ମତ ବଦଳାଇଲା ତାଲିବାନ: କାଶ୍ମୀର ମୁସଲିମଙ୍କ ପାଇଁ ସ୍ବର ଉଠାଇବ

ନୂଆଦିଲ୍ଲୀ : କାଶ୍ମୀର ପ୍ରସଙ୍ଗରେ ତାଲିବାନ ୟୁ-ଟର୍ଣ୍ଣ ନେଇଛି। ଭାରତ ଏବଂ ପାକିସ୍ତାନ ବିବାଦରେ ତାଲିବାନ ହସ୍ତକ୍ଷେପ କରିବ ନାହିଁ ବୋଲି ପୂର୍ବରୁ ବାରମ୍ବାର କହିଥିଲା ଏବଂ କୌଣସି ପରିସ୍ଥିତିରେ କାଶ୍ମୀର ପ୍ରସଙ୍ଗରେ ହସ୍ତକ୍ଷେପ କରିବ ନାହିଁ ବୋଲି କହିଥିଲା। କିନ୍ତୁ ଆଜି ତାଲିବାନ ଏହାର ଆଭିମୁଖ୍ୟ ଅଚାନକ ବଦଳାଇ ଦେଇଛି। ତାଲିବାନର ଦୋହା କାର୍ଯ୍ୟାଳୟର ପ୍ରବକ୍ତା ସୁହେଲ ଶାହିନଙ୍କ ବିବୃତି ଭାରତକୁ ଚକିତ କରିଛି। ଦୋହାରେ ଆମେରିକା ସହିତ ହୋଇଥିବା ରାଜିନାମା ସଂପର୍କରେ ସେ କହିଛନ୍ତି କୌଣସି ଦେଶ ବିରୋଧରେ ସଶସ୍ତ୍ର କାର୍ଯ୍ୟକଳାପ ଚଳାଇବା ତାଲିବାନର ରଣନୀତି ନୁହେଁ। କିନ୍ତୁ ମୁସଲିମ ଭାବେ କାଶ୍ମୀରର ମୁସଲିମଙ୍କ ପାଇଁ କହିବାର ଅଧିକାର ଆମର ରହିଛି। କେବଳ କାଶ୍ମୀର ନୁହେଁ ଅନ୍ୟ କୌଣସି ଦେଶ କ୍ଷେତ୍ରରେ ମଧ୍ୟ ତାଲିବାନ ଏହି ନୀତି ଆପଣାଇବ। ଆମେ ଆମର ସ୍ବର ଉଠାଇବୁ ଏବଂ ମୁସଲିମମାନେ ସେମାନଙ୍କ ସହିତ ଅଛନ୍ତି ବୋଲି କହିବୁ। ଦୁଇ ଦଶନ୍ଧି ଧରି ଆମେରିକା ଆଫଗାନିସ୍ତାନରେ ସେନା ମୁତୟନ କରିଥିଲା। ସେନା ପ୍ରତ୍ୟାହାର କରିବା ପ୍ରକ୍ରିୟା ଆରମ୍ଭ ହେବା ପରେ ତାଲିବାନମାନେ ଆଫଗାନିସ୍ତାନର ଗୋଟିଏ ପରେ ଗୋଟିଏ ପ୍ରଦେଶ ଏବଂ ପ୍ରାଦେଶିକ ରାଜଧାନୀକୁ ନିଜ ଅଧୀନକୁ ନେଇଥିଲେ। ଶେଷରେ ଦେଶର ରାଜଧାନୀ କାବୁଲକୁ ମଧ୍ୟ ଅକ୍ତିଆର କରିବା ସହିତ ଶାସନ କରିବା ଆରମ୍ଭ କରିଦେଇଛନ୍ତି। ତାଲିବାନମାନେ ଶାସନ ଗାଦିକୁ ଅକ୍ତିଆର କରିବା ପରେ ଏବେ ସେମାନେ ଭିନ୍ନ ରଣନୀତିରେ ଅନ୍ୟ ରାଷ୍ଟ୍ରଙ୍କ ସହାୟତା ଲୋଡ଼ୁଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ତାଲିବାନ ସରକାରକୁ ସ୍ବୀକୃତି ମିଳିବା ଆଶାରେ ଏଭଳି କାର୍ଯ୍ୟ କରାଯାଉଛି।

ଉଲ୍ଲେଖଯୋଗ୍ୟ, ଜମ୍ମୁ କାଶ୍ମୀରରୁ ଧାରା ୩୭୦କୁ ଭାରତ ସରକାର ୨୦୧୯ ଅଗଷ୍ଟରୁ ଉଚ୍ଛେଦ କରିଛନ୍ତି। ଏଥିସହିତ ଜମ୍ମୁ କାଶ୍ମୀର ରାଜ୍ୟକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ଯଥା ଜମ୍ମୁ କାଶ୍ମୀର ଏବଂ ଲଦାଖରେ ପରିଣତ କରିଛନ୍ତି। ଏହି ପ୍ରସଙ୍ଗକୁ ପାକିସ୍ତାନ ବିଭିନ୍ନ ଅନ୍ତର୍ଜାତୀୟ ଫୋରମରେ ଉଠାଇ ଆସୁଥିଲେ ମଧ୍ୟ ତାକୁ ସେତେଟା ସମର୍ଥନ ମିଳୁନାହିଁ। ଏଭଳି ସ୍ଥିତିରେ ତାଲିବାନର କାଶ୍ମୀର ପ୍ରତି ନୂଆ ମନୋଭାବ ଭାରତ ପାଇଁ ଅଡ଼ୁଆ ସୃଷ୍ଟିପାରେ।

ସମ୍ବନ୍ଧିତ ଖବର