କାର୍‌ ଦୁର୍ଘଟଣାରେ ପ୍ରାଣ ହରାଇଲେ ତାମିଲ ଅଭିନେତା-ନିର୍ଦ୍ଦେଶକ ସରନ୍ ରାଜ, ମଦ୍ୟପ ଅଭିନେତାଙ୍କ ଗାଡ଼ି ଧକ୍କା ଦେଇଥିଲା

ଚେନ୍ନାଇ: ନିର୍ଦ୍ଦେଶକ ତଥା ଅଭିନେତା ସରନ୍ ରାଜ ଆଉ ନାହାନ୍ତି। ଦକ୍ଷିଣୀ ସିନେ-ଶିଳ୍ପର ଏହି ଅଭିନେତା ଏକ ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜଣାପଡିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୯ ବର୍ଷ ହୋଇଥିଲା।

ରିପୋର୍ଟରୁ ପ୍ରକାଶ, ଜୁନ୍‌ ୮ ତାରିଖ ରାତି ପ୍ରାୟ ସାଢ଼େ ୧୧ଟାରେ ଚେନ୍ନାଇର କେକେ ନଗରରେ ଘଟିଥିବା ଏକ ମର୍ମନ୍ତୁଦ କାର୍‌ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ସରନ୍ ରାଜ। ସେ ଏକ ବାଇକ୍‌ରେ ଘରକୁ ଫେରୁଥିବା ବେଳେ ସାଥୀ ସହଯୋଗୀ ଅଭିନେତା ପଲାନିଅପ୍ପନଙ୍କ କାର୍‌ ସହ ଧକ୍କା  ହେବାରୁ ସେ ଗୁରୁତର ଆହତ ହୋଇ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ। ମିଳିଥିବା ସୂଚନା ଅନୁଯାୟୀ, ପାଲାନିଅପ୍ପନ କାର୍‌ ଚଳାଉଥିବା ସମୟରେ ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ ଥିଲେ।

ମଦୁରାଭୋଲର ଧନଲକ୍ଷ୍ମୀ ସାହିରେ ରହୁଥିବା ସରନ୍ ରାଜ ରାତି ସାଢ଼େ ୧୧ଟାରେ କେକେ ନଗରର ଆର୍କୋଟ ରୋଡ୍‌ ଦେଇ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ସ୍ଥାନୀୟ ଲୋକେ ଏହି ମର୍ମନ୍ତୁଦ ଦୁର୍ଘଟଣା ସମ୍ପର୍କରେ ପୁଲିସକୁ ସୂଚନା ଦେବା ପରେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ସରନ୍ ରାଜଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଘଟଣା ସଂପର୍କରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ପୁଲିସ ତଦନ୍ତ ବେଳେ ଜଣାପଡିଛି ଯେ ତାମିଲ ସିନେମା ଇଣ୍ଡଷ୍ଟ୍ରିର ଜଣେ ସହକାରୀ ଅଭିନେତା ଥିବା ପଲାନିଅପ୍ପନ ନିଶାସକ୍ତ ଅବସ୍ଥାରେ କାର୍‌ଟିକୁ ଚଳାଉଥିବା ବେଳେ କାର୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପୁଲିସ୍‌ ପଲାନିଅପ୍ପନଙ୍କୁ ଏହି ମାମଲାରେ ଗିରଫ କରିଛି।

ସମ୍ବନ୍ଧିତ ଖବର