ଚେନ୍ନାଇ: ତୁଳନାତ୍ମକ ଭାବେ ତାମିଲନାଡ଼ୁ କମ୍‌ ପୁଞ୍ଜିନିବେଶ ପାଉଛି ଏବଂ ରାଜ୍ୟ ପଛେଇବାରେ ଲାଗିଛି।। ଏହାପଛରେ ହିନ୍ଦୀ ଭଳି ଭାଷା ଶିଖିବାରେ ପ୍ରୋତ୍ସାହନର ଅଭାବ ଏକ ମୁଖ୍ୟକାରଣ। ତାମିଲନାଡ଼ୁର ଲୋକମାନଙ୍କୁ ହିନ୍ଦୀ ଶିଖିବାକୁ ବାଧ୍ୟ କରାଯାଉନାହିଁ, କିନ୍ତୁ ସେମାନେ ନିଜର ଯୋଗ୍ୟତା ବୃଦ୍ଧି କରିବାକୁ ଏକ ଅତିରିକ୍ତ ଭାଷା ଶିକ୍ଷା କରିବାକୁ ଅନୁରୋଧ କରାଯାଉଛି ବୋଲି ଆଜି ତାମିଲନାଡ଼ୁର ବିଜେପି ମୁଖ୍ୟ କେ ଆନ୍ନାମଲାଇ ମନ୍ତବ୍ୟ ଦେଇଛନ୍ତି। ଏହାକୁ ନେଇ ତାମିଲନାଡ଼ୁରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି।

Advertisment

ଚେନ୍ନାଇରେ ବିଜେପିର ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଉତ୍ତରପ୍ରଦେଶରେ ଫେବ୍ରୁଆରୀମାସରେ ଅନୁଷ୍ଠିତ ଏଭଳି ପୁଞ୍ଜିନିବେଶକାରୀଙ୍କ ସମ୍ମିଳନୀରେ ୩୩ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ମିଳିଥିଲା। ତାମିଲନାଡ଼ୁ ସରକାରଙ୍କୁ ଯେତିକି ମିଳିଛି ତା’ଠାରୁ ଏହା ୫ ଗୁଣ ଅଧିକ। ଫେବ୍ରୁଆରୀ ୨୦୨୨ରେ ତାମିଲନାଡ଼ୁ ୯ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଥିଲା। ବର୍ତମାନ ଏହା ହ୍ରାସ ପାଇଛି। ନିଜର ଯୋଗ୍ୟତା ବଢ଼ାଇବାକୁ ହିନ୍ଦୀ ଭାଷା ଶିକ୍ଷା ସମ୍ପର୍କରେ ଅଭିନେତା ବିଜୟ ସେତୁପତି ନିକଟରେ ଦେଇଥିବା ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ ଆନ୍ନାମଲାଇ କହିଥିଲେ ଯେ ଅଧିକାଂଶ ଉତ୍ତରଭାରତୀୟ ସୂଚନା-ପ୍ରଯୁକ୍ତି ବିଦ୍ୟାର ପ୍ରାର୍ଥୀ ଭାଷା ପ୍ରତି ଥିବା ପ୍ରତିବନ୍ଧକ ଯୋଗୁଁ ତାମିଲନାଡ଼ୁ ଅପେକ୍ଷା କର୍ଣାଟକର ବେଙ୍ଗାଲୁରୁକୁ ଚାକିରି ପାଇଁ ଚୟନ କରୁଛନ୍ତି। ଏଣୁ ତାମିଲନାଡ଼ୁ ତିନିଟି ଭାଷାର ପ୍ରୟୋଗକୁ ପ୍ରୋତ୍ସାହିତ କରିବା ଉଚିତ ହେବ। ପ୍ରଥମଟି ତାମିଲ, ଦ୍ବିତୀୟ ଇଂରାଜୀ ଓ ତୃତୀୟଟି ହିନ୍ଦୀ ଭଳି ଅନ୍ୟ କୌଣସି ବିକଳ୍ପ ଭାଷା।