କୋଏମ୍ବଟୁରରୁ ନିର୍ବାଚନ ଲଢ଼ିବେ କମଲ୍ ହାସନ୍, ବାପାଙ୍କ ସ୍ବପ୍ନକୁ ମନେ ପକାଇ କହିଲେ ଏଭଳି କଥା

ଚେନ୍ନାଇ: ଅଭିନେତାରୁ ନେତା ହୋଇଥିବା ସାଉଥ୍ ସିନେମାର ମେଗାଷ୍ଟାର କମଲ ହାସନ ଏପ୍ରିଲ ୬ରେ ହେବାକୁ ଥିବା ତାମିଲନାଡୁ ବିଧାନସଭା ନିର୍ବାଚନରେ କୋଏମ୍ବଟୁର (ଦକ୍ଷିଣ) ଆସନରୁ ଲଢ଼ିବାକୁ ଯାଉଛନ୍ତି। ତାଙ୍କ ଦଳ ମକ୍କଲ ନିଧି ମୟିୟମ୍ (ଏମଏନଏମ) ପକ୍ଷରୁ ଜାରି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାର କମଲ ହାସନଙ୍କ ନାମ ପ୍ରକାଶ ପାଇଛି। ଫଳରେ ଭୋଟ ରାଜନୀତିକୁ ସେ ଓହ୍ଲାଇବା ସ୍ପଷ୍ଟ ହୋଇଛି। ଏହା ପୂର୍ବରୁ ପାର୍ଟିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୭୦ ଜଣଙ୍କ ନାମ ଜାରି ହୋଇସାରିଛି।

ଏହି ଅବସରରେ କମଲ ହାସନ ନିଜ ସ୍ବର୍ଗତଃ ପିତା ଶ୍ରୀନିବାସନଙ୍କୁ ମନେ ପକାଇ କହିଛନ୍ତି, ‘ମୋ ବାପାଙ୍କ ସ୍ବପ୍ନ ଥିଲା ମୁଁ ଜଣେ ଆଇଏଏସ ଅଧିକାରୀ ହେବି। ତା’ପରେ ଯାଇ ରାଜନୀତିରେ ପ୍ରବେଶ କରିବି। ମୁଁ ତାଙ୍କ ସ୍ବପ୍ନକୁ ବୁଝି ପାରି ନ ଥିଲି। ଏବେ କିନ୍ତୁ ସେ ଦିଗରେ ଆଗକୁ ବଢ଼ିଛି। ମୁଁ ସିନା ଆଇଏଏସ୍ ହୋଇପାରିନି କିନ୍ତୁ ମୋ ଦଳରେ ଅନେକ ପୂର୍ବତନ ଆଇଏଏସ ସାମିଲ ରହିଛନ୍ତି। ଏହା ମୋ ପାଇଁ ଗୌରବର କଥା। ମୋର ବିଶ୍ବାସ ଅଛି କି ନିର୍ବାଚନ ମଣ୍ଡଳୀର ଲୋକମାନେ ଭୋଟ ଦେଇ ମୋତେ ବିଧାନସଭାରେ ବିଚାର ରଖିବାକୁ ସକ୍ଷମ କରିବେ।’

ଚଳିତ ନିର୍ବାଚନରେ ଏମଏନଏମ ପକ୍ଷରୁ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ପୂର୍ବତନ ସହଯୋଗୀ ପୋନରାଜଙ୍କୁ ଚେନ୍ନାଇର ଅନ୍ନାନଗର ଆସନ ପାଇଁ ଟିକେଟ ଦିଆଯାଇଛି। ସେହିପରି ପୂର୍ବତନ ଆଇଏଏସ ସନ୍ତୋଷ ବାବୁଙ୍କୁ ବଲ୍ଲିବକ୍କମ ସିଟ ପାଇଁ ପ୍ରାର୍ଥୀ କରାଯାଇଛି। କମଲ ହାସନଙ୍କ ପାର୍ଟି ରାଜ୍ୟରେ ୧୫୪ଟି ଆସନରେ ଲଢ଼ୁଛି।

ସମ୍ବନ୍ଧିତ ଖବର