ଚେନ୍ନାଇ: ତାମିଲନାଡ଼ୁର ଡିଏମ୍କେ ସରକାର ରାଜ୍ୟପାଳ କିମ୍ବା ରାଷ୍ଟ୍ରପତିଙ୍କ ଆନୁଷ୍ଠାନିକ ଅନୁମୋଦନ ବିନା ୧୦ଟି ବିଲ୍କୁ ଆଇନ ରୂପେ ବିଜ୍ଞପ୍ତି ଜାରି କରିଛନ୍ତି। ନିକଟରେ ସୁପ୍ରିମ୍କୋର୍ଟ ଏହି ବିଲ୍ଗୁଡ଼ିକୁ ସ୍ୱତଃ ଅନୁମୋଦନ କରିବା ପରେ ଏହି ପଦକ୍ଷେପ ନିଆଯାଇଛି। ଭାରତରେ ପ୍ରଥମ ଥର ପାଇଁ କୌଣସି ରାଜ୍ୟପାଳ କିମ୍ବା ରାଷ୍ଟ୍ରପତିଙ୍କ ଦସ୍ତଖତ ବିନା ଆଇନ ପ୍ରଣୟନ ହେବା ବିଭିନ୍ନ ମହଲକୁ ବିସ୍ମିତ କରିଛି। ସଂଘୀୟ ଢାଞ୍ଚାରେ ଏଭଳି ଅଜବ ସ୍ଥିତି ପ୍ରଥମ ବୋଲି କୁହାଯାଉଥିବା ବେଳେ ଏହାକୁ ନେଇ ଭବିଷ୍ୟତରେ ଆଇଗତ ଜଟିଳତା ସୃଷ୍ଟି ହେବା ମଧ୍ୟ ଆଶଙ୍କା ରହିଛି।
ଏପ୍ରିଲ ୮ତାରିଖରେ ‘ତାମିଲନାଡୁ ରାଜ୍ୟ ବନାମ ତାମିଲନାଡୁ ରାଜ୍ୟପାଳ’ ମାମଲାରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଥିଲେ। କୋର୍ଟ ରାଜ୍ୟପାଳ ଆର୍ ଏନ୍ ରବିଙ୍କ ନିଷ୍ପତ୍ତିକୁ ଭର୍ତ୍ସନା କରିଥିଲେ। ରାଷ୍ଟ୍ରପତିଙ୍କ ବିଚାର ପାଇଁ ରାଜ୍ୟପାଳ ୧୦ଟି ବିଲ୍ ଆଣିବା ଅସାମ୍ବିଧାନିକ ଓ ବେଆଇନ ବୋଲି କୋର୍ଟ ଦର୍ଶାଇଥିଲେ। ରାଜ୍ୟପାଳଙ୍କ ଦ୍ୱାରା ପାରିତ ବିଲ୍ଗୁଡ଼ିକୁ ପୁଣି ଥରେ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇବା ସମ୍ବିଧାନର ଧାରା ୨୦୦ର ଉଲ୍ଲଂଘନ ବୋଲି ସୁପ୍ରିମ୍ କୋର୍ଟ ରାୟ ଦେଇଛନ୍ତି। ଅଦାଲତ ସ୍ପଷ୍ଟ ଭାବେ କହିଛନ୍ତି ଯେ ୧୮ ନଭେମ୍ବର ୨୦୨୩ରେ ବିଧାନସଭାରେ ପୁନର୍ବାର ପାରିତ ହୋଇଥିବା ବିଲ୍ଗୁଡ଼ିକ ସେହି ଦିନଠାରୁ ରାଜ୍ୟପାଳଙ୍କ ଅନୁମୋଦନ ପାଇଥିବା ବିବେଚନା କରାଯିବ।
ସୁପ୍ରିମ୍କୋର୍ଟ ରାୟର ପ୍ରଭାବ
