ସୁଶାସନ ସୂଚକାଙ୍କ ତାଲିକା, ପ୍ରଥମ ସ୍ଥାନରେ ତାମିଲନାଡ଼ୁ ୧୪ ତମ ସ୍ଥାନରେ ଓଡ଼ିଶା

ଦ୍ବିତୀୟରେ ମହାରାଷ୍ଟ୍ର ତୃତୀୟରେ କର୍ଣ୍ଣାଟକ

ନୂଆଦିଲ୍ଲୀ: ସୁଶାସନ ସୂଚକାଙ୍କ ତାଲିକାରେ ସାମଗ୍ରିକ ଭାବେ ତାମିଲନାଡ଼ୁ ଦେଶରେ ପ୍ରଥମ ସ୍ଥାନରେ ରହିଛି। ଏହି ତାଲିକାରେ ମହାରାଷ୍ଟ୍ର ଦ୍ବିତୀୟ ସ୍ଥାନରେ ଥିବାବେଳେ କର୍ଣ୍ଣାଟକ ତୃତୀୟ ସ୍ଥାନରେ ରହିଛି। ତେବେ ଓଡ଼ିଶା ଏହି ତାଲିକାର ୧୪ତମ ସ୍ଥାନରେ ରହିଛି। କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ଏହି ତାଲିକାରେ ଚତୁର୍ଥ ସ୍ଥାନରେ ଛତିଶଗଡ଼, ପଞ୍ଚମ ସ୍ଥାନରେ ଆନ୍ଧ୍ର ପ୍ରଦେଶ, ଷଷ୍ଠ ସ୍ଥାନରେ ଗୁଜରାଟ, ସପ୍ତମ ସ୍ଥାନରେ ହରିୟାଣା, ଅଷ୍ଟମ ସ୍ଥାନରେ କେରଳ, ନବମ ସ୍ଥାନରେ ମଧ୍ୟ ପ୍ରଦେଶ, ଦଶମ ସ୍ଥାନରେ ପଶ୍ଚିମବଙ୍ଗ, ଏକାଦଶ ସ୍ଥାନରେ ତେଲେଙ୍ଗାନା, ଦ୍ବାଦଶ ସ୍ଥାନରେ ରାଜସ୍ଥାନ, ତ୍ରୟୋଦଶ ସ୍ଥାନରେ ପଞ୍ଜାବ ରହିଥିବା ଜଣାପଡ଼ିଛି।

