ଦେଶର ପ୍ରଥମ ଫୋରେନ୍ସିକ୍ ଡିଏନ୍‌ଏ ସର୍ଚ୍ଚ ଟୁଲ୍ ପାଇଲା ତାମିଲନାଡ଼ୁ

ଚେନ୍ନାଇ : ତାମିଲନାଡ଼ୁ ହେଉଛି ଦେଶର ପ୍ରଥମ ରାଜ୍ୟ ଯାହା ପାଖରେ ବର୍ତ୍ତମାନ ‘ଫୋରେନ୍ସିକ୍ ଡିଏନ୍‌ଏ ପ୍ରୋଫାଇଲ ସର୍ଚ୍ଚ ଟୁଲ୍’ ଅଛି। ଏହି ଯନ୍ତ୍ରକୁ ରାଜ୍ୟ ଫୋରେନ୍ସିକ୍ ସାଇନ୍ସ ବିଭାଗ ତରଫରୁ ବିକଶିତ କରାଯାଇଥିଲା। ଶନିବାର ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ ଏହି ବ୍ୟବସ୍ଥାର ଉଦ୍‌ଘାଟନ କରି ରାଜ୍ୟ ପୁଲିସ ମୁଖ୍ୟଙ୍କୁ ଅର୍ପଣ କରିଥିଲେ।

ଏହି ଯନ୍ତ୍ରଦ୍ବାରା ମାନବ ଚାଲାଣର ଶିକାର ହେଉଥିବା ଲୋକଙ୍କ ପ୍ରୋଫାଇଲ ଏକାଠି କରିବା, ନିଖୋଜ ପିଲାଙ୍କୁ ଚିହ୍ନଟ କରିବା, ଅନ୍ୟ ରାଜ୍ୟର ଅପରାଧୀଙ୍କୁ ଟ୍ରାକ୍ କରିବା, ଅଚିହ୍ନା ଶରୀରକୁ ଚିହ୍ନଟ କରିବା ଆଦି କାର୍ଯ୍ୟ ସହଜରେ କରାଯାଇପାରିବ। ଦୁଷ୍କର୍ମ, ଯୌନ ଶୋଷଣ, ହତ୍ୟା ଆଦି ଅପରାଧୀଙ୍କୁ ଚିହ୍ନଟ କରିବା, ଅପରାଧ ସ୍ଥଳରେ ଅପରାଧୀ ଛାଡ଼ିଯାଇଥିବା ଫିଙ୍ଗରପ୍ରିଣ୍ଟ ଯାଞ୍ଚ କରିବା ଆଦି ମଧ୍ୟ ଏହାଦ୍ବାରା ସହଜ ହୋଇପାରିବ ବୋଲି ଫୋରେନ୍ସିକ୍ ବିଭାଗରେ କାର୍ଯ୍ୟ କରୁଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ ପ୍ରକାଶ କରିଛନ୍ତି। ବର୍ତ୍ତମାନ ପୁଲିସ ବିଭାଗରେ ଯେଉଁ ବ୍ୟବସ୍ଥା ଅଛି ସେଥିରେ ଡିଏନ୍‌ଏ ପରୀକ୍ଷା କରି ଅପରାଧୀକୁ ଠାବ କରିବା ପାଇଁ ବହୁତ ସମୟ ଲାଗୁଛି। ଏବେ ଅତି ସହଜରେ ନିର୍ଭୁଲ ଭାବେ ଏସବୁ କରାଯାଇପାରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର