ଚାଷୀ ସଂଗଠନ ସହ ଆଲୋଚନା, ଖୁବ୍‌ ଶୀଘ୍ର ସମାଧାନ ପନ୍ଥା ବାହାରିବ: କେନ୍ଦ୍ର କୃଷିମନ୍ତ୍ରୀ

ହରିୟାଣା ମୁଖ୍ୟମନ୍ତ୍ରୀଙ୍କୁ କଳାପତାକା ଦେଖାଇଲେ ଆନ୍ଦୋଳନରତ ଚାଷୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଚାଲିଥିବା ଚାଷୀ ଆନ୍ଦୋଳନ ଆଜି ୨୭ ଦିନରେ ପହଞ୍ଚିଛି। କୃଷି ଆଇନ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବିରେ କୃଷକ ସଂଗଠନ ଅଡ଼ି ବସିଥିବା ବେଳେ ସରକାର ନୂଆ ଆଇନ ପ୍ରତ୍ୟାହାର ହେବନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଏଭଳି ଅଚଳାବସ୍ଥା ଯୋଗୁଁ କୌଣସି ସମା‌ଧାନର ପନ୍ଥା ବାହାରିପାରୁନି। ତେବେ ଆଜି କୃଷି ଭବନ ପରିସରରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଏବଂ ଚାଷୀ ନେତାଙ୍କ ମଧ୍ୟରେ ଏକ ବୈଠକ ହୋଇଥିଲା। ଚାଷୀ ସଂଗଠନ ଖୁବ୍‌ ଶୀଘ୍ର ସରକାରଙ୍କ ସହ ଆଲୋଚନା ପାଇଁ ସକରାତ୍ମକ ଆଭିମୁଖ୍ୟ ପ୍ରଦର୍ଶନ କରିବେ ଏବଂ ଖୁବ୍‌ ଶୀଘ୍ର ସମାଧାନର ପନ୍ଥା ବାହାରିବ ବୋଲି କୃଷିମନ୍ତ୍ରୀ ତୋମାର କହିଛନ୍ତି।

କୃଷି ଆଇନକୁ ଉତ୍ତରପ୍ରଦେଶ ଚାଷୀଙ୍କ ସମର୍ଥନ କରୁଛନ୍ତି: ତୋମାର
ପ୍ରଧାନମନ୍ତ୍ରୀଙ୍କୁ ରକ୍ତରେ ଚିଠି ଲେଖିଲେ ଚାଷୀ

ଆଜି ଆନ୍ଦୋଳନରତ କୃଷକ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟରଙ୍କୁ କଳାପତାକା ଦେଖାଇଛନ୍ତି। ଆମ୍ବାଲା ସହର ଦେଇ ମୁଖ୍ୟମନ୍ତ୍ରୀ ଖଟ୍ଟରଙ୍କ ଗାଡ଼ି ଯାଉଥିବା ବେଳେ କୃଷକମାନେ କଳାପତାକା ଦେଖାଇଥିଲେ। କିଛି କୃଷକ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ିକୁ ଅବରୋଧ କରିବାକୁ ଉଦ୍ୟମ କରିଥିଲେ। ମାତ୍ର ପୁଲିସ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ିକୁ ସୁରକ୍ଷିତ ଭାବେ ବାହାର କରିବାରେ ସଫଳ ହୋଇଥିଲା। ଆଜି ଆନ୍ଦୋଳନରତ କୃଷକ ଦିଲ୍ଲୀ-ହରିୟାଣା, ଦିଲ୍ଲୀ-ଉତ୍ତରପ୍ରଦେଶ ସୀମାର ବିଭିନ୍ନ ସ୍ଥାନରେ ୨୪ ଘଣ୍ଟିଆ ରିଲେ ଅନଶନ କରିଛନ୍ତି। ଆଜି ଦିଲ୍ଲୀର ବିଭିନ୍ନ ସୀମାରେ ଆନ୍ଦୋଳନ ଯୋଗୁଁ ନୋଏଡା, ଗାଜିଆବାଦ ଏବଂ ଦିଲ୍ଲୀ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ରହିଥିଲା। କୃଷି ଆଇନକୁ ଉତ୍ତରପ୍ରଦେଶର ଚା‌ଷୀମାନେ ସମର୍ଥନ ଜଣାଇଛନ୍ତି ବୋଲି ଆଜି କେନ୍ଦ୍ର କୃଷିମନ୍ତ୍ରୀ ତୋମାର କହିଛନ୍ତି। ଏମିତିକି କୃଷି ଆଇନରେ କୌଣସି ସଂଶୋଧନ ନ ଆଣିବାକୁ ଉତ୍ତରପ୍ରଦେଶ ଚାଷୀମାନେ ଅନୁରୋଧ କରିଛନ୍ତି ବୋଲି ତୋମାର କହିଛନ୍ତି। କେରଳରେ କେନ୍ଦ୍ର କୃଷି ଆଇନକୁ ବିରୋଧ କରି ବିଧାନସଭାରେ ସ୍ବତନ୍ତ୍ର ଅଧିବେଶନ ପାଇଁ ସରକାର ଦେଇଥିବା ପ୍ରସ୍ତାବକୁ ରାଜ୍ୟପାଳ ଆରିଫ୍‌ ମହମ୍ମଦ ଖାନ୍‌ ପ୍ରତ୍ୟାଖ୍ୟାନ କରିଛନ୍ତି। ଅପରପକ୍ଷେ, କୃଷି ଆଇନ ପ୍ରତ୍ୟାହାର କରିବାକୁ ଆଜି କୃଷକମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିକଟକୁ ରକ୍ତରେ ଚିଠି ଲେଖିଛନ୍ତି। ଶତାଧିକ କୃଷକ ରକ୍ତରେ ଚିଠି ଲେଖି କୃଷି ଆଇନକୁ ପ୍ରତ୍ୟହାର କରିବାକୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର