ଓ୍ଵାସିଂଟନ୍: କଥାରୁ ନୁହେଁ, କାମରୁ ହିଁ ତାଲିବାନ୍କୁ ବିଶ୍ୱାସ କରାଯିବ ବୋଲି କାବୁଲ୍ରୁ ଆସିଥିବା ବରିଷ୍ଠ ତାଲିବାନ୍ ପ୍ରତିନିଧିମାନଙ୍କୁ ଭେଟି ଗୁରୁତ୍ୱପୂର୍ଣ୍ଣ ଜାତୀୟ ସ୍ୱାର୍ଥଗତ ସମସ୍ୟା ବିଷୟରେ ଆଲୋଚନା କରିବା ପାଇଁ କତାର୍ ଗସ୍ତ କରିଥିବା ଯୁକ୍ତରାଷ୍ଟ୍ର ଆମେରିକାର ମିଳିତ ପ୍ରତିନିଧି ଦଳ କହିଥିବା କଥା ରବିବାର ଦିନ ବୈଦେଶିକ ବିଭାଗ ମୁଖପାତ୍ରୀ ନେଡ୍ ପ୍ରାଇସ୍ କହିଛନ୍ତି।
ନେଡ୍ ପ୍ରାଇସ୍ଙ୍କ କହିବା ଅନୁସାରେ, ଅକ୍ଟୋବର ୯ ଏବଂ ୧୦ ତାରିଖ ଦିନ ଏକ ମିଳିତ ପ୍ରତିନିଧି ଦଳ କତାରର ଦୋହାରେ ବରିଷ୍ଠ ତାଲିବାନ୍ ପ୍ରତିନିଧିମାନଙ୍କୁ ଭେଟିଥିଲେ। ସେମାନେ ତାଲିବାନ୍ ପ୍ରତିନିଧିମାନଙ୍କ ସହ ଆଲୋଚନା ବେଳେ ନିରାପତ୍ତା, ଆତଙ୍କବାଦ ଏବଂ ଆମେରିକୀୟ ଓ ଅନ୍ୟ ବିଦେଶୀ ନାଗରିକମାନଙ୍କ ନିରାପଦ ଯାତ୍ରା ପ୍ରସଙ୍ଗରେ ଚିନ୍ତା ପ୍ରକଟ କରିଥିଲେ। ଆଫଗାନ ସମାଜର ପ୍ରତିକ୍ଷେତ୍ରରେ ନାରୀ ଓ ଝିଅମାନଙ୍କର ଅର୍ଥପୂର୍ଣ୍ଣ ଅଂଶଗ୍ରହଣ ସମେତ ମାନବ ଅଧିକାର ବିଷୟରେ ମଧ୍ୟ ମେରିକୀୟ ପ୍ରତିନିଧି ଦଳ ସେମାନଙ୍କ ସହ ଆଲୋଚନା କରିଥିଲେ।
ନେଡ୍ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରତ୍ୟକ୍ଷ ଭାବେ ଆଫଗାନ୍ ଜନଗଣଙ୍କୁ ଯୁକ୍ତରାଷ୍ଟ୍ର ଆମେରିକାର ବ୍ୟାପକ ମାନବୀୟ ସହାୟତା ଯୋଗାଣ ବିଷୟରେ ମଧ୍ୟ ଉଭୟ ପକ୍ଷ ଆଲୋଚନା କରିଛନ୍ତି। ଅତି ସ୍ପଷ୍ଟ ଏବଂ ଯଥାର୍ଥ ରୂପେ ଏହି ଆଲୋଚନା ହୋଇଛି।
ଆଫଗାନିସ୍ତାନ ଓ ଆମେରିକା ମଧ୍ୟରେ ଥିବା ସମ୍ପର୍କର ଆଉ ଏକ ନୂତନ ପର୍ଯ୍ୟାୟ ଆରମ୍ଭ କରିବା ଥିଲା ଏହି ବୈଠକର ମୂଳ ଉଦ୍ଦେଶ୍ୟ ବୋଲି ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରୀ ଅମିର୍ ଖାଁ ମୁତ୍ତାକ୍ୱି କହିଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ସ୍ପୁଟ୍ନିକ୍’ ରିପୋର୍ଟ କରିଛି।