‘ଜୟ ଯବାନ, ଜୟ କିଷାନ’: ଯବାନ ଭାଇଙ୍କ ପ୍ରତିଶୋଧ ନେବାକୁ ଅଣ୍ଟା ଭିଡ଼ିଲେ କୃଷକ, କ୍ଷତି ସହିଲେ ବି ପାକିସ୍ତାନକୁ ଯିବନି ଟମାଟର୍‌

ପୁଲଓ୍ଵାମା: ଜମ୍ମୁ-କଶ୍ମୀରର ପୁଲୱାମାଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଦେଶର କୋଣଅନୁକୋଣରୁ ଶୁଭୁଛି ବିଦ୍ରୋହର ସ୍ୱର। ଶତ୍ରୁ ଦେଶ ପାକିସ୍ତାନ କିପରି ପ୍ରତିଶୋଧ ନିଆଯାଇ ପାରିବ ସେ ନେଇ କାହାରି ଆଖିରେ ନିଦ ନାହିଁ। ଏବେ ପାକିସ୍ତାନକୁ ଉଚିତ ଜବାବ ଦେବାକୁ ଅଣ୍ଟା ଭିଡ଼ିଛନ୍ତି ଦେଶର କୃଷକ ଭାଇମାନେ।

ମଧ୍ୟପ୍ରଦେଶର ଝାବୁଆ ଜିଲ୍ଲାର କୃଷକମାନେ ‘ଜୟ ଯବାନ, ଜୟ କିଷାନ’ ସ୍ଲୋଗାନ ଦେଇ ପାକିସ୍ତାନକୁ ବିଲାତି ବାଇଗଣ ପଠାଇବେ ନାହିଁ ବୋଲି ସ୍ଥିର କରିଛନ୍ତି। ଟମଟର୍‌ ପଚିବା ପରିସ୍ଥିତିକୁ ଆସିଗଲେ ବି ତାହ ଶତ୍ରୁ ଦେଶକୁ ବିକ୍ରି କରାଯିବ ନାହିଁ ବୋଲି କୃଷକମାନେ ନିଷ୍ପତ୍ତି ନେଇଛନ୍ତି।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ, ରପ୍ତାନି ହେଉଥିବା ଟମାଟର୍‌ ଝାବୁଆ ଜିଲ୍ଲାରେ ପେଟଲାବଦରେ ଚାଷ କରାଯାଏ। ପାକିସ୍ତାନରେ ଝାବୁଆ ଜିଲ୍ଲା ଟମାଟର୍‌ର ବେଶ୍‌ ଚାହିଦା ରହିଛି। ଆଉ ପେଟଲାବଦର କୃଷକମାନେ ଟମାଟର୍‌ ଚାଷ ଉପରେ ପୂରାପୂରି ର୍ନିଭରଶୀଳ। ହେଲେ କୃଷକମାନେ ଏବେ ଲାଭ ନ ଦେଖି ପାକିସ୍ତାନକୁ ଟମାଟର୍‌ ପଠାଇବା ପାଇଁ ମନା କରିଦେଇଛନ୍ତି। ଦେଶଭକ୍ତିକୁ ଅଧିକ ମହତ୍ୱ ଦେଇଛନ୍ତି ପେଟଲାବଦ କୃଷକ। ସ୍ଥାନୀୟ ବଜାରରେ ଟମାଟର୍‌ ବିକ୍ରି କଲେ ସେମାନଙ୍କୁ ୧୦ ଟଙ୍କା ମିଳେ କିନ୍ତୁ ପାକିସ୍ତାନକୁ ରପ୍ତାନି କରିବା ଦ୍ୱାରା ସେମାନଙ୍କୁ କିଲୋ ପ୍ରତି ୪୦ ଟଙ୍କା ମିଳେ। କୃଷକମାନେ କ୍ଷତି ସହିବାକୁ ପ୍ରସ୍ତୁତ ଅଛନ୍ତି କିନ୍ତୁ ପାକିସ୍ତାନକୁ ଟମାଟର୍‌ ଦେବାକୁ ପ୍ରସ୍ତୁତ ନାହାଁନ୍ତି।

ଉଲ୍ଲେଖଯୋଗ୍ୟ, ଗୁରୁବାର ହୋଇଥିବା ଆକ୍ରମଣରେ ଦେଶ ୪୦ ଜଣ ବୀର ପୁତ୍ରକୁ ହରାଇଛି। ସାରା ଦେଶର ଲୋକ କ୍ରୋଧରେ ଜର୍ଜରିତ ହୋଇ ଅଛନ୍ତି। ଚାରିଆଡ଼େ ପ୍ରତିଶୋଧର ନିଆଁ ଜଳୁଛି। ପାକିସ୍ତାନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରମ୍ବାର କହୁଛନ୍ତି। ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନି, ପାକିସ୍ତାନକୁ ଉଚିତ ଜବାବ ମିଳିବ ବୋଲି ମୋଦି କହୁଛନ୍ତି। ଦେଶର ବିକାଶଧାରା ବରଂ ପଛରେ ଥାଉ ଯବାନଙ୍କ ପ୍ରାଣବଳି ବ୍ୟର୍ଥ ନ ଯାଉ ବୋଲି ଦାବି କରୁଛନ୍ତି ଜନତା। ସରକାର ମଧ୍ୟ ଇଟାର ଜବାବ ପଥରରେ ଦେବାପାଇଁ ଲାଗି ପଡ଼ିଛନ୍ତି।

ସମ୍ବନ୍ଧିତ ଖବର