କୃଷକଙ୍କ ହିତରେ ତାମିଲନାଡୁ ସରକାରଙ୍କ ବଡ ନିଷ୍ପତ୍ତି, ଛାଡ କଲେ ୧୨,୧୧୦ କୋଟି ଟଙ୍କାର କୃଷି ଋଣ

୧୬.୧୩ ଲକ୍ଷ ଚାଷୀ ହେବେ ଉପକୃତ

ଚେନ୍ନାଇ: ତାମିଲନାଡୁ ସରକାର ରାଜ୍ୟ କୋ-ଅପରେଟିଭ୍ ବ୍ୟାଙ୍କରୁ କୃଷକମାନେ ନେଇଥିବା ଶଷ୍ୟ ଋଣ ଛାଡ କରିଛନ୍ତି । ରାଜ୍ୟର ମୁଖ୍ୟମନ୍ତ୍ରୀ ଏଡାପଡ୍ଡି କେ ପଲାନିସ୍ୱାମୀ ମୋଟ ୧୨,୧୧୦ କୋଟି ଟଙ୍କାର ଶଷ୍ୟ ଋଣ ଛାଡ଼ କରିବାକୁ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ଋଣ ଛାଡ଼ ଘୋଷଣା ପରେ ରାଜ୍ୟରେ ୧୬.୧୩ ଲକ୍ଷ ଚାଷୀ ଉପକୃତ ହେବେ ବୋଲି ଜଣାପଡ଼ିଛି ।

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଶୁକ୍ରବାର ଦିନ ବିଧାନସଭା ଆଇନ ୧୧୦ ଆଧାରରେ ଏଭଳି ଘୋଷଣା କରିଛନ୍ତି । ପଲାନିସ୍ୱାମୀ କହିଛନ୍ତି କି, ରାଜ୍ୟରେ ବାତ୍ୟା ନିଭାର ଓ ବୁରେଭି କାରଣରୁ କୃଷକମାନଙ୍କର ଆର୍ଥିକ ସ୍ଥିତି ଦୁର୍ବଳ ହୋଇଯାଇଛି । ଯାହାକୁ ନଜରରେ ରଖି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।

Tamil Nadu farm loan waiver
indiatoday

ମୁଖ୍ୟମନ୍ତ୍ରୀ ପଲାନିସ୍ୱାମୀ କହିଥିଲେ କି, ଯେଉଁ କୃଷକମାନେ ରାଜ୍ୟ କୋ-ଅପରେଟିଭ୍ ବ୍ୟାଙ୍କରୁ ଶଷ୍ୟଋଣ ନେଇଛନ୍ତି ସେହିମାନେ ହିଁ କେବଳ ଏହି ଋଣଛାଡ଼ର ଲାଭ ନେଇପାରିବେ । ଜାନୁଆରି ମାସରେ ତାମିଲନାଡୁରେ ଅଧିକ ବର୍ଷା ହେବା କାରଣରୁ କୃଷକଙ୍କ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ସବୁଠାରୁ ଅଧିକ ଧାନ ଫସଲ ନଷ୍ଟ ହୋଇଥିବାରୁ ଏହି କ୍ଷୟକ୍ଷତିର ଅନୁଧ୍ୟାନ କରିବାକୁ ଏକ କେନ୍ଦ୍ରୀୟ ଟିମ୍ ତାମିଲନାଡୁ ଗସ୍ତରେ ଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ।

ଅନ୍ୟପଟେ ଦେଶରେ କୃଷକ ଆନ୍ଦୋଳନ ଦିନକୁ ଦିନ ଉଗ୍ରରୂପ ନେବାରେ ଲାଗିଛି । ଏହାସହ ଆଗାମୀ କିଛି ମାସ ମଧ୍ୟରେ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏସବୁକୁ ଦୃଷ୍ଟିରେ ରଖି ପଲାନିସ୍ୱାମୀଙ୍କ ଏହି ଋଣଛାଡ଼ ନିଷ୍ପତ୍ତି ବାସ୍ତବରେ ଭୋଟ ବ୍ୟାଙ୍କରେ ପରିଣତ ହେବ କି ନାହିଁ ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧିତ ଖବର