର୍କରେ ଘୋଷଣା କରିନାହାନ୍ତି । ତେବେ ପାକିସ୍ତାନ ଶାସକ ଦଳର ଜଣେ ନେତ୍ରୀ ଏକ ଟେଲିଭିଜନ କାର୍ଯ୍ୟକ୍ରମରେ ଖୋଲାଖୋଲି ଏ ସମ୍ପର୍କରେ ପ୍ରକାଶ କରିଦେଇଛନ୍ତି ।

ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଦଳ ତେହରିକ-ଏ-ଇନସାଫ (ପିଟିଆଇ)ର ଜଣେ ନେତା ନୀଲମ ଇରସାଦ ଶେଖ ଏକ ଟିଭି କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଖୋଲାଖୋଲି ଏ ସମ୍ପର୍କରେ ପ୍ରକାଶ କରିଛନ୍ତି । ସେ ଦାବି କରିଛନ୍ତି ଯେ, କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ସରକାରଙ୍କୁ ସହାୟତା କରିବାକୁ ତାଲିବାନ ରାଜି ହୋଇଛି ।

ଶେଖ ଲାଇଭ ଟିଭରେ ଏ ସମ୍ପର୍କରେ ପ୍ରକାଶ କରିବା ପରେ ସଂପୃକ୍ତ କାର୍ଯ୍ୟକ୍ରମର ଉପସ୍ଥାପକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ନେତ୍ରୀ ଜଣକ କଣ କହିଦେଲେ ତାହା ନିଜେ ଜାଣିନାହାନ୍ତି ବୋଲି ସଂପୃକ୍ତ ଉପସ୍ଥାପକ ମନ୍ତବ୍ୟ ଦେଇଥିଲେ ।

କଶ୍ମୀର ପ୍ରସଙ୍ଗରେ ତାଲିବାନ ପୂର୍ବରୁ ନିଜର ସ୍ଥିତି ସ୍ପଷ୍ଟ କରିସାରିଛି । ତାଲିବାନ ପକ୍ଷରୁ କୁହାଯାଇଛି ଯେ କଶ୍ମୀର ହେଉଛି ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ଦ୍ବିପାକ୍ଷିକ ମାମଲା । ଏଥିରେ ହସ୍ତକ୍ଷେପ କରାଯିବ ନାହିଁ ।

 

ସମ୍ବନ୍ଧିତ ଖବର