ମନ୍ତ୍ରଣାଳୟ ପକ୍ଷରୁ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ୩ଟି ବର୍ଗରେ ବିଭକ୍ତ କରାଯାଇଛି। ସେଗୁଡ଼ିକ ହେଲା ବଡ଼ ରାଜ୍ୟ, ଉତ୍ତର-ପୂର୍ବ ତଥା ପାହାଡ଼ିଆ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ। ଉତ୍ତର-ପୂର୍ବ ଓ ପାହାଡ଼ିଆ ରାଜ୍ୟ ବର୍ଗରେ ହିମାଚଳ ପ୍ରଦେଶ ପ୍ରଥମ ସ୍ଥାନରେ ଥିବାବେଳେ ଦ୍ବିତୀୟରେ ଉତ୍ତରାଖଣ୍ଡ, ତୃତୀୟରେ ତ୍ରିପୁରା, ଚତୁର୍ଥରେ ମିଜୋରାମ,ପଞ୍ଚମରେ ସିକ୍କିମ, ଷଷ୍ଠରେ ଆସାମ, ସପ୍ତମରେ ଜମ୍ମୁ-କାଶ୍ମୀର (ବର୍ତ୍ତମାନ ବିଭାଜିତ), ଅଷ୍ଟମରେ ମଣିପୁର, ନବମରେ ମେଘାଳୟ, ଦଶମରେ ନାଗାଲ୍ୟାଣ୍ଡ ଆଦି ରାଜ୍ୟ ଅଛନ୍ତି । ଏହି ବର୍ଗର ଶେଷ ସ୍ଥାନରେ ଅରୁଣାଚଳପ୍ରଦେଶ ରହିଛି। ସେହିଭଳି କେନ୍ଦ୍ର ଶାସିତ ଅଞ୍ଚଳ ବର୍ଗରେ ପୁଡ଼ୁଚେରୀ ପ୍ରଥମ ସ୍ଥାନରେ ଥିବାବେଳେ ତା’ତଳକୁ ଚଣ୍ଡିଗଡ଼, ଦିଲ୍ଲୀ, ଡାମନ ଓ ଡିଉ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଆଦି ରହିଛନ୍ତି । ଏହି ବର୍ଗର ଶେଷ ସ୍ଥାନରେ ଲାକ୍ଷାଦ୍ୱୀପ ରହିଛି। ରାଜ୍ୟ ସରକାରଙ୍କ ପ୍ରଶାସନର ଗୁଣବତ୍ତା ଓ ଲୋକମାନଙ୍କ ଉପରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମର ପ୍ରଭାବ ଅନୁସାରେ ଏହି ଉତ୍ତମ ପ୍ରଶାସନ ସୂଚକାଙ୍କ ପ୍ରସ୍ତୁତ କରାଯାଇଛି ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। କୃଷି କ୍ଷେତ୍ର (ବଡ଼ ରାଜ୍ୟ)ରେ ମଧ୍ୟ ପ୍ରଦେଶ ପ୍ରଥମ ସ୍ଥାନରେ ରହିଥିବା ବେଳେ ରାଜସ୍ଥାନ ଦ୍ବିତୀୟ ଏବଂ ଛତିଶଗଡ଼ ତୃତୀୟ ସ୍ଥାନରେ ରହିଛି। ମାନବ ସମ୍ବଳ କ୍ଷେତ୍ରରେ ବଡ଼ ରାଜ୍ୟ ବର୍ଗରେ ଗୋଆ ପ୍ରଥମ ସ୍ଥାନ ହାସଲ କରିଥିବାବେଳେ ଉତ୍ତର-ପୂର୍ବାଞ୍ଚଳ ତଥା ପାହାଡ଼ିଆ ରାଜ୍ୟ ବର୍ଗରେ ହିମାଚଳ ପ୍ରଦେଶ ପ୍ରଥମ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ବର୍ଗରେ ପୁଡୁଚେରୀ ପ୍ରଥମ ସ୍ଥାନ ଅଧିକାର କରିଛି। ଜନସ୍ବାସ୍ଥ୍ୟ କ୍ଷେତ୍ରରେ ବଡ଼ ରାଜ୍ୟ ବର୍ଗରେ କେରଳ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ତାମିଲନାଡୁ ଦ୍ବିତୀୟ ଏବଂ ଗୋଆ ତୃତୀୟ ସ୍ଥାନ ଅର୍ଜନ କରିଛି। ଉତ୍ତର-ପୂର୍ବାଞ୍ଚଳ ତଥା ପାହାଡ଼ିଆ ରାଜ୍ୟ ବର୍ଗରେ ମଣିପୁର ପ୍ରଥମ ସ୍ଥାନ ହାସଲ କରିଥିବାବେଳେ କେନ୍ଦ୍ରଶାସିତ ଅଞ୍ଚଳ ବର୍ଗରେ ପୁଡୁଚେରୀ ପ୍ରଥମ ସ୍ଥାନ ହାସଲ କରିଛି।

ସେହିଭଳି ସାଧାରଣ ଭିତ୍ତିଭୂମି ଓ ଉପଯୋଗିତା କ୍ଷେତ୍ରରେ ବଡ଼ରାଜ୍ୟ ବିଭାଗରେ ତାମିଲନାଡୁ ପ୍ରଥମ ସ୍ଥାନ ହାସଲ କରିଥିବାବେଳେ ଗୁଜରାଟ ଦ୍ବିତୀୟ ଏବଂ ପଞ୍ଜାବ ତୃତୀୟ ସ୍ଥାନ ହାସଲ କରିଛି। ଉତ୍ତର-ପୂର୍ବାଞ୍ଚଳ ତଥା ପାହାଡ଼ିଆ ରାଜ୍ୟ ବର୍ଗରେ ହିମାଚଳ ପ୍ରଦେଶ ପ୍ରଥମ ସ୍ଥାନ ହାସଲ କରିଥିବାବେଳେ କେନ୍ଦ୍ର ଶାସିତ ବର୍ଗରେ ଚଣ୍ଡୀଗଡ଼ ପ୍ରଥମ ସ୍ଥାନ ହାସଲ କରିଛି। ଅର୍ଥନୈତିକ ପ୍ରଶାସନ କ୍ଷେତ୍ରରେ ବଡ଼ ରାଜ୍ୟ ବର୍ଗରେ କର୍ଣ୍ଣାଟକ ପ୍ରଥମ ସ୍ଥାନରେ ଥିବାବେଳେ ଦ୍ବିତୀୟରେ ମହାରାଷ୍ଟ୍ର ଏବଂ ତୃତୀୟରେ ତେଲେଙ୍ଗାନା ରହିଛି।

ସମ୍ବନ୍ଧିତ ଖବର