ହତ୍ୟା ପୂର୍ବରୁ ଦାନିଶଙ୍କ ପରିଚୟ ଯାଞ୍ଚ କରିଥିଲେ ତାଲିବାନୀ

ୱାସିଂଟନ୍ : ପୁଲିଜର୍‌ ପୁରସ୍କାର ବିଜେତା ଭାରତୀୟ ଫଟୋ ସାମ୍ବାଦିକ ଡାନିଶ ସିଦ୍ଦିକ ଆଫଗାନିସ୍ତାନ ସଂଘର୍ଷରେ ସାଧାରଣ ଗୁଳି ମାଡ଼ ଯୋଗୁଁ ପ୍ରାଣ ହରାଇନଥିଲେ, ତାଙ୍କୁ ତାଲିବାନ ଆତଙ୍କବାଦୀମାନେ ଟାର୍ଗେଟ୍‌ କରିଥିଲେ ଏବଂ ପରିଚୟ ଯାଞ୍ଚ ପରେ ଅତି ନିଷ୍ଠୁର ହତ୍ୟା କରିଥିଲେ ବୋଲି ଜଣାପଡ଼ିଛି। ଆମେରିକୀୟ ପତ୍ରିକା ‘ୱାସିଂଟନ ଏକ୍‌ଜାମିନର’ରେ ଏ ସଂକ୍ରାନ୍ତ ବିସ୍ତୃତ ରିପୋର୍ଟ ପ୍ରକାଶ ପାଇଛି ।

ସିଦ୍ଦିକ ନ୍ୟାସନାଲ ଆର୍ମି ସହିତ ସ୍ପିନ୍ ବୋଲଡାକ୍ ଅଞ୍ଚଳକୁ ଯାଇ ତାଲିବାନ ଯୋଦ୍ଧା କିଭଳି ପାକିସ୍ତାନ ସୀମା ଅତିକ୍ରମ କରୁଛନ୍ତି ତାହାର ଖବର ସଂଗ୍ରହ କରୁଥିଲେ। । ଯେତେବେଳେ ସେମାନେ କଷ୍ଟମ୍ସ ପୋଷ୍ଟର ନିକଟତର ହେଲେ ସେତେବେଳେ ଅଚାନକ ତାଲିବାନ ଆକ୍ରମଣ କରିବାରୁ କମାଣ୍ଡର ଏବଂ ଅନ୍ୟ ଯବାନ ସିଦ୍ଦିକଙ୍କଠାରୁ ଅଲଗା ହୋଇଯାଇଥିଲେ। ଏହି ଆକ୍ରମଣ ସମୟରେ, ସିଦ୍ଦିକ ଆହତ ହୋଇ ଏକ ମସଜିଦକୁ ଯାଇଥିଲେ ଏବଂ ସେଠାରେ ତାଙ୍କୁ ପ୍ରାଥମିକ ଚିକିତ୍ସା ମିଳିଥିଲା। ଏହାପରେ ତାଲିବାନ ଆତଙ୍କବାଦୀ ସିଦ୍ଦିକଙ୍କ ଉପସ୍ଥିତି ଠାବ କରି ମସଜିଦ ଉପରେ ଆକ୍ରମଣ କରିଥିଲେ ଏବଂ ସିଦ୍ଦିକଙ୍କୁ ନିଜ କବ୍‌ଜାକୁ ନେଇଥିଲେ। ତାଲିବାନ ଆତଙ୍କବାଦୀ ତାଙ୍କ ପରିଚୟ ଭଲ ଭାବେ ଯାଞ୍ଚ କରିବା ପରେ ତାଙ୍କ ମୁଣ୍ଡକୁ ପ୍ରଥମେ ଗଭୀର ଆଘାତ କରିଥିଲେ ଏବଂ ପରେ ଅତି ନିକଟରୁ ଗୁଳି କରି ହତ୍ୟା କରିଥିଲେ। ଏ ବାବଦରେ ବିଭିନ୍ନ ଫଟୋଗ୍ରାଫ୍ ଏବଂ ସିଦ୍ଦିକଙ୍କ ମୃତଦେହର ଏକ ଭିଡିଓକୁ ସମୀକ୍ଷା କରିବା ପରେ ତାଙ୍କ ମୁଣ୍ଡକୁ ଛେଚି ଦିଆଯାଇଥିବା ଏବଂ ଅତି ନିକଟରୁ ଅନେକ ଗୁଳି ମରାଯାଇଥିବା ଜଣାପଡ଼ିଥିଲା। ତାଲିବାନ ସିଦ୍ଦିକ୍‌ଙ୍କ ହତ୍ୟାରେ କୌଣସି ହାତ ନାହିଁ ବୋଲି କହି ଶୋକ ପ୍ରକାଶ କରିବା ଏକ ବଡ଼ ଛଳନା ଓ ଷଡ଼ଯନ୍ତ୍ର ଥିଲା ବୋଲି ଜଣାପଡ଼ିଛି।

ସିଦ୍ଦିକ ଆଫଗାନିସ୍ତାନ ବିବାଦ, ହଂକଂ ଆନ୍ଦୋଳନ, ଏସିଆ, ମଧ୍ୟ ପୂର୍ବ ଏବଂ ୟୁରୋପରେ ବିଭିନ୍ନ ପ୍ରମୁଖ ଘଟଣାର ରିପୋର୍ଟିଂ କରିଥିଲେ। ତାଙ୍କ ମୃତଦେହ ଜୁଲାଇ ୧୮ ସନ୍ଧ୍ୟାରେ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚି ପରେ ଜାମିଆ ନଗରରେ ଥିବା ତାଙ୍କ ବାସଭବନକୁ ଅଣାଯାଇଥିଲା । ଜାମିଆ ମିଲିଆ ଇସଲାମିଆ କବରସ୍ଥାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଥିଲା।

ସମ୍ବନ୍ଧିତ ଖବର