ତାମିଲନାଡ଼ୁ: ଦଶନ୍ଧି ପରେ କ୍ଷମତାକୁ ଫେରିଲା ଡିଏମ୍‌କେ

ଚେନ୍ନାଇ: ତାମିଲନାଡ଼ୁରେ ଏଆଇଏଡିଏମ୍‌କେ ଏବଂ ଏମ୍‌କେ ଷ୍ଟାଲିନ୍‌ଙ୍କ ନେତୃତ୍ବାଧୀନ ଡିଏମ୍‌କେ ମଧ୍ୟରେ ଚଳିତ ନିର୍ବାଚନରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ଦୀର୍ଘ ୧୦ ବର୍ଷ ପରେ ଷ୍ଟାଲିନ୍‌ଙ୍କ ନେତୃତ୍ବାଧୀନ ଡିଏମ୍‌କେ ପୁଣିଥରେ କ୍ଷମତାକୁ ଫେରିଛି। ୨୩୪ ଆସନ ବିଶିଷ୍ଟ ତାମିଲନାଡ଼ୁ ବିଧାନସଭାରେ ଡିଏମ୍‌କେ ୧୫୫ ଆସନରେ ଆଗୁଆ/ଅଗ୍ରଣୀ ଥିବାବେଳେ ଏଆଇଏଡିଏମ୍‌କେ ୭୫ ଆସନରେ ଆଗୁଆ ରହିଛି। ସରକାର ଗଢ଼ିବା ପାଇଁ ଆବଶ୍ୟକ ସଂଖ୍ୟାଗରିଷ୍ଠତା ଡିଏମ୍‌କେ ହାସଲ କରି ସାରିଛି। ତାମିଲନାଡ଼ୁରେ ସରକାର ଗଢ଼ିବା ପାଇଁ ୧୧୮ ଟି ଆସନ ଆବଶ୍ୟକ ଥିବା ବେଳେ ଡିଏମମ୍‌କେ ଏବଂ କଂଗ୍ରେସ ସମେତ ଏହାର ସହଯୋଗୀ ମେଣ୍ଟ ବଡ଼ ବିଜୟ ଆଡ଼କୁ ଅଗ୍ରସର ହେଉଛନ୍ତି। ୨୦୧୧ରୁ କ୍ଷମତାରେ ଥିବା ଏଆଇଏଡିଏମ୍‌କେ ପୁଣିଥରେ କ୍ଷମତାକୁ ଫେରିବା ଆଶା ରଖି ଜୋର୍‌ଦାର ପ୍ରୟାସ କରିଥିଲା।

କେବଳ ଚେନ୍ନାଇରେ ଡିଏମ୍‌କେ ୩୮ ବିଧାନସଭା ନିର୍ବାଚନମଣ୍ଡଳୀରୁ ୨୫ଟିରେ ଆଗୁଆ ରହିଛି। ଡିଏମ୍‌କେ ମୁଖ୍ୟ ଏମ୍‌ କେ ଷ୍ଟାଲିନ୍‌ କୋଲାଥାପୁର ନିର୍ବାଚନମଣ୍ଡଳିରେ ବିଜୟୀ ହୋଇଥିବା ବେଳେ ତାଙ୍କ ପୁଅ ଉଦୟନିଧି ଷ୍ଟାଲିନ୍‌ ତଥା ଦଳର ଯୁବ ସଚିବ, ଚେପକ୍‌ ଥିରୁଭଲ୍ଲିକେନିରେ ବିଜୟୀ ହୋଇଛନ୍ତି। ପ୍ରଥମ ଥର ପାଇଁ ଡିଏମ୍‌କେ ଏବଂ ଏଆଇଏଡିଏମ୍‌କେ ସେମାନଙ୍କ ଟାଣୁଆ ନେତା କେ କରୁଣାନିଧି ଏବଂ ‌ଜେ ଜୟଲଳିତାଙ୍କ ବିନା ସମର୍ଥନରେ ନିର୍ବାଚନ ଲଢ଼ିଛନ୍ତି। ନିର୍ବାଚନ କମିସନଙ୍କ କଟକଣା ସତ୍ତ୍ବେ ବିଜୟ ପରେ ଚେନ୍ନାଇ ସ୍ଥିତ ଦଳର ମୁଖ୍ୟାଳୟରେ ଡିଏମ୍‌କେ କର୍ମୀ ଏବଂ ସମର୍ଥକମାନେ ଉତ୍ସବ ମନାଇଥିଲେ।

ସମ୍ବନ୍ଧିତ ଖବର