ଅଗଷ୍ଟ ୩୧ ପୂର୍ବରୁ ସରକାର ଗଢିବନି ତାଲିବାନ !

କାବୁଲ : ତାଲିବାନ ଦ୍ବାରା କାବୁଲ ଅଧିକାର କରାଯିବାର ଇତି ମଧ୍ୟରେ ୫ ଦିନ ବିତି ଗଲାଣି । କିନ୍ତୁ ତାଲିବାନ ଏପର୍ଯ୍ୟନ୍ତ ସରକାର ଗଢିନାହିଁ କିମ୍ବା ଭାବି ସରକାରର ରୂପରେଖ ସମ୍ପର୍କରେ କୌଣସି ଘୋଷଣା କରିନାହିଁ ।

ଏ ନେଇ ଆଫଗାନିସ୍ତାନର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ଆମେରିକା ସହ ତାଲିବାନର ହୋଇଥିବା ବୁଝାମଣା ଅନୁସାରେ ଆସନ୍ତା ଅଗଷ୍ଟ ୩୧ ପୂର୍ବରୁ ତାଲିବାନ ସରକାର ଗଢିପାରିବ ନାହିଁ । ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାରର ଶେଷ ତାରିଖ ହେଉଛି ୩୧ ଅଗଷ୍ଟ । ଏଣୁ ଏହା ପରେ ହିଁ ତାଲିବାନ ସରକାର ଗଢିବ । ନିଜ ନାମକୁ ଗୋପନ ରଖି ଉକ୍ତ ଅଧିକାରୀ ଜଣକ କହିଛନ୍ତି ଯେ ୩୧ ଅଗଷ୍ଟ ପୂର୍ବରୁ ‘କିଛି ନ କରିବାକୁ’ ତାଲିବାନ ବୁଝାମଣା କରିଛି । ଆମେରିକା ସହ ଆଲୋଚନା ପାଇଁ ତାଲିବାନ ପକ୍ଷରୁ ମଧ୍ୟସ୍ଥତା କରିଥିବା ଅନସ ହକ୍କାନି ଏ ନେଇ ପ୍ରତିଶ୍ରୁତି ଦେଇଛନ୍ତି । ତେବେ ‘କିଛି ନ କରିବା’ ର ଅର୍ଥ କେବଳ ସରକାର ଗଠନ ନା ଅନ୍ୟ କିଛି ସେ ସମ୍ପର୍କରେ ଉକ୍ତ ଅଧିକାରୀ କିଛି ସ୍ପଷ୍ଟ ସୂଚନା ଦେଇ ନାହାନ୍ତି । କିନ୍ତୁ ହକ୍କାନିଙ୍କ ଏହି କଥାକୁ ନେଇ ଆତଙ୍କ ଖେଳିଯାଇଛି । କାରଣ ୩୧ ତାରିଖ ପରେ ତାଲିବାନ କଣ କରିବ ତାହା ଅନେକଙ୍କୁ ଚିନ୍ତିତ କରିଛି । ସୂଚନାଯୋଗ୍ୟ ଯେ ଆଫଗାନିସ୍ତାନରେ ଏବେ ବି ଆମେରିକାର ୫ ହଜାର ସୈନ୍ୟ ଅଛନ୍ତି । ସେମାନେ ମୁଖ୍ୟତଃ କାବୁଲ ଏୟାରପୋର୍ଟକୁ ସୁରକ୍ଷା ଦେଉଛନ୍ତି ।

ସମ୍ବନ୍ଧିତ ଖବର