ନୂଆଦିଲ୍ଲୀ: ପୂର୍ବ ଲଦାଖ ସୀମାରୁ ଚୀନ୍ ସେନା ପଛକୁ ଦୁଇ କିମି ହଟିବା ପ୍ରକ୍ରିୟାର ସମୀକ୍ଷା ସହ ସରକାରଙ୍କ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ଭାରତର ଜାତୀୟ ନିରାପତ୍ତା ପରାମର୍ଶଦାତା ଅଜିତ୍ ଡୋଭାଲଙ୍କ ନେତୃତ୍ବରେ ଆଜି ଦେଶର ଶୀର୍ଷ ରଣନୀତିକ ମଣ୍ଡଳୀର ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା। ସୀମାରେ ଉତ୍ତେଜନା ହ୍ରାସ ପାଇଁ ଗତ ରବିବାର ଡୋଭାଲଙ୍କ ସହ ଚୀନୀ ବିଦେଶ ମନ୍ତ୍ରୀ ଵାଙ୍ଗ ଵିଙ୍କ ଆଲୋଚନାର ଅଂଶ ସ୍ବରୂପ ଚୀନୀ ସେନା ତିନିଟି ମୁହାଁମୁହିଁ ସ୍ଥଳରୁ ପଛକୁ ହଟିବା ପରେ ଏହି ପ୍ରଥମ ସମୀକ୍ଷା ବୈଠକ ବସିଥିଲା। ଏଥିରେ କ୍ୟାବିନେଟ ସଚିବ ରାଜୀବ ଗୌବା ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟ, ବିଦେଶ ମନ୍ତ୍ରଣାଳୟ ଓ ଗୃହ ମନ୍ତ୍ରଣାଳୟର କାର୍ଯ୍ୟକର୍ତ୍ତାଙ୍କ ସମେତ କିଛି ବରିଷ୍ଠ ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ।
ଉପସ୍ଥିତ ସାମରିକ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଗଲଵାନ ଉପତ୍ୟକାର ୧୪ ନଂ ପାଟ୍ରୋଲିଂ ପଏଣ୍ଟ୍ ଉଷ୍ଣ ପ୍ରସ୍ରବଣ ଇଲାକାର ୧୫ ନଂ ପାଟ୍ରୋଲିଂ ପଏଣ୍ଟ୍ ଏବଂ ଗୋଗ୍ରାର ୧୭ ନଂ ପାଟ୍ରୋଲିଂ ପଏଣ୍ଟ୍ ଠାରୁ ଚୀନୀ ସେନା ପ୍ରାୟ ଦେଢ଼ କିମି ପଛକୁ ହଟିଛନ୍ତି। ତେବେ ସମ୍ପ୍ରତି ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ନିୟୋଜିତ ଚୀନୀ ସେନାଙ୍କ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ସେହିପରି ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଭାରତୀୟ ସେନା ପକ୍ଷରୁ ମଧ୍ୟ କୌଣସି ଅପ୍ରୀତିକର ପରିସ୍ଥିତିର ମୁକାବିଲା ପାଇଁ ଶକ୍ତି ବଢ଼ାଯାଇଥିବା ସୂଚନା ମିଳିଥିଲା। ଅପରପକ୍ଷେ, ଲଦାଖର ୧୫୯୭ କିମି ଦୀର୍ଘ ସୀମା ସମେତ ଅରୁଣାଚଳପ୍ରଦେଶର ୧୧୨୬ କିମି ସୀମାର ଯେ କୌଣସି ବି ଅଞ୍ଚଳରୁ ଚୀନୀ ସୈନ୍ୟମାନେ ପଛକୁ ହଟିବା ଜରୁରୀ ବୋଲି ଉକ୍ତ ସମୀକ୍ଷା ବୈଠକରେ ମତ ପ୍ରକାଶ ପାଇଥିଲା।
ଅପରପକ୍ଷେ, ଏହି ଉତ୍ତେଜନା ହ୍ରାସ ପ୍ରକ୍ରିୟା ସମ୍ପର୍କରେ ପରବର୍ତ୍ତୀ ଆଲୋଚନା ପାଇଁ ଆସନ୍ତାକାଲି ଦୁଇ ଦେଶର କୂଟନୈତିକ ସ୍ତରୀୟ ବୈଠକ ବସିବ ବୋଲି ଜଣାଯାଇଛି। ଏଥିରେ ବୈଦେଶିକ ମନ୍ତ୍ରଣାଳୟର ଯୁଗ୍ମ ସଚିବ ନବୀନ ଶ୍ରୀବାସ୍ତବ ଓ ଚୀନୀ ପ୍ରତିପକ୍ଷ ଉ ଜିଆଙ୍ଘାଓ ପରସ୍ପରକୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏ ଦୁଇ କୂଟନୀତିଜ୍ଞଙ୍କର ଶେଷ ବୈଠକ ଗତ ମାସ ୨୪ ତାରିଖରେ ବସିଥିବା ବେଳେ ସେଥିରେ ଉତ୍ତେଜନା ହ୍ରାସ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଉଭୟ ସହମତ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/Doval1-1.jpg)