ଜାନୁଆରି ୨୦୨୦ରୁ ଅଗଷ୍ଟ ୨୦୨୩ ମଧ୍ୟରେ ରାଜ୍ୟ ବିଧାନସଭାରେ ଏହି ବିଲ୍ ପାରିତ ହୋଇଥିଲା। ଅଦାଲତ କହିଛନ୍ତି ଯେ ବିଧାନସଭାରେ ପୁନର୍ବାର ପାରିତ ହୋଇଥିବା ବିଲ୍ଗୁଡ଼ିକୁ ରାଜ୍ୟପାଳ ତୁରନ୍ତ ଅନୁମୋଦନ ଦେବାକୁ ପଡ଼ିବ ଏବଂ ଏହାକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇବା ପାଇଁ ତାଙ୍କ ପଦକ୍ଷେପ ଭୁଲ୍। ଜଷ୍ଟିସ ଜେ.ବି. ପାର୍ଦିୱାଲା ଓ ଜଷ୍ଟିସ ଆର୍ ମହାଦେବନଙ୍କୁ ନେଇ ଗଠିତ ଖଣ୍ଡପୀଠ ସମ୍ବିଧାନର ଧାରା ୧୪୨ ଅନୁଯାୟୀ ସେମାନଙ୍କର ସ୍ୱତନ୍ତ୍ର କ୍ଷମତାର ବ୍ୟବହାର କରି ଏହି ୧୦ଟି ବିଲ୍କୁ ୨୦୨୩ ନଭେମ୍ବର ୧୮ ତାରିଖରୁ ମଂଜୁର ହୋଇଥିବା ଘୋଷଣା କରିଥିଲେ। ସୁପ୍ରିମ୍କୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଥିଲେ ଯେ ବିଲ୍ଗୁଡ଼ିକ ଉପରେ ନିଆଯାଇଥିବା କୌଣସି କାର୍ଯ୍ୟାନୁଷ୍ଠାନ, ଯେଉଁଥିରେ ୭ଟି ବିଲ୍ ପ୍ରତ୍ୟାଖ୍ୟାନ କରିବା ଏବଂ ଦୁଇଟି ଉପରେ ବିଚାର ନ କରିବା ଆଇନଗତ ଭାବେ ଅବୈଧ।
ସମ୍ବିଧାନ ଅନୁଯାୟୀ, ରାଜ୍ୟ ବିଧାନସଭାରେ ଗୃହୀତ କୌଣସି ବିଲ୍ ଅନୁମୋଦନ ପାଇଁ ରାଜ୍ୟପାଳଙ୍କ ନିକଟକୁ ପଠାଯାଇଥାଏ। ରାଜ୍ୟପାଳ ଏହାକୁ ଅନୁମୋଦନ, ପ୍ରତ୍ୟାଖ୍ୟାନ କିମ୍ବା ସଂଶୋଧନ ପାଇଁ ଫେରାଇ ପାରିବେ। କିନ୍ତୁ ଯଦି ବିଧାନସଭା ଏହାକୁ ପୁନର୍ବାର ପାରିତ କରେ, ତେବେ ରାଜ୍ୟପାଳଙ୍କର ଏହାର ପୁନର୍ବିଚାର କରିବା କିମ୍ବା ରାଷ୍ଟ୍ରପତିଙ୍କ ନିକଟକୁ ପଠାଇବାର ଅଧିକାର ନାହିଁ। ଏହି ବିଲ୍କୁ ରାଜ୍ୟପାଳଙ୍କୁ ଅନୁମୋଦନ କରିବାକୁ ହିଁ ପଡ଼ିବ। ଏହି ମାମଲାରେ ସୁପ୍ରିମ୍କୋର୍ଟଙ୍କ ରାୟର ପ୍ରଭାବ କେବଳ ତାମିଲନାଡ଼ୁରେ ସୀମିତ ନାହିଁ। କେରଳ, ପଶ୍ଚିମବଙ୍ଗ ଓ ପଞ୍ଜାବ ଭଳି ବିରୋଧୀ ଶାସିତ ରାଜ୍ୟରେ ମଧ୍ୟ ରାଜ୍ୟପାଳମାନେ ବିଲ୍କୁ ବିଚାରାଧୀନ ରଖିଥିବା ଅଭିଯୋଗ ହୋଇଛି। ସୁପ୍ରିମ୍କୋର୍ଟଙ୍କ ଏହି ନିଷ୍ପତ୍ତି ଏହି ରାଜ୍ୟମାନଙ୍କ ପାଇଁ ମଧ୍ୟ ଏକ ଆଇନଗତ ଉଦାହରଣ ସାବ୍ୟସ୍ତ ହୋଇପାରେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/04/13/xyegbiNzUVaPwAAtuSws.jpg)