ନୂଆଦିଲ୍ଲୀ: ରବିବାର ସକାଳେ କାର୍‌ରେ ଗ୍ୟାସ୍‌ ସିଲିଣ୍ଡର୍‌ ବିସ୍ଫୋରଣ ହେବା ଏବଂ ଏଥିରେ ମୃତ ବ୍ୟକ୍ତିଙ୍କ ଘରୁ ବିପୁଳ ପରିମାଣର ବିସ୍ଫୋରକ ମିଳିବା ଘଟଣାରେ ତାମିଲନାଡୁ ପୁଲିସ ଆତଙ୍କବାଦୀ ସମ୍ପୃକ୍ତି ଥିବା ବିଷୟରେ ତଦନ୍ତ କରୁଛି।

Advertisment

ଗତକାଲି ସକାଳେ କୋଇମ୍ବାଟୁର୍‌ ମନ୍ଦିର ନିକଟରେ ଘଟିଥିବା ଉକ୍ତ ବିସ୍ଫୋରଣରେ ଜାମେଜା ମୁବିନ୍‌ ନାମରେ ଜଣେ ୨୫ ବର୍ଷିୟ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା। ୨୦୧୯ରେ ‘ଆଇଏସ୍‌ଆଇଏସ୍‌’ ସହିତ ତାଙ୍କ ସମ୍ପୃକ୍ତି ଥିବା ଘଟଣାରେ କେନ୍ଦ୍ରୀୟ ଆତଙ୍କବାଦୀ-ନିରୋଧୀ ଏଜେନ୍‌ସି ତାଙ୍କୁ ଜେରା କରିଥିଲା ବୋଲି ପୁଲିସ କହିଛି।

ଏ ସଂକ୍ରାନ୍ତରେ ‘ଇଞ୍ଜିନିୟରିଙ୍ଗ୍‌ ଗ୍ରାଜୁଏଟସ୍‌ ଆସୋସିଏସନ୍‌’ଙ୍କୁ ପଚରାଉଚରା ଚାଲିଥିବାରୁ ଅଧିକ ଗିରଫଦାରି ଆଶଙ୍କା ଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି।

publive-image Image Courtesy of NDTV

ପୁଲିସ କହିଛି, ଦୁଇଟି ଖୋଲା ସିଲିଣ୍ଡର୍‌ ରଖି ମୁବିନ୍‌ କାର୍‌ ଚଳାଉଥିବା ବେଳେ ସେଥିରୁ ଗୋଟିଏ ଫାଟିଯାଇଥିଲା। ପରେ ପରେ ତାଙ୍କ ଘର ଖାନତଲାସ କରିବାରୁ ଦେଶୀ ବୋମା ତିଆ‌ରିରେ ଲାଗୁଥିବା ପଟାସିୟମ୍‌ ନାଇଟ୍ରେଟ୍‌, ଆଲୁମିନିୟମ୍‌ ପାଉଡର୍‌, ଅଙ୍ଗାର ଏବଂ ସ୍ବଳ୍ପ କ୍ଷମତା ସମ୍ପନ୍ନ ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରାଯାଇଥିଲା।

ଏହାଛଡ଼ା, ବିସ୍ଫୋରିତ କାର୍‌ରୁ ଯାନବାହନରେ ଲାଗୁଥିବା କଣ୍ଟା, ମାର୍ବଲ୍‌ ଏବଂ ଅନ୍ୟାନ୍ୟ ସାମଗ୍ରୀ ମିଳିଛି ଓ ସେଗୁଡ଼ିକୁ ଫୋରେନ୍‌ସିକ୍‌ ବିଭାଗ ପରୀକ୍ଷା କରୁଛି ବୋଲି ଜଣେ ଉଚ୍ଚସ୍ତରୀୟ ଅଧିକାରୀ କହିଛନ୍ତି।

publive-image Image Courtesy of India Today

ଏହି ଘଟଣା ପାଇଁ ‘ଡିଏମ୍‌କେ’ ସରକାରଙ୍କୁ ସମାଲୋଚନା କରି ରାଜ୍ୟ ‘ବିଜେପି’ ମୁଖ୍ୟ କେ. ଅନ୍ନାମଲାଇ ଟୁଇଟ୍‌ କରି ଲେଖିଛନ୍ତି: କୋଇମ୍ବାଟୁର୍‌ ସିଲିଣ୍ଡର୍‌ ବିସ୍ଫୋରଣ ସାଧାରଣ ସିଲିଣ୍ଡର୍‌ ବିସ୍ଫୋରଣ ନୁହେଁ। ଏହା ‘ଆଇଏସ୍‌ଆଇଏସ୍‌’ ସମ୍ପୃକ୍ତି ଥିବା ଆତଙ୍କବାଦୀ କାଣ୍ଡ। ଏ କଥାକୁ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସର୍ବସାଧାରଣରେ ସ୍ବୀକାର କରିବ କି? ୧୨ ଘଣ୍ଟା ହେବ ତାମିଲନାଡୁ ସରକାର ଏକଥା ଲୁଚାଇ ରଖିଥିଲେ। ଏହା ରାଜ୍ୟ ଗୁଇନ୍ଦା ବ୍ୟବସ୍ଥା ଓ ‘ଡିଏମ୍‌କେ’ ସରକାରଙ୍କର ଅପରଗପଣିଆ ନୁହେଁ କି?