ନୂଆଦିଲ୍ଲୀ: ଲୁଙ୍ଗି ପିନ୍ଧିଥିବାରୁ ବିରାଟଙ୍କ ରେସ୍ତୋରାଁ ଭିତରକୁ ଯିବାକୁ ମିଳିଲାନି ଅନୁମତି। ଭାଇରାଲ ଭିଡିଓରେ ଯୁବକ ଏହା ଜଣାଇଛନ୍ତି। ଯୁବକଙ୍କ ପରିଚୟ ମିଳିପାରିନଥିବା ବେଳେ ସେ ସାର୍ଟ ଓ ଲୁଙ୍ଗି ପିନ୍ଧିଥିବା ଦେଖାଯାଇଛି। ବିରାଟଙ୍କର ମୁମ୍ବାଇର ଜୁହୁରେ ୱାନ୮ କମ୍ୟୁନ୍ ନାମକ ଏକ ରେସ୍ତୋରାଁ ରହିଛି। ଏଠାକୁ ଯୁବକଜଣକ ଖାଇବା ପାଇଁ ପହଞ୍ଚିଥିବା ବେଳେ ତାଙ୍କୁ ଅନୁମତି ମିଳିନଥିବା ସାମ୍ନାକୁ ଆସିଛି।
ଭାଇରାଲ ଭିଡିଓରେ ସେ କହିଛନ୍ତି ଯେ, ସେ ମୁମ୍ବାଇରେ ଅବତରଣ କରି ସିଧା ତାଙ୍କ ହୋଟେଲ (ଜେଡବ୍ଲୁ ମ୍ୟାରିଓଟ)କୁ ଯାଇଥିଲେ। ହୋଟେଲରେ ଚେକ୍ ଇନ୍ କରିବା ପରେ ଭୋକ ଲାଗୁଥିବାରୁ ସେ ୱାନ୮ କମ୍ୟୁନ୍ ରେସ୍ତୋରାଁରେ ପହଞ୍ଚିଥିଲେ। ହେଲେ ସେଠାରେ ଥିବା ଗାର୍ଡ ତାଙ୍କୁ ଭିତରକୁ ଯିବାକୁ ଦେଇନଥିଲେ। କାରଣ ପଚାରିବାରୁ ସାର୍ଟ ଓ ଲୁଙ୍ଗି ପିନ୍ଧିଥିବାରୁ ଭିତରକୁ ଯିବା ପାଇଁ ଅନୁମତି ମିିଳିବ ନାହିଁ ବୋଲି ଗାର୍ଡ ତାଙ୍କୁ କହିଥିବା ଭିଡିଓରେ ଯୁବକଜଣକ ଦାବି କରିଛନ୍ତି। ଏହା ସହ ଏଭଳି କରି ରେସ୍ତୋରାଁ ତାମିଲନାଡୁର ସଂସ୍କୃତିକୁ ଅପମାନ କରିଥିବା ଦାବି କରିଛନ୍ତି ଯୁବକ।
ତେବେ ଯୁବକଙ୍କ ଏଭଳି ଦାବିକୁ ସମର୍ଥନ ନକରି ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, “ଏଭଳି କରି ସେମାନେ ତୁମର ସଂସ୍କୃତିକୁ ବିରୋଧ କରିନାହାନ୍ତି। ମୁଁ ହାଫ୍ ପ୍ୟାଣ୍ଟ ଏବଂ ଚପଲ ପିନ୍ଧି ଯାଇଥିବାରୁ ମୋତେ ବି ପ୍ରବେଶ କରିବାକୁ ମନା କରାଯାଇଥିଲା। ସବୁସ୍ଥାନର କିଛି ଡ୍ରେସ କୋଡ ଥାଏ। ଏହାକୁ ମାନିବା ଉଚିତ୍। ଡ୍ରେସ କୋଡ କାହିଁକି ରଖିଛ, ତାହା ବିତର୍କର ବିଷୟ ହୋଇପାରେ।"
ଅନ୍ୟଜଣେ ଲେଖିଛନ୍ତି, “ଯାହା ଘଟିଲା ସେଥିପାଇଁ ବିରାଟ ଦାୟୀ ନୁହଁନ୍ତି, ସେଠାରେ ଉପସ୍ଥିତ ଥିବା କର୍ମଚାରୀମାନେ ଦାୟୀ । ସେଠାରେ ଥିବା ମ୍ୟାନେଜରଙ୍କୁ ଜଣାଇ ଏହି ସମସ୍ୟାର ସମାଧାନ ହୋଇପାରିଥାନ୍ତା। କିନ୍ତୁ ଏଭଳି କରିଥିଲେ ଆପଣ ସୋସିଆଲ ମିଡିଆରେ ଚର୍ଚ୍ଚାକୁ କିଭଳି ଆସିଥାନ୍ତେ।"