ନୂଆଦିଲ୍ଲୀ: ଏନ୍ସିପି (ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି) ନେତା ଅଜିତ ପାୱାର ନିକଟରେ ତାଙ୍କ କାକା ଶରଦ ପାୱାରଙ୍କୁ ପୁନେର ଜଣେ ଶିଳ୍ପପତିଙ୍କ ବାସଭବନରେ ଭେଟିଥିଲେ। ଉଭୟଙ୍କ ମଧ୍ୟରେ ଏକ ଗୁପ୍ତ ବୈଠକ ହୋଇଥିବା ବେଳେ ଆଗକୁ ମହାରାଷ୍ଟ୍ର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ହେବ ବୋଲି ଅନୁମାନ କରାଯାଉଛି। ତେବେ ଇତିମଧ୍ୟରେ ମହାରାଷ୍ଟ୍ରର ଜଣେ କଂଗ୍ରେସ ନେତା ଏବଂ ରାଜ୍ୟର ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ଯେ ଅଜିତ ପାୱାର ୨ଟି ଅଫର ନେଇ ତାଙ୍କ କାକାଙ୍କ ପାଖକୁ ଆସିଥିଲେ। ଏଥି ମଧ୍ୟରୁ ଗୋଟିଏ ଅଫର ହେଉଛି କେନ୍ଦ୍ର କ୍ୟାବିନେଟରେ ଶରଦ ପାୱାରଙ୍କୁ ଜାଗା ମିଳିପାରେ।
ଶରଦ ପାୱାରଙ୍କୁ କୃଷି ମନ୍ତ୍ରୀ କରାଯାଇପାରେ କିମ୍ବା ତାଙ୍କୁ ନୀତି ଆୟୋଗ ଅଧ୍ୟକ୍ଷ ପଦ ମିଳିପାରେ। ଦ୍ବିତୀୟଟି ହେଉଛି ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେଙ୍କୁ କେନ୍ଦ୍ରରେ କିଛି ଗୁରୁତ୍ବପୂର୍ଣ୍ଣ ପଦବି ମିଳିପାରେ। ତେବେ ଉକ୍ତ ଘଟଣାରେ ପ୍ରତିକ୍ରିୟା ରଖି ୟୁବିଟି(ଶିବସେନା) ନେତା ସଂଜୟ ରାଉତ କହିଛନ୍ତି, ଅଜିତ ପାୱାର ଏତେ ବଡ଼ ନେତା ନୁହନ୍ତି ଯେ ସେ ଶରଦ ପାୱାରଙ୍କୁ ଅଫର୍ ଦେବେ। ସଂଜୟ ରାଉତ କହିଛନ୍ତି, ପାୱାର ସାହେବ ଅଜିତ ପାୱାରଙ୍କୁ ଗଢ଼ିଥିଲେ। ଅଜିତ ପାୱାର ଶରଦ ପାୱାରଙ୍କୁ ଗଢ଼ି ନାହାନ୍ତି। ଉକ୍ତ ଖବର ସଂକ୍ରାନ୍ତରେ ପ୍ରତିକ୍ରିୟା ରଖି ଶରଦ ପାୱାରଙ୍କ ଝିଅ ତଥା ଏନ୍ସିପି ନେତ୍ରୀ ସୁପ୍ରିୟା ସୁଲେ କହିଛନ୍ତି, ମତେ କେହି କିଛି ଅଫର୍ ଦେଇନାହାନ୍ତି କି ମୋ ସହ କେହି କଥା ହୋଇନାହାନ୍ତି। ସୁଲେ କହିଛନ୍ତି , ମହାରାଷ୍ଟ୍ରର କଂଗ୍ରେସ ନେତା କାହିଁକି ଏଭଳି ଟିପ୍ପଣୀ ଦେଇଛନ୍ତି ତାହା ସେ ଜାଣିନାହାନ୍ତି। ତେବେ ଶରଦ ପାୱାର କହିଛନ୍ତି, ଅଜିତଙ୍କ ସହ ତାଙ୍କର ବୈଠକ ଗୋପନୀୟ ନଥିଲା।
ଶରଦ ପାୱାର କହିଛନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ କ’ଣ କହିଛନ୍ତି ସେ ବିଷୟରେ ମୁଁ କିଛି ଜାଣିନି। ଅଜିତଙ୍କ ସହ ଏଭଳି କୌଣସି ଆଲୋଚନା ହୋଇନି। ପରିବାରର ମୁଖିଆ ଭାବେ ମୁଁ ପରିବାରର ସମସ୍ତ ସଦସ୍ୟଙ୍କ ସହ କଥା ହେଉଛି ବୋଲି ଶରଦ ପାୱାର କହିଛନ୍ତି। ଯାହା ଆଲୋଚନା ହେଉଛି ସବୁକିଛି ଗୁଜବ ଏବଂ ଏଥିରେ କୌଣସି ପ୍ରକାର ବାସ୍ତବତା ନାହିଁ। ପାୱାର କହିଛନ୍ତି, ଦଳରେ ମୁଁ ସବୁଠାରୁ ବରିଷ୍ଠତମ ବ୍ୟକ୍ତି । ମତେ କିଏ ଅଫର୍ ଦେବ। ତେବେ ମହାରାଷ୍ଟ୍ର କଂଗ୍ରେସ କହିଛି, ପରିବାର ସଦସ୍ୟଙ୍କୁ ଅନ୍ୟ କେଉଁଠି ଭେଟିବା କ'ଣ ଦରକାର ?