ଚେନ୍ନାଇ, ୨୧|୧୦: ଗତ ଦୀପାବଳି ଅବସରରେ ମୁକ୍ତିଲାଭ କରିଥିବା ତାମିଲ ଚଳଚ୍ଚିତ୍ର ‘ମେର୍ସାଲ୍’କୁ ନେଇ ଏବେ ବିବାଦ ଦେଖାଯାଇଛି। ଏଥିରେ ଡିଜିଟାଲ୍ ଇଣ୍ଡିଆ ଏବଂ ଜିଏସ୍ଟିକୁ ବିରୋଧ କଲା ଭଳି ରହିଥିବା କିଛି ଦୃଶ୍ୟକୁ ହଟାଇଦେବାକୁ ବିଜେପି ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିବା ବେଳେ ବିରୋଧୀ ଦଳମାନେ ଏହାକୁ ତୀବ୍ର ସମାଲୋଚନା କରିଛନ୍ତି। ଏପରିକି ସଂପୃକ୍ତ ଦୃଶ୍ୟଗୁଡ଼ିକୁ ହଟାଇନେବା ଲାଗି ଏହାର ନିର୍ମାତା ଏକ ରକମ ରାଜି ହୋଇଥିବା ବେଳେ ଦେଶରେ ଗଠନମୂଳକ ମତପ୍ରକାଶକୁ କଣ୍ଠରୋଧ କରିବା ପାଇଁ ଏହା ବିଜେପିର ଉଦ୍ୟମ କହି ବିଭିନ୍ନ ରାଜନୈତିକ ଦଳ ଏବଂ ଅଭିନେତାମାନେ ଏହା ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି।
ପ୍ରଖ୍ୟାତ ତାମିଲ ଅଭିନେତା ଇଲାୟାଥାଲାପତି ବିଜୟଙ୍କ ଅଭିନୀତ ଏହି ଚଳଚ୍ଚିତ୍ରରେ ଭାରତୀୟ ଭେଷଜ ଶିଳ୍ପରେ ଦେଖାଦେଇଥିବା ଦୁର୍ନୀତି ସମ୍ପର୍କରେ ଆଲୋକପାତ କରାଯାଇଛି। ଅଟଲୀଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ବିଜୟ ଜଣେ ଡାକ୍ତର, ଜଣେ ଜାଦୁଗର ଏବଂ ଜଣେ ଗ୍ରାମ୍ୟ ନେତା ଭାବରେ ତିନିଟି ଭୂମିକାରେ ଅଭିନୟ କରିଛନ୍ତି। ଚଳଚ୍ଚିତ୍ରରେ ଡାକ୍ତର ଓ ଜାଦୁଗର ମିଶି ସମାଜରେ ଦେଖାଦେଇଥିବା ଏକ ବିରାଟ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ କରିଛନ୍ତି। ତେବେ ଏହି ଅବସରରେ ସେମାନେ ଭାରତୀୟ ଚିକିତ୍ସା ଶିଳ୍ପରେ ହେଉଥିବା ଦୁର୍ନୀତିର ପର୍ଦ୍ଦାଫାସ ମଧ୍ୟ କରିଛନ୍ତି। ତେବେ ବିବାଦର ବିଷୟ ହେଲା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉଦ୍ଘାଟିତ ଡିଜିଟାଲ୍ ଇଣ୍ଡିଆ ଏବଂ ଜିଏସ୍ଟି ଘଟଣାକୁ ପରିହାସ କଲା ଭଳି କିଛି ଦୃଶ୍ୟ ଏଥିରେ ରହିଛି। ଚଳଚ୍ଚିତ୍ରଟି କେନ୍ଦ୍ର ସରକାରଙ୍କ ସଂପୃକ୍ତ ଦୁଇଟିଯାକ ପଦକ୍ଷେପ ସମ୍ପର୍କରେ ଭୁଲ୍ ଧାରଣା ଆଣିବ ଆଶଙ୍କା କରି ଗୁରୁବାର ତାମିଲନାଡୁ ବିଜେପି ମୁଖ୍ୟ ଟି ସୌନ୍ଦରାଜନ୍ ସେହି ସବୁ ଦୃଶ୍ୟକୁ ହଟାଇଦେବା ଲାଗି ଦାବି କରିଥିଲେ।

ତେବେ ତାମିଲ୍ ସଂସ୍କୃତି ଓ ଭାଷାର ଏହି ସିନେମାକୁ ମୋଦି ମହାଶୟ ଆଉ ଭୟଭୀତ କରାନ୍ତୁନି ବୋଲି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ୍ ଗାନ୍ଧୀ ଟ୍ଵିଟ୍ କରି କହିଛନ୍ତି। ସେହିପରି ଚଳଚ୍ଚିତ୍ର ନିର୍ମାତାମାନେ କେବଳ ସରକାରଙ୍କୁ ପ୍ରଶଂସା କରି ବୃତ୍ତଚିତ୍ର ନିର୍ମାଣ କରିବାକୁ ଆଇନ ଆସିବ ବୋଲି ପ୍ରାକ୍ତନ ଅର୍ଥମନ୍ତ୍ରୀ ପି. ଚିଦାବରମ୍ ଆକ୍ଷେପ କରିିଛନ୍ତି। ଗାଣତନ୍ତ୍ରିକ ବିଚାରାଧାରାର ଏହା ବିରୁଦ୍ଧାଚରଣ ବୋଲି ଡିଏମ୍କେ ନେତା ଷ୍ଟାଲିନ କହିଛନ୍ତି। କଳାତ୍ମକ ସ୍ୱାଧୀନତା ଉପରେ ଏହା ଆକ୍ରମଣ ବୋଲି ଅଭିନେତା କମଲ ହାସନ, ଖୁସବୁ ଏବଂ ଅରବିନ୍ଦ ସ୍ୱାମୀ ପ୍ରମୁଖ କହିଛନ୍ତି।