ତାମିଲନାଡ଼ୁ: ବସ୍‌-ଟ୍ରକ୍‌ ଧକ୍କା, ୨୦ ମୃତ

କୋଏମ୍ବାଟୁର: ତାମିଲନାଡ଼ୁର କୋଏମ୍ବାଟୁର ଜିଲ୍ଲାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨୦ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୨୫ ଜଣ ଆହତ ହୋଇଛନ୍ତି। କୋଏମ୍ବାଟୁର ଜିଲ୍ଲା ଅନ୍ତର୍ଗତ ଥିରୁମୁରୁଗାଓଁପୁଣ୍ଡି ନିକଟରେ ଆଜି ଭୋର ୩.୨୫ ସମୟରେ ଏକ ଟ୍ରକ୍‌ ନିୟନ୍ତ୍ରଣ ହରାଇ କେଏସ୍‌ଆରଟିସି (କେରଳ ରୋଡ୍‌ ଟ୍ରାନ୍ସପୋର୍ଟ କର୍ପୋରେସନ୍‌) ବସ୍‌ ଉପରକୁ ମାଡ଼ି ଯିବା ଫଳରେ ୨୦ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ବସ୍‌ ଡ୍ରାଇଭର ଏବଂ ୫ ଜଣ ମହିଳା ମଧ୍ୟ ଅଛନ୍ତି। ପୁଲିସ ସୂଚନାନୁଯାୟୀ ବସ୍‌ଟି ବେଙ୍ଗାଲୁରୁରୁ ଏର୍ନାକୁଲମ ଯାଉଥିଲା। ବସ୍‌ରେ ସମୁଦାୟ ୪୫ ଜଣ ଯାତ୍ରୀ ଥିଲେ। ଅବିନାଶୀ-ସଲେମ୍‌ ବାଇ ପାସ୍‌ ନିକଟରେ ଏହି ଦୁର୍ଘଟଣା ହୋଇଥିଲା। ଅନ୍ୟପକ୍ଷେ ଟ୍ରକ୍‌ଟି କୋଚିରୁ ବେଙ୍ଗାଲୁରୁ ଯାଉଥିଲା। ଟ୍ରକ୍‌ ଡ୍ରାଇଭର ଶୋଇ ପଡ଼ିବାରୁ ଗାଡ଼ି ନିୟନ୍ତ୍ରଣ ହରାଇ ବସ୍‌ ଉପରକୁ ମାଡ଼ି ଯାଇଥିଲା ବୋଲି ଯାଞ୍ଚରୁ ଜଣାପଡ଼ିଛି। ତିରୁପୁର ପୁଲିସ ଟ୍ରକ୍‌ ଡ୍ରାଇଭର ହେମରାଜକୁ ଅଟକ ରଖିଥିବା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଏବଂ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।

ସମ୍ବନ୍ଧିତ ଖବର