ରୁଷ୍‌ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଆଲୋଚନା ସକାରାତ୍ମକ ମୋଡ଼ ନେଇଛି: ପୁଟିନ୍‌

ଆଇନ ଦସ୍ତାବିଜ୍‌ ଆକାରରେ ୟୁକ୍ରେନକୁ ପ୍ରସ୍ତାବ ଦେଇଛି ରୁଷ୍‌

ମସ୍କୋ : ରୁଷ୍‌ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଆଲୋଚନା ସକାରାତ୍ମକ ମୋଡ଼ ନେଇଛି। କଥାବାର୍ତ୍ତାରେ କିଛିଟା ଅଗ୍ରଗତି ହୋଇଛି। ଶୁକ୍ରବାର ଏହା କହିଛନ୍ତି ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ। ବେଲାରୁଷ୍‌ ରାଷ୍ଟ୍ରପତି ଆଲେକଜାଣ୍ଡାର ଲୁକାସେଙ୍କୋଙ୍କ ସହିତ କ୍ରେମଲିନ ବୈଠକରେ ପୁଟିନ ଏହା କହିଛନ୍ତି ଯେ ପାଶ୍ଚାତ୍ୟ ଦେଶଗୁଡ଼ିକର କଟକଣା କୌଣସି ପ୍ରକାରେ ରୁଷ୍‌ର ବିକାଶକୁ ବାଧା ପହଞ୍ଚାଇବ ନାହିଁ। ବରଂ ରୁଷ୍‌ ଏହାଦ୍ବାରା ଅଧିକ ମଜଭୁତ ହେବ। ରାଜନୈତିକ ସ୍ତରରେ ୟୁକ୍ରେନ ସହିତ ଆଲୋଚନା ପ୍ରତିଦିନ ହେଉଛି। ଆଲୋଚନା ସକାରାତ୍ମକ ମୋଡ଼ ନେଇଛି ବୋଲି ରୁଷୀୟ ଆଲୋଚନାକାରୀମାନେ ତାଙ୍କୁ ସୂଚନା ଦେଇଛନ୍ତି। ମୁଁ ଏସବୁ ବିଷୟରେ ପରେ ବିସ୍ତୃତ ଭାବେ କହିବି ବୋଲି ପୁଟିନ କହିଛନ୍ତି। ତେବେ କ୍ରେମଲିନ ପକ୍ଷରୁ କୁହାଯାଇଛି ଯେ ମସ୍କୋର ଉଦ୍‌ବେଗ ଉପରେ ପାଶ୍ଚାତ୍ୟ ଦେଶଗୁଡ଼ିକ ପଦକ୍ଷେପ ନେଲେ ଯୁଦ୍ଧର ଅବସାନ ହେବ।

ରୁଷ୍‌ର ବିଦେଶ ମନ୍ତ୍ରୀ ସର୍ଗେଇ ଲାଭରୋଭ ଏବଂ ୟୁକ୍ରେନ ବିଦେଶ ମନ୍ତ୍ରୀ ଦି‌ମିଟ୍ରୋ କୁଲେବା ଗତ ଗୁରୁବାର ତୁର୍କୀଠାରେ ପରସ୍କରକୁ ଭେଟିଥିଲେ। ଫେବ୍ରୁଆରି ୨୪ରୁ ଯୁଦ୍ଧ ଆରମ୍ଭ ହେବା ଦିନଠାରୁ ଏହା ଥିଲା ସବୁଠୁ ଉଚ୍ଚସ୍ତରୀୟ ବୈଠକ। କିନ୍ତୁ ‌ଏହି ବୈଠକରେ ସୁଫଳ ମିଳି ନଥିଲା। ରୁଷ୍‌ର ୟୁକ୍ରେନ ଆକ୍ରମଣ ପରେ ୨୦ ଲକ୍ଷରୁ ଅଧିକ ଲୋକ ୟୁକ୍ରେନ ଛାଡ଼ି ପଳାଇଛନ୍ତି। ଏହାଦ୍ବାରା ଆଗାମୀ ଦିନରେ ବିଶ୍ବର ଦୁଇ ମହାଶକ୍ତି ଆମେରିକା ଓ ରୁଷ ମଧ୍ୟରେ ଅଧିକ ଉତ୍ତେଜନା ଦେଖାଦେବାର ଆଶଙ୍କା ରହିଛି। ଆକ୍ରମଣକୁ ୟୁକ୍ରେନୀୟମାନେ ଯେଭଳି ପ୍ରତିରୋଧ କରୁଛନ୍ତି ସେଥିରେ ରୁଷ୍‌ ଚକିତ ହୋଇଛି ବୋଲି ଆମେରିକାର ଗୁଇନ୍ଦା ଅଧିକାରୀମାନେ କହିଛନ୍ତି।

ଆଇନ ଦସ୍ତାବିଜ୍‌ ଆକାରରେ ୟୁକ୍ରେନକୁ ପ୍ରସ୍ତାବ ଦେଇଛି ରୁଷ୍‌
ମସ୍କୋ : ରୁଷ୍‌ ଓ ୟୁକ୍ରେନ ମଧ୍ୟରେ ହୋଇଥିବା ତୃତୀୟ ପର୍ଯ୍ୟାୟ ଆଲୋଚନାବେଳେ ରୁଷ୍‌ ପକ୍ଷରୁ ୟୁକ୍ରେନ ପ୍ରତିନିଧି ମଣ୍ଡଳୀକୁ ଯେଉଁସବୁ ପ୍ରସ୍ତାବ ଦିଆଯାଇଛି ତାହା ଆଇନ ଦସ୍ତାବିଜ୍‌ ଆକାରରେ ପ୍ରଦାନ କରାଯାଇଛି। ରୁଷ୍‌ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ବେଲାରୁଷ୍‌ଠାରେ ଅନୁଷ୍ଠିତ ଆଲୋଚନାରେ କେତେକ ସ୍ପଷ୍ଟ ପ୍ରସ୍ତାବ ଆଇନଗତ ଚିଠା ଦସ୍ତାବିଜ ଆକାରରେ ଦିଆଯାଇଛି। ୟୁକ୍ରେନୀୟ ପ୍ରତିନିଧିମଣ୍ଡଳୀ ସେସବୁକୁ କିବ୍‌ ‌ନେଇ ତାହା ଉପରେ ଆଲୋଚନା କରିବେ । ରୁଷ୍‌ ଓ ୟୁକ୍ରେନ ମଧ୍ୟରେ ଗତ ସୋମବାର ତୃତୀୟ ପର୍ଯ୍ୟାୟ ଆଲୋଚନା ହୋଇଥିଲା। ବେଲାରୁଷ୍‌ରେ ହୋଇଥିବା ଏହି ଆଲୋଚନାରେ ଶାନ୍ତି ପାଇଁ କୌଣସି ରାସ୍ତା ବାହାରି ନିଥିଲା। ୟୁକ୍ରେନ ପ୍ରତିନିଧିମଣ୍ଡଳୀର ଜଣେ ସଦସ୍ୟ ମାଇ‌ଖାଇଲୋ ପୋଡୋଲୟାକ କହିଛନ୍ତି ମାନବୀୟ କରିଡରରେ ପରିବହନ ସଂକ୍ରାନ୍ତରେ କିଛିଟା ଅଗ୍ରଗତି ହୋଇଛି। ମୁଖ୍ୟ ରାଜନୈତିକ ପ୍ରତିବନ୍ଧକ ଉପରେ ବ୍ୟାପକ ବିଚାରବିମର୍ଶ ହୋଇଥିବା ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର