ଚେନ୍ନାଇ: କେରଳ ନରବଳି ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ତାମିଲନାଡ଼ୁର ତିରୁଓନ୍ନାମଲାଇଠାରେ ଏକ ନରବଳି ଉଦ୍ୟମକୁ ପଣ୍ଡ କରିଛି ସ୍ଥାନୀୟ ପୁଲିସ। ତିରୁଓନ୍ନାମଲାଇ ଜିଲ୍ଲାର ଅରଣି ନିକଟସ୍ଥ ଏକ ଗାଁରେ ଛଅଜଣ ଲୋକ ତିନିଦିନ ଧରି ଘରୁ ପଦାକୁ ନ ବାହାରିବାରୁ ସେମାନେ କିଛି ପୂଜାପାଠ ଓ ଗୁଣିଗାରେଡ଼ି କରୁଥିବା ଗାଁ ଲୋକଙ୍କ ମନରେ ସନ୍ଦେହ ହୋଇଥିଲା। ସେମାନେ ନରବଳି ଦେବା ପାଇଁ ପ୍ରସ୍ତୁତି ଚଳାଉଥିବା ମଧ୍ୟ ସୂଚନା ମିଳିଥିଲା। ଏ ବିଷୟରେ ସେମାନେ ପୁଲିସକୁ ଅବଗତ କରାଇଥିଲେ। ପୁଲିସ ଘରର କବାଟ ଭାଙ୍ଗି ଭିତରେ ପଶିଥିଲା ଏବଂ ପୂଜାପାଠ ଓ ସମ୍ଭାବ୍ୟ ନରବଳି ଉଦ୍ୟମକୁ ବନ୍ଦ କରାଇଥିଲା। ପ୍ରାଥମିକ ତଦନ୍ତ ଅନୁସାରେ ପରିବାରର ଜଣେ ଲୋକ ଦେହରେ ଭୂତ ସବାର ହୋଇଥିବାରୁ ଭୂତ ଛଡ଼ାଇବା ପାଇଁ ସେମାନେ ଏହି ପୂଜାପାଠ କରୁଥିଲେ। ଏଥିରେ ସମ୍ପୃକ୍ତ ସମସ୍ତ ଛଅ ଜଣ‌ଙ୍କୁ ପୁଲିସ ହାଜତକୁ ନେଇ ପଚରାଉଚରା କରୁଛି।