ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ଶେଷ ମ୍ୟାଚ୍ ପୂର୍ବରୁ ଭାରତର ତାରକା ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗାଟ୍ ଅଯୋଗ୍ୟ ହୋଇଥିଲେ। ଏହି ଘଟଣା ଭାରତର ଲକ୍ଷ ଲକ୍ଷ କ୍ରୀଡା ପ୍ରଶଂସକଙ୍କୁ ଚକିତ କରିବା ସହିତ ଦୁଃଖିତ କରିଥିଲା। ଏହି ଘଟଣାରେ ଦୁଃଖିତ ଭିନେଶ ଫୋଗାଟ ମଧ୍ୟ ଖେଳରୁ ଅବସର ଘୋଷଣା କରିଥିଲେ।

Advertisment

ଭାରତର ଏହି ତାରକା ମହିଳା କୁସ୍ତି କ୍ରୀଡାପ୍ରେମୀଙ୍କ ବିପୁଳ ସମର୍ଥନ ରହିଛି। ବର୍ତ୍ତମାନ ଭିନେଶ ଫୋଗାଟଙ୍କୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି। ଭିନେଶ ହରିୟାଣାର ବାସିନ୍ଦା। ଆସନ୍ତା ୧-୨ ମାସ ମଧ୍ୟରେ ହରିୟାଣାରେ ରାଜ୍ୟସଭା ନିର୍ବାଚନ ଅନୁଷ୍ଠିତ ହେବ।

ଏଭଳି ପରିସ୍ଥିତିରେ ରାଜନୈତିକ ଦଳମାନେ ଭିନେଶଙ୍କୁ ନିଜ ନିଜ ଦଳରେ ସାମିଲ କରିବା ପାଇଁ ଖୋଲା ଅଫର ପ୍ରଦାନ କରିଛନ୍ତି। ରାଜନୀତିରେ ପ୍ରବେଶ କରିବାକୁ ଭିନେଶଙ୍କୁ ନେଇ ରାଜନ‌ୈତିକ ଦଳଙ୍କ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଛି।

ରାଜନୀତିରେ ପ୍ରବେଶ କରିବାକୁ ହରିୟାଣା କ୍ରୀଡା ମନ୍ତ୍ରୀ ସଞ୍ଜୟ ସିଂ ଭିନେଶଙ୍କୁ ଖୋଲା ନିମନ୍ତ୍ରଣ ଦେଇଛନ୍ତି। ସଞ୍ଜୟ ସିଂ କହିଛନ୍ତି ଯଦି ଭିନେଶ ଚାହାନ୍ତି ତେବେ ବିଜେପି ତାଙ୍କ ପାଇଁ ଟିକେଟ୍‌କୁ ନେଇ ବିଚାର କରିବ। ଭିନେଶଙ୍କ ସହ କ’ଣ ଘଟିଲା ସେ ନେଇ କୌଣସି ରାଜନୀତି ହେବା ଉଚିତ ନୁହେଁ।

ସେ କ୍ରୀଡା ଜାରି ରଖିବାକୁ କିମ୍ବା ରାଜନୀତିରେ ପ୍ରବେଶ କରିବାକୁ ଚାହୁଁଛନ୍ତି କି ନାହିଁ ତାହା ତାଙ୍କୁ ନିଜେ ନିଷ୍ପତ୍ତି ନେବାକୁ ପଡ଼ିବ। ଯଦି ଭିନେଶ ରାଜନୀତିକୁ ଆସନ୍ତି ତେବେ ବିଜେପି ତାଙ୍କୁ ଟିକେଟ ଦେବା ଏବଂ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚିନ୍ତା କରିବ। ଦଳ ତାଙ୍କୁ ସ୍ୱାଗତ କରିବ। କିନ୍ତୁ କ୍ରୀଡା ମନ୍ତ୍ରୀ ଭାବରେ ମୁଁ ଚାହୁଛି ଯେ ବିନେଶ ବର୍ତ୍ତମାନ ଖେଳିବା ଉଚିତ, ତାଙ୍କ ଖେଳ କ୍ୟାରିୟର ବାକି ଅଛି। ବିନେଶ ଫୋଗାଟ ହେଉଛି ରାଜ୍ୟ ତଥା ଦେଶର ଗର୍ବ।

କ୍ରୀଡ଼ା ମନ୍ତ୍ରୀ ସଞ୍ଜୟ ସିଂଙ୍କ ପୂର୍ବରୁ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଭୁପେନ୍ଦ୍ର ସିଂ ହୁଡା ମଧ୍ୟ ଭିନେଶଙ୍କୁ ରାଜ୍ୟସଭାକୁ ପଠାଇବା ବିଷୟରେ କହିଥିଲେ। ଭୁପେନ୍ଦ୍ର ସିଂ କହିଥିଲେ ଯଦି ଦଳର ପର୍ଯ୍ୟାପ୍ତ ସଂଖ୍ୟକ ବିଧାୟକ ଥାଆ;ନ୍ତି ତେବେ ସେ ଭିନେଶଙ୍କୁ ରାଜ୍ୟସଭାକୁ ପଠାଇଥାନ୍ତେ।

