ଏଣିକି କେଶ କି ଦାଢ଼ି କାଟିଲେ ପରିଣାମ ଭୟାବହ ହେବ ବୋଲି ଚେତାବନୀ ଦେଲେ ତାଲିବାନୀ ସରକାର

ନୂଆଦିଲ୍ଲୀ:  ଏଣିକି କେଶ କି ଦାଢ଼ି କାଟିଲେ ପରିଣତି ଭୟାବହ ହେବ । ଆଫଗାନୀ ନାପିତଙ୍କୁ ଏପରି ଫରମାନ୍ ଶୁଣାଇଛି ତାଲିବାନୀ ସରକାର । ହେଲମନ୍ଦ ଅଞ୍ଚଳ ଓ କାବୁଲରେ ନାପିତଙ୍କ ଏକ ସଭା ଡାକି ସେମାନଙ୍କୁ ଏପରି ଆଦେଶ ଦେବା ପରେ ଏହାକୁ ନେଇ ଏବେ ଚାରିଆଡେ ଆଲୋଚନା ।

ଆଫଗାନିସ୍ତାନରେ ତାଲିବାନ୍ ସତ୍ତାକୁ ଆସିବା ପରେ ସରିୟା ନିୟମରେ ଦୁର୍ବିସହ ହେଲାଣି ଆଫଗାନ ବାସିନ୍ଦାଙ୍କ ଜୀବନ । ତାଲିବାନ୍ ସରକାର ଗଠନ ସହ ସରିୟା ନିୟମ ଲାଗୁ ହେବା ପରେ ଏଠିକାର ସେଲୁନ୍ ଓ ପାର୍ଲର ଆଗରେ କଡା ନିୟମ ଲେଖାଥିବା ପୋଷ୍ଟର ଲଗାଯାଇଛି । ଫ୍ରଣ୍ଟିଅର ପୋଷ୍ଟ ରିପୋର୍ଟ ମୁତାବକ, କୌଣସି ଲୋକ ଦାଢି କାଟି ପାରିବେ ନାହିଁ । ଏଥିପାଇଁ ଟ୍ରିମର ବ୍ୟବହାର କରିପାରିବେ ନାହିଁ । କେଶ କାଟିବା ଉପରେ ବି କଟକଣା ରହିଛି। ଯଦି କେଶ କାଟନ୍ତି କୌଣସି ଷ୍ଟାଇଲିସ୍ ହେୟାର କଟ୍ କରିପାରିବେ ନାହିଁ । କେଶ କାଟିବାକୁ ମଧ୍ୟ ଟ୍ରିମର ବ୍ୟବହାର ହୋଇପାରିବ ନାହିଁ । କୌଣସି ସେଲୁନ୍ ଭିତରେ କୌଣସି ପ୍ରକାର ମ୍ୟୁଜିକ ଲାଗିବ ନାହିଁ । ଏସବୁ ଇସ୍ଲାମ ନିୟମର ଉଂଲଘନ କରୁଛି । ତେଣୁ ଏହି ନିୟମକୁ ନମାନିଲେ କଠୋର ଦଣ୍ଡ ଦିଆଯିବ ବୋଲି ନାପିତଙ୍କୁ ଧମକ ଦେଇଛନ୍ତି ତାଲିବାନୀ ଅଧିକାରୀ ।

୧୯୯୬ରୁ ୨୦୦୧ ମଧ୍ୟରେ ତାଲିବାନ୍ ସରକାର ଥିବାବେଳେ ମଧ୍ୟ ଆଫଗାନିସ୍ତାନରେ ଏପରି କଠୋର ନିୟମ ଥିଲା । ସେ ସମୟରେ ପୁରୁଷମାନେ ଦାଢି ଓ କେଶ ବଢାଇବାକୁ ବାଧ୍ୟ ହେଉଥିଲେ । ହେଲେ ୨୦୦୧ ପରେ ତାଲିବାନ୍ ସରକାରର ଅନ୍ତ ଘଟିବା ପରେ କ୍ଲିନ ସେଭ୍ ଲୁକ୍ ଓ ଷ୍ଟାଇଲିସ୍ ହେୟାର ଷ୍ଟାଇଲ ଟ୍ରେଣ୍ଡ ହୋଇଥିଲା । କିନ୍ତୁ ପୁଣିଥରେ ସେ ଅନ୍ଧାରି ଯୁଗ ଫେରିଆସିବା ପରେ ପୁରୁଣା କଠୋର ନିୟମ ବି ଆଫଗାନିସ୍ତାନକୁ ଫେରିଛି । ଏପରି ନିୟମରେ ସେଠିକାର ନାପିତମାନେ ବୃତ୍ତି ହରାଇବା ଏକପ୍ରକାର ନିଶ୍ଚିତ ହୋଇଛି ।

ସମ୍ବନ୍ଧିତ ଖବର