କୋଭିଡ୍‌-୧୯ କଟକଣା ସହ ‘ଜଲ୍ଲିକଟ୍ଟୁ’ ପାଇଁ ଅନୁମତି ପ୍ରଦାନ କଲେ ତାମିଲନାଡୁ ସରକାର

ଚେନ୍ନାଇ: କିଛି କଟକଣା ସହ ବୁଧବାର ଦିନ ତାମିଲନାଡୁ ସରକାର ଲୋକପ୍ରିୟ ‘ଜଲ୍ଲିକଟ୍ଟୁ’ (ଷଣ୍ଢ-କାବୁ କରିବା କ୍ରୀଡ଼ା) ଆୟୋଜନ କରିବାକୁ ଅନୁମତି ପ୍ରଦାନ କରିଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, କେନ୍ଦ୍ର ସରକାରଙ୍କ କୋଭିଡ୍‌-୧୯ ନିରାପତ୍ତା ନିୟମ ଆଧାରରେ ରାଜ୍ୟ ସରକାର ବାର୍ଷିକ ‘ଜଲ୍ଲିକଟ୍ଟୁ’ କ୍ରୀଡ଼ା ଉତ୍ସବ ଆୟୋଜନ ନିମନ୍ତେ ସ୍ଥାନୀୟ କର୍ତ୍ତୃପକ୍ଷମାନଙ୍କୁ ଅନୁମତି ଦେଇଛନ୍ତି।

ପ୍ରତି ‘ଜଲ୍ଲିକଟ୍ଟୁ’ କ୍ରୀଡ଼ା ଉତ୍ସବରେ ଖେଳାଳି ସଂଖ୍ୟା ୧୫୦ରୁ ଅଧିକ ହେବେ ନାହିଁ। ଏହାଛଡ଼ା, ଅଂଶଗ୍ରହଣକାରୀଙ୍କ ନିମନ୍ତେ କୋଭିଡ୍‌-୧୯ ନେଗେଟିଭ୍‌ ସାର୍ଟିଫିକେଟ୍‌ ବାଧ୍ୟତାମୂଳକ କରାଯାଇଛି।

Image Courtesy of Hindustan Times

ତାମିଲନାଡୁ ସରକାର ଆହୁରି ମଧ୍ୟ କହିଛନ୍ତି ଯେ, ଦର୍ଶକସଂଖ୍ୟା କ୍ରୀଡ଼ାମଞ୍ଚର ଆସନସଂଖ୍ୟାର ୫୦%ରୁ ଅଧିକ ହେବେନାହିଁ। ‘ଜଲ୍ଲିକଟ୍ଟୁ’ କ୍ରୀଡ଼ାସ୍ଥଳରେ ସମସ୍ତଙ୍କ ପାଇଁ ଶରୀରର ତାପମାତ୍ରା ଯାଞ୍ଚ ଓ ମାସ୍କ୍‌ ପରିଧାନ ବାଧ୍ୟତାମୂଳକ କରାଯିବ।

‘ଜଲ୍ଲିକଟ୍ଟୁ’ ହେଉଛି ଏକ ବିବାଦୀୟ ପାରମ୍ପରିକ କ୍ରୀଡ଼ା ଉତ୍ସବ। ଏଥିରେ ‘ପୁଲିକୁଲମ୍‌’ କିଂବା ‘କଙ୍ଗୟାମ’ ପ୍ରଜାତିର ଗୋଟାଏ ଷଣ୍ଢକୁ ଜନଗହଳି ମଧ୍ୟକୁ ଛାଡ଼ି ଦିଆଯାଏ। ଷଣ୍ଢଟି ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଏକାଧିକ ଅଂଶ ଗ୍ରହଣକାରୀ ତା’ ପିଠିରେ ଥିବା ବିଶାଳ ହାକୁଡ଼କୁ ଦୁଇ ହାତରେ ଜାବୁଡ଼ି ଓହଳି ପଡ଼ିବାକୁ ଚେଷ୍ଟା କରନ୍ତି। ଷଣ୍ଢଟି ନ ଅଟକିବା ପର୍ଯ୍ୟନ୍ତ ଅଂଶଗ୍ରହଣକାରୀମାନେ ସେମିତି ତା’ର ହାକୁଡ଼କୁ ଧରି ଝୁଲି ରହିଥାଆନ୍ତି।

ସମ୍ବନ୍ଧିତ ଖବର