ଦଳିତ ଶବ ଯିବାକୁ ଦେଲେନି, ପୋଲରୁ ଦଉଡ଼ିରେ ଝୁଲାଇ ଶ୍ମଶାନରେ ପହଞ୍ଚାଇ‌େଲ ଶବ

ଚେନ୍ନାଇ: ତାମିଲନାଡ଼ୁ‌ର ଭେଲ୍ଲୋର ଜିଲ୍ଲାରେ ଅତି ଅମାନବୀୟ ଘଟଣା ଘଟିଛି। ଦଳିତ ହୋଇଥିବାରୁ ଜଣେ ବ୍ୟକ୍ତିଙ୍କ ମର ଶରୀରକୁ ବି ଅସମ୍ମାନ କରାଯାଇଛି। ଭେଲ୍ଲୋର ଜିଲ୍ଲା ଅଧୀନସ୍ଥ ବନିୟାମ୍‌ବଦି ତଲୁକ୍‌ରେ ସ୍ଥାନୀୟ ଉଚ୍ଚ ଜାତିର ଲୋକେ ସେମାନଙ୍କ ଜମି ଦେଇ ଜଣେ ଦଳିତ ବ୍ୟକ୍ତିଙ୍କ ଶେଷ ଯାତ୍ରା ପାଇଁ ଅନୁମତି ନଦେବାରୁ ଏବଂ ରାସ୍ତା ଅବରୋଧ କରିବାରୁ ଶବକୁ ଏକ ନଦୀ ଉପରେ ଥିବା ୨୦ ଫୁଟ୍‌ ଉଚ୍ଚ ବ୍ରିଜ୍‌ରେ ଦଉଡ଼ି ଦ୍ବାରା ଝୁଲାଇ ଶ୍ମଶାନ ପର୍ଯ୍ୟନ୍ତ ନିଆଯାଇଥିଲା। ସମ୍ପୃକ୍ତ ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ବିଭିନ୍ନ ମହଲରେ ଏହାକୁ କଡ଼ା ସମାଲୋଚନା କରାଯାଇଛି। ମାଡ୍ରାସ ହାଇକୋର୍ଟ ମଧ୍ୟ ସମ୍ପୃକ୍ତ ଘଟଣାରେ ହସ୍ତକ୍ଷେପ କରିଛନ୍ତି ଏବଂ ଏହି ମାମଲାରେ ଜିଲ୍ଲାପାଳଙ୍କଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି। ତୁରନ୍ତ ଏହି ମାମଲାରେ ଜବାବ ରଖିବାକୁ କୋର୍ଟ କହିଛନ୍ତି।

ଗତ ଶନିବାର ଦିନ ଏନ୍‌ କୁପ୍ପମ୍‌ ନାମକ ଜଣେ ଦଳିତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ମର ଶରୀରକୁ ଗ୍ରାମରେ ଥିବା ଏକ ଶ୍ମଶାନକୁ ନିଆଯାଇଥାନ୍ତା। କିନ୍ତୁ ଗ୍ରାମର କିଛି ଉଚ୍ଚ ଜାତିର ଲୋକଙ୍କ ଜମି ଦେଇ ଏନ୍‌ କୁପ୍ପମ୍‌ଙ୍କ ମର ଶରୀରକୁ ସଂସ୍କାର ପାଇଁ ନିଆଯାଉଥିବା ବେଳେ ସେମାନଙ୍କ ରାସ୍ତା ଅବରୋଧ କରାଯାଇଥିଲା। ଦଳିତ ହୋଇଥିବାରୁ ସେମାନଙ୍କୁ ଉଚ୍ଚ ଜାତିର ଲୋକମାନେ ଜମି ଛାଡ଼ିନଥି‌ଲେ। ଫଳରେ ବାଧ୍ୟହୋଇ ସେମାନେ କୁପ୍ପମ୍‌ଙ୍କ ମର ଶରୀରକୁ ଦଉଡ଼ିରେ ଝୁଲାଇ ପୋଲ ଦେଇ ଶ୍ମଶାନରେ ପହଞ୍ଚାଇଥିଲେ।

ସମ୍ବନ୍ଧିତ ଖବର