କଂଗ୍ରେସ ଏବଂ ବିଜେପି ବ୍ୟତୀତ ଜନସେବକ ଦଳର ସଂଯୋଜକ ତଥା ମହମ୍ ବିଧାୟକ ବଲରାଜ କୁଣ୍ଡୁ ଭିନେଶଙ୍କୁ କ୍ରୀଡ଼ା ମନ୍ତ୍ରୀ କରିବାକୁ ପ୍ରସ୍ତାବ ଦେଇଛନ୍ତି। ମହମ୍ ବିଧାୟକ କହିଛନ୍ତି ଯଦି ଭିନେଶ ଚାହିଁବେ ତେବେ ଦଳ ତାଙ୍କୁ ଟିକେଟ୍ ମଧ୍ୟ ଦେବ ଏବଂ ଜିତିବା ପରେ ତାଙ୍କୁ କ୍ରୀଡ଼ା ମନ୍ତ୍ରୀ ମଧ୍ୟ କରିବ।

ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଭୁପେନ୍ଦ୍ର ସିଂ ହୁଡାଙ୍କ ତରଫରୁ କୁହାଯାଇଥିଲା ଯେ ଭିନେଶଙ୍କୁ ରାଜ୍ୟସଭା ପଠାଯିବା ଉଚିତ। ଏହାକୁ ବିନେଶ ଫୋଗାଟଙ୍କ ବଡ଼ ବାପା ମହାବୀର ଫୋଗାଟ ତାଙ୍କ ପ୍ରତିକ୍ରିୟା ଦେଇଛନ୍ତି।

ମହାବୀର ଫୋଗାଟ କହିଛନ୍ତି ଯଦି ପୂର୍ବତନ ମୁଖ୍ୟମନ୍ତ୍ରୀ ଭିନେଶଙ୍କୁ ରାଜ୍ୟସଭାକୁ ପଠାଇବା କଥା କହୁଛନ୍ତି, ତେବେ ସେ ଗୀତା ଏବଂ ବବିତାଙ୍କୁ କାହିଁକି ପଠାଇ ନାହାନ୍ତି? ବବିତା ରୌପ୍ୟ ପଦକ ଜିତିଥିଲେ ଏବଂ ଗୀତା ୨୦୦୫ ତଥା ୨୦୧୦ କମନୱେଲଥ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ।

ତା’ପରେ ସରକାରୀ ନିୟମ ଅନୁଯାୟୀ ସେମାନଙ୍କୁ ଡିଏସପି କରାଯିବାରଥିଲା, କିନ୍ତୁ ଗୀତାଙ୍କୁ ଇନ୍ସପେକ୍ଟର ଏବଂ ବବିତାଙ୍କୁ ସବ-ଇନ୍ସପେକ୍ଟର କରାଯାଇଥିଲା। ପରେ ଗୀତା ଏବଂ ବବିତାଙ୍କୁ କୋର୍ଟରୁ ନ୍ୟାୟ ମିଳିଥିଲା।

ଭିନେଶ ଫୋଗେଟ୍ ବର୍ତ୍ତମାନ ଫ୍ରାନ୍ସରେ ଅଛନ୍ତି। ତାଙ୍କ ଅଯୋଗ୍ୟତା ବିରୋଧରେ ସେ କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟରେ ଆବେଦନ କରିଛନ୍ତି, ଯାହାର ବିଚାର ଏପର୍ଯ୍ୟନ୍ତ ହୋଇ ନାହିଁ। ଭିନେଶ ରାଜନୀତିରେ ପ୍ରବେଶ କରିବେ କି ନାହିଁ? ସେ ଏପର୍ଯ୍ୟନ୍ତ କ‌ୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ତେବେ ଖେଳରୁ ଅବସର ଘୋଷଣା କରିଛନ୍ତି। ଏଭଳି ପରିସ୍ଥିତିରେ ସମସ୍ତ ପ୍ରଶଂସକ ଜାଣିବାକୁ ଚାହାନ୍ତି ଯେ ତାଙ୍କର ପରବର୍ତ୍ତୀ ପଦକ୍ଷେପ କ’ଣ ହେବ? ବର୍ତ୍ତମାନ ସମସ୍ତେ ତାଙ୍କ ପ୍ରତିକ୍ରିୟାକୁ ଅପେକ୍ଷା କରିଛନ୍ତି।