ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ପୂର୍ବରୁ ଗୁଜରାଟରେ ମିସନ୍ ସ୍କୁଲ କାର୍ଯ୍ୟକ୍ରମ ଆରମ୍ଭ ଅବସରରେ ଏକ ମଡେଲ ଶ୍ରେଣୀଗୃହକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରିଦର୍ଶନ କରିଛନ୍ତି। ପିଲାଙ୍କ ଗହଣରେ ମୋଦୀ ବସିଛନ୍ତି। ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦ୍ମୀ ପାର୍ଟିର ନଜରରୁ ଏହା ହଟିନାହିଁ। ଗୁଜରାଟରେ ଏହି ଦଳ ଏବେ ବିଜେପିର ବଡ଼ ପ୍ରତିଦ୍ବନ୍ଦ୍ବୀ ଭାବେ ଉଭା ହୋଇଥିବାବେଳେ ନିଜେ କେଜ୍ରିୱାଲ ଉକ୍ତ ଫଟୋକୁ ଟ୍ବିଟ୍ କରି ସରକାରୀ ସ୍କୁଲ ସଂପର୍କରେ କିଛି ଟିପ୍ପଣୀ ରଖିଛନ୍ତି।
କେଜ୍ରିୱାଲ କହିଛନ୍ତି, ସ୍ବାଧୀନତାର ୭୫ ବର୍ଷ ପରେ ଏହା ହୋଇଥାଇପାରେ। କିନ୍ତୁ ଆମେ ଖୁସି ଯେ ସରକାରୀ ବିଦ୍ୟାଳୟ ଏବଂ ଗରିବଙ୍କ ପାଇଁ ଉଦ୍ଦିଷ୍ଟ ଶିକ୍ଷାବ୍ୟବସ୍ଥା ଏବେ ରାଜନୈତିକ ଦଳଗୁଡ଼ିକର ଆଲୋଚନାର ମୁଖ୍ୟଅଙ୍ଗ ପାଲଟିଛି। ଏହା ଆମର ବଡ଼ ସଫଳତା ବୋଲି କେଜ୍ରିୱାଲ କହିଛନ୍ତି। ବିଦ୍ୟାଳୟରେ ପାଠପଢ଼ା ଚାଲିଥିବା ବେଳେ ମୋଦୀ ପିଲାଙ୍କ ଗହଣରେ ବସିଥିବା ଫଟୋରୁ ଜଣାପଡ଼ୁଛି। ଶ୍ରେଣୀଗୃହରେ ବସିବା ପରେ ସରକାରୀ ବିଦ୍ୟାଳୟର ଶିକ୍ଷକମାନଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଇଂରାଜୀ ଭାଷାକୁ କେନ୍ଦ୍ରକରି ରହିଥିବା ଦାସତ୍ବ ମାନସିକତାରୁ ଦେଶକୁ ନୂଆ ଶିକ୍ଷାନୀତି ମୁକ୍ତି ଦେବ। ତେବେ କେଜ୍ରିୱାଲ କହିଛନ୍ତି, ଆପ୍ର ବିଶେଷ ଜ୍ଞାନକୁ ଉପଯୋଗ କରି ପ୍ରଧାନମନ୍ତ୍ରୀ ଦେଶବ୍ୟାପୀ ସରକାରୀ ବିଦ୍ୟାଳୟଗୁଡ଼ିକର ଉନ୍ନତି କରିବା ଉଚିତ। ପ୍ରଧାନମନ୍ତ୍ରୀ ମହାଶୟ ଆମେ ଦିଲ୍ଲୀରେ ଶିକ୍ଷା ପାଇଁ ଅତି ସୁନ୍ଦର କାମ କରିଛୁ।
୫ ବର୍ଷରେ ଦିଲ୍ଲୀରେ ସବୁ ସରକାରୀ ସ୍କୁଲ ଅତିସୁନ୍ଦର ହୋଇଉଠିଛି। ସାରା ଦେଶର ସ୍କୁଲ ୫ ବର୍ଷରେ ଠିକ୍ ହୋଇପାରିବ। ଆମର ଅଭିଜ୍ଞତା ରହିଛି। ଆମକୁ ଏଥିପାଇଁ ସଂପୂର୍ଣ୍ଣ ମାତ୍ରାରେ ବ୍ୟବହାର କରନ୍ତୁ। ଦେଶପାଇଁ ଚାଲନ୍ତୁ ମିଳିମିଶି ଏହି କାମ କରିବା ବୋଲି କେଜ୍ରିୱାଲ ହିନ୍ଦୀ ଭାଷାରେ ଟ୍ବିଟ୍ କରିଛନ୍ତି। ଅନ୍ୟ ଏକ ଟ୍ବିଟ୍ରେ କେଜ୍ରିୱାଲ ଦିଲ୍ଲୀ ଶିକ୍ଷା ଓ ଅବକାରୀ ବିଭାଗ ଦାୟିତ୍ବରେ ଥିବା ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଶ୍ରେଣୀଗୃହରେ ବସିଥିବା ଫଟୋ ସହିତ ମୋଦୀ ପିଲାଙ୍କ ଗହଣରେ ବସିଥିବା ଫଟୋକୁ ପୋଷ୍ଟ କରିଛନ୍ତି। ଏଥିସହିତ ସେ ଲେଖିଛନ୍ତି, କେବଳ ନିର୍ବାଚନ ସମୟରେ ଶିକ୍ଷାକଥା ମନେ ପକାଯାଏ ନାହିଁ। ସବୁ ସରକାର ମିଳିତଭାବେ କାର୍ଯ୍ୟ କଲେ ମାତ୍ର ୫ ବର୍ଷରେ ସରକାରୀ ସ୍କୁଲଗୁଡ଼ିକ ମହାନ ହୋଇଉଠିବ।