ନୂଆଦିଲ୍ଲୀ: ଏକ ଆପରାଧିକ ମାମଲାରେ ଦଣ୍ଡାଦେଶକୁ କୋର୍ଟ ସ୍ଥଗିତ ରଖିବା ସତ୍ତ୍ବେ ଡିଏମ୍କେ ନେତା କେ ପୋନମୁଡ଼ିଙ୍କୁ ରାଜ୍ୟ କ୍ୟାବିନେଟରେ ପୁନଃସାମିଲ କରିବାକୁ ମନା କରିଥିବାରୁ ତାମିଲନାଡୁ ରାଜ୍ୟପାଳ ଆର୍ଏନ୍ ରବିଙ୍କୁ ସୁପ୍ରିମ୍କୋର୍ଟ ଭର୍ତ୍ସନା କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ କହିଛନ୍ତି ଯେ ସେ ତାଙ୍କ କାର୍ଯ୍ୟଦ୍ୱାରା ସୁପ୍ରିମ୍କୋର୍ଟକୁ ଅବମାନନା କରୁଛନ୍ତି। ପ୍ରଧାନ ବିଚାରପତି କହିଛନ୍ତି, ଯେତେବେଳେ କୋର୍ଟ ଦୋଷୀ ସାବ୍ୟସ୍ତ ହେବା ଉପରେ ରୋକ୍ ଲଗାଇଥିଲେ, ସେତେବେଳେ ରାଜ୍ୟପାଳଙ୍କର ଅନ୍ୟକଥା କହିବାର କୌଣସି ଅଧିକାର ନ ଥିଲା।
ଆମେ ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟପାଳଙ୍କୁ ସୁଯୋଗ ଦେଉଛୁ ବୋଲି କୋର୍ଟ କହିଥିଲେ। ସମ୍ବିଧାନ ଅନୁଯାୟୀ କାର୍ଯ୍ୟ କରିବାକୁ ରାଜ୍ୟପାଳଙ୍କୁ ନିର୍ଦ୍ଦେଶ ଦେଉଛୁ। ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ଆମେ ସମୟ ଦେଉଛୁ ବୋଲି ଜଷ୍ଟିସ ଚନ୍ଦ୍ରଚୂଡ଼ କହିଛନ୍ତି। ପୋନମୁଡ଼ିଙ୍କୁ ପୁନଃ ମନ୍ତ୍ରୀଭାବେ ନିଯୁକ୍ତି ଦେବାପାଇଁ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ୍ ଦେଇଥିବା ସୁପାରିସକୁ ଗ୍ରହଣ କରିବାକୁ ରାଜ୍ୟପାଳ ରବିଙ୍କୁ ନିର୍ଦ୍ଦେଶ ଦେବାକୁ ତାମିଲନାଡୁ ସରକାରଙ୍କ ପକ୍ଷରୁ ଦାୟର ଏକ ଆବେଦନର ଶୁଣାଣି କରି ସୁପ୍ରିମ୍କୋର୍ଟ ଏହା କହିଛନ୍ତି।
ସୂଚନାଯୋଗ୍ୟ ଯେ ଏକ ମାମଲାରେ ପୋନମୁଡ଼ିଙ୍କୁ ମାଡ୍ରାସ ହାଇକୋର୍ଟଙ୍କ ଦ୍ବାରା ଅଯୋଗ୍ୟ ଘୋଷଣା ଉପରେ ସୁପ୍ରିମ କୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି। ଏହାସତ୍ତ୍ବେ ପୋନମୁଡ଼ିଙ୍କୁ ମନ୍ତ୍ରୀ ଭାବେ ଶପଥ ଦେବାକୁ ମନା କରିଦେଇଥିଲେ ରାଜ୍ୟପାଳ। ରାଜ୍ୟ ସରକାର ଏହା ବିରୋଧରେ ସୁପ୍ରିମ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସର୍ବୋଚ୍ଚ ଅଦାଲତ ଆଜି ମାମଲାର ଶୁଣାଣି କରି ରାଜ୍ୟପାଳଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି।