ଇନ୍ଦିରା ଗାନ୍ଧୀଙ୍କୁ ଗିରଫ କରିଥିବା ପୂର୍ବତନ ପୁଲିସ ଅଧିକାରୀ ଭି.ଆର. ଲକ୍ଷ୍ମୀନାରାୟଣଙ୍କ ପରଲୋକ

ଚେନ୍ନାଇ: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଗିରଫ କରି ସାରା ଦେଶରେ ଚହଳ ପକାଇଥିବା ତାମିଲନାଡୁର ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ ଭି.ଆର. ଲକ୍ଷ୍ମୀନାରାୟଣ ଆଉ ନାହାନ୍ତି। ଗତକାଲି ତାଙ୍କର ଚେନ୍ନାଇର ଆନ୍ନା ନଗରସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ପୂର୍ବତନ ପୁଲିସ ଅଧିକାରୀ ଲକ୍ଷ୍ମୀନାରାୟଣ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଏକ ଦୁର୍ନୀତି ମାମଲାରେ ତତକାଳୀନ ପ୍ରଧାନମନ୍ତ୍ରୀ ମୋରାରଜି ଦେଶାଇଙ୍କ ନିର୍ଦ୍ଦେଶରେ ୧୯୭୭ ମସିହାରେ ଗିରଫ କରିଥିଲେ ।

ପୂର୍ବତନ ପୁଲିସ ଅଧିକାରୀ ଡିଜିପି ଲକ୍ଷ୍ମୀନାରାୟଣ କିଛି ଦିନ ହେବ ଅସୁସ୍ଥ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିବାର ସୂଚନା ମିଳିଛି। ତାଙ୍କର ଜଣେ ପୁଅ ଓ ୨ ଜଣ ଝିଅ ଅଛନ୍ତି ।

ଭିଆରଏଲ ନାଁରେ ଲୋକପ୍ରିୟ ଲକ୍ଷ୍ମୀନାରାୟଣ ୧୯୫୧ ବ୍ୟାଚର ଆଇପିଏସ ଅଧିକାରୀ ଥିଲେ । ସେ ମଦୁରାଇରେ ଜଣେ ସହାୟକ ପୋଲିସ ଅଧୀକ୍ଷକ ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ଏବଂ ପରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିଆଇବି)ର ଯୁଗ୍ମ ନିର୍ଦ୍ଦେଶକ ହୋଇଥିଲେ । ଲକ୍ଷ୍ମୀନାରାୟଣ ସ୍ୱର୍ଗୀୟ ଜବାହାରଲାଲ ନେହରୁ, ଇନ୍ଦିରା ଗାନ୍ଧୀ, ଚରଣ ସିଂହ, ମୋରାରଜି ଦେଶାଇ ସମେତ ଅନ୍ୟ ପ୍ରଧାନମନ୍ତ୍ରୀଙ୍କ ଅଧିନରେ କାମ କରିଥିଲେ । ୧୯୮୫ ମସିହାରେ ଲକ୍ଷ୍ମୀନାରାୟଣ ତାମିଲନାଡୁର ପୋଲିସ ମହାନିଦ୍ଦେଶକ (ଡିଜିପି) ପଦରୁ ଅବସର ନେଇଥିଲେ ।

ସମ୍ବନ୍ଧିତ ଖବର