ନୂଆଦିଲ୍ଲୀ: ଆଜି ବିଳମ୍ବିତ ରାତିରେ ଆଫଗାନିସ୍ତାନ ସେନା ପାକିସ୍ତାନର ୮ଟି ଅଞ୍ଚଳରେ ଏକକାଳୀନ ପ୍ରଚଣ୍ଡ ଆକ୍ରମଣ କରିଛି। ଡୁରାଣ୍ଡ ଲାଇନ୍ରେ ତାଲିବାନ ଓ ପାକ୍ ସେନା ମଧ୍ୟରେ ସଂଘର୍ଷ ଜାରି ରହିଛି। ଆଫଗାନିସ୍ତାନ ଗଣମାଧ୍ୟମ ପ୍ରବଳ ଗୁଳି ବିନିମୟକୁ ନିଶ୍ଚିତ କରିବା ସହ ଅନେକ ମୃତାହତ ହୋଇଥିବା ଖବର ପ୍ରକାଶ କରିଛି। ଏହି ଆକ୍ରମଣରେ ଅତି କମ୍ରେ ୧୨ ଜଣ ପାକିସ୍ତାନୀ ସୈନିକ ନିହତ ହୋଇଥିବା ଜଣାପଡ଼ିଛି। ହଜାର ହଜାର ତାଲିବାନୀ ସୈନ୍ୟ ଏହି ସାମରିକ ଅଭିଯାନରେ ସାମିଲ ଅଛନ୍ତି। ଡୁରାଣ୍ଡ ସୀମା ନିକଟରେ ପାକିସ୍ତାନର ଫ୍ରଣ୍ଟିୟର କର୍ପସ୍ ଉପରେ ତାଲିବାନ ସବୁଠାରୁ ବଡ଼ ଆକ୍ରମଣ କରିଛି। ଏହି ବହୁମୁଖୀ ଆକ୍ରମଣ ପାକିସ୍ତାନର ସାମ୍ପ୍ରତିକ ବାୟୁସେନା ଆକ୍ରମଣର ପ୍ରତିଶୋଧ ବୋଲି ତାଲିବାନ କହିଛି। ଦୁଇ ଦିନ ତଳେ କାବୁଲ, ଖୋଷ୍ଟ ଓ ନଙ୍ଗରହାର ପ୍ରଦେଶରେ ତାଲିବାନର ପ୍ରତିଷ୍ଠାନ ଉପରେ ପାକିସ୍ତାନ ବୋମାମାଡ଼ କରିଥିଲା। ଆଜି ତାଲିବାନର ୨୦୧ ଖାଲିଦ ବିନ୍ ଵାଲିଦ ଆର୍ମି କର୍ପ୍ସ ଏହି ଆକ୍ରମଣର ଦାୟିତ୍ୱ ନେଇ ଏହାକୁ ଆଫଗାନ ସାର୍ବଭୌମତ୍ୱର ରକ୍ଷା ବୋଲି ଦାବି କରିଛି।
ଡୁରାଣ୍ଡ ସୀମାରେ ଭୟଙ୍କର ସଂଘର୍ଷ
୧୨ ପାକିସ୍ତାନ ସୈନିକଙ୍କ ମୃତ୍ୟୁ
୮ଟି ଅଞ୍ଚଳରେ ଏକକାଳୀନ ଆକ୍ରମଣ
ଆମେରିକୀୟ ଯାନରେ ତାଲିବାନ ପତାକା
ଏହି ଆକ୍ରମଣରେ ତାଲିବାନ ଭାରୀ ଯୁଦ୍ଧାସ୍ତ୍ର, ମୋର୍ଟାର ଓ ଡ୍ରୋନ୍ ବ୍ୟବହାର କରିଛି। ପାକିସ୍ତାନ ସେନାର ପ୍ରାୟ ୧୦ଟି ପୋଷ୍ଟ୍, ବାରାକ୍ ଓ ଲଜିଷ୍ଟିକ୍ ହବ୍କୁ ଟାର୍ଗେଟ୍ କରି ଏହି ଆକ୍ରମଣ ହୋଇଛି। କୁରମ୍, ବାଜାଉର୍ ଓ ଉତ୍ତର ଵଜିରିସ୍ତାନ ସୀମାରେ ଭୟାନକ ସଂଘର୍ଷ ଚାଲିଛି। ଦାଙ୍ଗାମ, ବିର୍କୋଟ, ଗୁଇ ସାର୍, ସ୍ପିନା ଓ ଶାଗା ସୀମାରେ ପାକ୍ ସେନାର ଭୀଷଣ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି। ଅନେକ ପାକ୍ ନାଗରିକ ମଧ୍ୟ ଏଥିରେ ମୃତାହତ ହୋଇଥିବା ଖବର ମିଳିଛି। ୨୦୨୧ରେ ଆମେରିକୀୟ ସେନା ଛାଡ଼ି ପଳାଇଥିବା ସାମରିକ ଯାନ ଉପରେ ତାଲିବାନ ନିଜ ପତାକା ଉଡ଼ାଇ ଏହି ସଂଘର୍ଷରେ ସାମିଲ ହୋଇଥିବା ଜଣାପଡ଼ିଛି। ୨,୬୪୦ କିମି ଦୀର୍ଘ ଡୁରାଣ୍ଡ ସୀମାରେ ଏହି ସଂଘର୍ଷ ଆଗକୁ ଆହୁରି ତୀବ୍ର ହେବା ଆଶଙ୍କା କରାଯାଉଛି। ପାକିସ୍ତାନ ଡୁରାଣ୍ଡ ଅଂଚଳକୁ ନିଜର ସୀମା ବୋଲି ଦାବି କରୁଥିବା ବେଳେ ଆଫଗାନିସ୍ତାନ ଏହାକୁ ଔପନିବେଶିକ ଅତିକ୍ରମଣ ବୋଲି ବିବେଚନା କରୁଛି। ଏହି ସଂଘର୍ଷ ପାକିସ୍ତାନର ସୀମା ସୁରକ୍ଷା ଦୁର୍ବଳତାକୁ ପଦାରେ ପକାଇ ଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/12/taliban-2025-10-12-02-33-49.jpg)