ମସ୍କୋ : ମସ୍କୋଠାରେ ଆୟୋଜିତ ସାଂଘାଇ ସହଯୋଗ ସଂଘ(ଏସ୍ସିଓ) ସମ୍ମିଳନୀ ଅବସରରେ ଶୁକ୍ରବାର ସନ୍ଧ୍ୟାରେ ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତାଙ୍କ ଚୀନ ପ୍ରତିପକ୍ଷ ଵି ଫେଙ୍ଘେଙ୍କ ସହ ଲଦାଖ ସୀମାର ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଉଭୟ ସେନା ମଧ୍ୟରେ ଦେଖାଦେଇଥିବା ମୁହାଁମୁହିଁ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି। ଦୀର୍ଘ ୨ ଘଣ୍ଟା ୨୦ ମିନିଟ୍ କାଳ ଚାଲିଥିବା ଏହି ଆଲୋଚନାରେ ଶ୍ରୀ ସିଂହ ଗତ କିଛି ମାସ ଧରି ଗଲଵାନ୍ ଉପତ୍ୟକା ଏବଂ ପାଙ୍ଗଙ୍ଗ୍ ସୋ’ ହ୍ରଦ ସଂକ୍ରାନ୍ତ ଭାରତର ସ୍ଥିତିକୁ ସ୍ପଷ୍ଟ କରିବା ସହ ଦ୍ବିପାକ୍ଷିକ ସମ୍ପର୍କକୁ ମଧ୍ୟ ଗୁରୁତ୍ବ ଦେଇଛନ୍ତି। ବିଶେଷ କରି ପୂର୍ବ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖାର ବିଭିନ୍ନ ପ୍ରତିରୋଧାତ୍ମକ ସ୍ଥଳମାନଙ୍କରେ ପୂର୍ବର ସ୍ଥିତାବସ୍ଥା ଫେରାଇ ଆଣିବାକୁ ରାଜନାଥ ଦାବି କରିଛନ୍ତି। ଚୀନର ସୈନିକମାନେ ମାତ୍ରାଧିକ ସଂଖ୍ୟାରେ ଠୁଳ ହେବା ଏବଂ ସେମାନଙ୍କର ଆକ୍ରମଣାତ୍ମକ ମନୋଭାବ ସାଙ୍ଗକୁ ଏକତରଫା ଭାବେ ସ୍ଥିତାବସ୍ଥାରେ ପରିବର୍ତ୍ତନ ଉଦ୍ୟମ ହିଁ ଦ୍ବିପାକ୍ଷିକ ବୁଝାମଣାର ଉଲ୍ଲଂଘନ କରିଛି। ଏଥି ସହିତ ତାହା ଦୁଇ ଦେଶର ସ୍ବତନ୍ତ୍ର ପ୍ରତିନିଧି ଆଲୋଚନା ମାଧ୍ୟମରେ ପହଞ୍ଚିଥିବା ସହମତିକୁ ମଧ୍ୟ ଅସମ୍ମାନ କରୁଛି ବୋଲି ରାଜନାଥ ଆରୋପ ଲଗାଇଛନ୍ତି। ସେହିପରି ଭାରତୀୟ ଯବାନମାନେ ସର୍ବଦା ସୀମା ପରିଚାଳନାରେ ଭାରତର ସାର୍ବଭୌମତ୍ବ ଏବଂ କ୍ଷେତ୍ରୀୟ ଅଖଣ୍ଡତାକୁ ପ୍ରାଧାନ୍ୟ ଦେଇ ଏକ ଉତ୍ତରଦାୟୀ ଦୃଷ୍ଟିକୋଣ ଗ୍ରହଣ କରି ଆସିଛନ୍ତି ବୋଲି ସେ କହିଛନ୍ତି। ତେବେ ଦୁଇଦେଶର ମତଭେଦ କେବେ ଯେପରି ବିବାଦରେ ପରିଣତ ନହେଉ ବୋଲି ରାଜନାଥ ଆଶା ବ୍ୟକ୍ତ କରିଛନ୍ତି। ଆମ ଭିତରେ ଥିବା ଦ୍ବିପାକ୍ଷିକ ସମ୍ପର୍କରେ ଉନ୍ନତି ଆଣିବା ଲାଗି ସୀମାରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଏକାନ୍ତ ଅପରିହାର୍ଯ୍ୟ ହୋଇଥିବା ବେଳେ ସେଥିପାଇଁ ନେତୃତ୍ବର ସହମତିରୁ ପରାମର୍ଶ ଲୋଡ଼ିବା ମଧ୍ୟ ଜରୁରୀ। ଉଭୟ ପକ୍ଷ କୂଟନୈତିକ ଏବଂ ସାମରିକ ସ୍ତରୀୟ କଥାବାର୍ତ୍ତା ଜାରି ରଖି ଯେତେ ଶୀଘ୍ର ସମ୍ଭବ ନିୟନ୍ତ୍ରଣ ରେଖା ନିକଟରୁ ସୈନ୍ୟ ପ୍ରତ୍ୟାହାର ସହ ଉତ୍ତେଜନା ହ୍ରାସ ପାଇଁ ଚେଷ୍ଟିତ ହେବାକୁ ରାଜନାଥ ଇସାରା କରିଛନ୍ତି।
ଶାନ୍ତି ଫେରାଇ ଆଣିବା ପାଇଁ କଥାବାର୍ତ୍ତା ଜରୁରୀ: ରାଜନାଥ
/sambad/media/post_attachments/wp-content/uploads/2020/09/rajnath-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)