ଚେନ୍ନାଇ: ରବିବାର ଦିନ ତାମିଲନାଡୁ ସରକାର କରୋନାଭାଇରସ୍ ଲକ୍‌ଡାଉନ୍ ଜୁନ୍ ୩୦ ଯାଏଁ ବୃଦ୍ଧି କରିଛନ୍ତି। କିନ୍ତୁ, ଏହି ସମୟ ମଧ୍ୟରେ ଅନେକ କଟକଣା ମଧ୍ୟ କୋହଳ କରାଯାଇଛି। ରାଜ୍ୟରେ ଆଶିଂକଭାବେ ସାଧାରଣ ପରିବହନ ଓ ରେସ୍ତୋରାଁ ଚାଲୁ କରିବା ପାଇଁ ସର୍ତ୍ତମୂଳକ ଅନୁମତି ଦିଆଯାଛି।

Advertisment

କଣ୍ଟେନ୍‌ମେଣ୍ଟ୍‌ ଅଞ୍ଚଳରେ ଜୁନ୍‌ ୩୦ ଯାଏଁ ଲକ୍‌ଡାଉନ୍‌ ବଳବତ୍ତର ରହିବ ଏବଂ ବାକି ଅଞ୍ଚଳରେ ପର୍ଯ୍ୟାୟ କ୍ରମେ ନିଷିଦ୍ଧ କାର୍ଯ୍ୟକଳାପ ପୁଣି ଚାଲୁ କରିବାକୁ ଅନୁମତି ମିଳିବ ବୋଲି କେନ୍ଦ୍ର ସରକାର ଘୋଷଣା କରିବାର କିଛି ସମୟ ପରେ ତାମିଲନାଡୁ ସରକାର ତାଙ୍କର ମାର୍ଗଦର୍ଶିକା ଜାରି କରିଛନ୍ତି।

ଏକ ବିବୃତିରେ ମୁଖ୍ୟମନ୍ତ୍ରୀ କେ ପଲାନିସ୍ବାମୀ କହିଛନ୍ତି, କରୋନାଭାଇରସ ବିସ୍ତାର ରୋକିବାକୁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଆଇନ୍ ଓ କେନ୍ଦ୍ର ଗୃହ ମନ୍ତ୍ରାଳୟ ବିଜ୍ଞପ୍ତି ଅନୁସାରେ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ କର୍ଫ୍ୟୁ ବୃଦ୍ଧି କରାଗଲା।

publive-image Image Courtesy of India TV

ଅର୍ଥନୈତିକ ପରିସ୍ଥିତି ପ୍ରତି ଦୃଷ୍ଟି ଦେଇ ତାମିଲନାଡୁ ସରକାର ସାଧାରଣ ପରିବହନ ପାଇଁ ୫୦% ଯାନବାହନଙ୍କୁ ସେମାନଙ୍କ ସାମର୍ଥ୍ୟର ୬୦% ଯାତ୍ରୀ ନେଇ ଚଳପ୍ରଚଳ ପାଇଁ ଅନୁମତି ଦେଇଛନ୍ତି। କିନ୍ତୁ, ଚେନ୍ନାଇ, କାଞ୍ଚିପୁରମ୍, ତିରୁବଲ୍ଲୁର ଏବଂ ଚେଙ୍ଗାଲପଟ୍ଟୁ ଜିଲ୍ଲାରେ ରାଜ୍ୟର ସର୍ବାଧିକ କରୋନାଭାଇରସ୍ ସଂକ୍ରମଣ ଥିବାରୁ ସେଠାରେ ସାଧାରଣ ପରିବହନ ପାଇଁ ଅନୁମତି ଦିଆଯାଇ ନାହିଁ।

ଜୁନ୍ ୮ ପରେ କେବଳ ୫୦% ଆସନ ପୂରଣ କରି ଗ୍ରାହକମାନଙ୍କୁ ରେସ୍ତୋରାଁ ସେବା ଯୋଗାଇ ପାରିବେ। କିନ୍ତୁ, ସବୁ ସମୟରେ ସେମାନେ ସାମାଜିକ ଦୂରତା ବଜାୟ ରଖିବେ। ମଲ୍ ବ୍ୟତୀତ ସବୁ ସପିଙ୍ଗ୍ ସେଣ୍ଟର୍‌, କମ୍ପ୍ଲେକ୍ସ ୫୦% କର୍ମଚାରୀଙ୍କୁ ନେଇ ଖୋଲି ପାରିବ। ଥରକେ ମାତ୍ର ୫ ଜଣ ଗ୍ରାହକଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବ।

ଧାର୍ମିକ ସ୍ଥଳ, ଅନ୍ତଃରାଜ୍ୟ ବସ୍ ପରିବହନ, ମେଟ୍ରୋ ଏବଂ ସବ୍‌ଅର୍ବାନ୍ ରେଳ ଚଳାଚଳ ଆଦି ଉପରେ ନିଷେଧାଜ୍ଞା ବଳବତ୍ତର ରହିବ।