ସହାୟତା ରାଶି ନମିଳିବା ହେତୁ ଅଦାଲତ ଟ୍ରେନ୍‌ ଇଞ୍ଜିନ୍‌କୁ ଜବତ କରିବା ପାଇଁ ଦେଲେ ଆଦେଶ

ତାମିଲନାଡୁ: ରେଲେଓ୍ଵର ଏକ ପରିଯୋଜନା ପାଇଁ ୨୦ବର୍ଷ ପୂର୍ବରୁ ଏକ ଜମି ଅଧିଗ୍ରହଣ ହୋଇଥିଲା। ତେବେ ଏହି ଅଧିଗ୍ରହଣ ପାଇଁ ଏଯାଏଁ ଲୋକମାନଙ୍କୁ ସହାୟତା ରାଶି ଦେବାରେ ବିଫଳ ହେବା ହେତୁ ସ୍ଥାନୀୟ ଅଦାଲତ ଟ୍ରେନ୍‌ର ଇଞ୍ଜିନ୍‌ ଓ କଲେକ୍‌ଟ୍ରେଟ୍‌ର ଦୁଇଟି ଯାନ ଜବତ କରିବା ପାଇଁ ଆଦେଶ ଦେଇଛନ୍ତି।

କାଞ୍ଚିପୁରମର ଏହି ଅଦାଲତର ଅଧିକାରୀ ରେଲେଓ୍ଵ-ଷ୍ଟେସନ୍‌କୁ ଯାଇ ତିରୁପତି-ପଣ୍ଡିଚେରୀ ଫାଷ୍ଟ ପାସେଞ୍ଜର ଟ୍ରେନ୍‌ ଇଞ୍ଜିନ୍‌ ଜବତ କରିବା ପାଇଁ ଚେଷ୍ଟା କରିଥିଲେ। ସୂଚନାଯୋଗ୍ୟ, ପାଖାପାଖି ୨୦ବର୍ଷ ପୂର୍ବେ ରେଲେଓ୍ଵର ଏକ ପରିଯୋଜନା ପାଇଁ ଲୋକଙ୍କ ଜମି ଅଧିଗ୍ରହଣ କରାଯାଇଥିଲା, କିନ୍ତୁ ଏଯାବତ୍‌ ସେହି ଲୋକମାନଙ୍କୁ ସହାୟତା ରାଶି ଦିଆଯାଇନାହିଁ। ନିମ୍ନ ଅଦାଲତର ଆଦେଶକୁ ପୂରା କରିବା ପାଇଁ ଅଧିକାରୀ ଆବେଦନକାରୀଙ୍କ ସହିତ ମିଶି ଶୁକ୍ରବାର ରେଲେଓ୍ଵ ଜଙ୍କସନ୍‌ରେ ପହଞ୍ଚିଥିଲେ।

ଉଲ୍ଲେଖଯୋଗ୍ୟ, ରେଲେଓ୍ଵ ପରିଯୋଜନା ପାଇଁ ଜମିର ଅଧିଗ୍ରହଣର ଏହି ମାମଲା ୧୯୯୯ ମସିହାର। ଏଠାକାର ସ୍ଥାନୀୟ ବାସିନ୍ଦା ମୁମତାଜ ବେଗମ ଓ ଅନ୍ୟ ମାନଙ୍କ ଜମି ଅଧିଗ୍ରହଣ କରାଯାଇଥିଲା। ବେଗମ୍‌ ଓ ଅନ୍ୟମାନେ ଏହି ସମ୍ବନ୍ଧରେ ଅଧିକ ସହାୟତା ରାଶି ଦାବି କରି ଅଦାଲତରେ ଆବେଦନ କରିଥିଲେ। ଯେତେବେଳେ ରାଜ୍ୟ ପ୍ରଶାସନ ଏହି ଅଧିକ ସହାୟତା ରାଶି ଲୋକମାନଙ୍କୁ ଦେଇ ନଥିଲା, ସେତେବେଳେ ଆବେଦନକାରୀ କାଞ୍ଚିପୁରମର ଉପ-ଅଦାଲତରେ ଆବେଦନ କରିଥିଲେ। ଏହାପରେ ଉପ-ଅଦାଲତ ରେଲେଓ୍ଵ ଓ ରାଜ୍ୟ ସରକାରଙ୍କ ସ୍ଥାବର ସମ୍ପତ୍ତିକୁ ଜବତ କରିବା ପାଇଁ ଆଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର