ବିବାଦରେ ତାମିଲନାଡ଼ୁ ରାଜ୍ୟପାଳ

ସାମ୍ବାଦିକାଙ୍କ ଗାଲ ଥାପୁଡ଼ାଇ କ୍ଷମା ମାଗିଲେ

ଚେନ୍ନାଇ: ତାମିଲନାଡ଼ୁ ରାଜଭବନ ପରିସରରେ ଗତକାଲି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜଣେ ମହିଳା ସାମ୍ବାଦିକଙ୍କ ଗାଲ ଥାପୁଡ଼ାଇ ତାମିଲନାଡ଼ୁ ରାଜ୍ୟପାଳ ବନଓ୍ଵାରିଲାଲ୍‌ ପୁରୋହିତ ବିବାଦରେ ରହିଛନ୍ତି। ଆଜି ଏହି ଘଟଣାକୁ ଚେନ୍ନାଇ ପ୍ରେସ୍‌ କ୍ଲବ୍‌ ନିନ୍ଦା କରିବା ସହ ରାଜ୍ୟପାଳ ତୁରନ୍ତ କ୍ଷମା ମାଗିବାକୁ ଦାବି କରିଥିବା ବେଳେ ସଂପୃକ୍ତ ସାମ୍ବାଦିକ ମଧ୍ୟ ରାଜ୍ୟପାଳ କ୍ଷମା ମାଗିବାକୁ ଦାବି କରିଥିଲେ। ବିଭିନ୍ନ ମହଲରୁ ତୀବ୍ର ସମାଲୋଚନାର ଶିକାର ହେବା ପରେ ୭୮ ବର୍ଷୀୟ ରାଜ୍ୟପାଳ ପୁରୋହିତ ତାଙ୍କ ଆଚରଣ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି। ମହିଳା ସାମ୍ବାଦିକ ଲକ୍ଷ୍ମୀ ସୁବ୍ରମଣ୍ୟନ୍‌ଙ୍କୁ ପତ୍ର ଲେଖି ରାଜ୍ୟପାଳ କହିଛନ୍ତି, ‘ନିଜ ନାତୁଣୀ ଭଳି ଭାବି ଆପଣଙ୍କ ଗାଲ ମୁଁ ଥାପୁଡ଼ଇଥିଲି। ସାମ୍ବାଦିକତା କ୍ଷେତ୍ରରେ ଆପଣଙ୍କର ଉତ୍ତମ ପ୍ରଦର୍ଶନରେ ଖୁସି ହୋଇ ମୁଁ ଏଭଳି କରିଥିଲି, କାରଣ ମୁଁ ମଧ୍ୟ ବିଗତ ୪୦ ବର୍ଷ ଧରି ସାମ୍ବାଦିକତା କରିଛି। କେବଳ ଶ୍ରଦ୍ଧା ଯୋଗୁଁ ମୁଁ ସେଭଳି କରିଥିଲି ଏବଂ ତାହା ଆପଣଙ୍କୁ ଯଦି କୌଣସିମତେ ଏହା ଆଘାତ ଦେଇଛି ସେଥିପାଇଁ ମୁଁ କ୍ଷମା ଚାହୁଛି।’ ତେବେ ରାଜ୍ୟପାଳଙ୍କ କ୍ଷମା ପ୍ରାର୍ଥନାକୁ ସାମ୍ବାଦିକା ଗ୍ରହଣ କରିଥିଲେ ମଧ୍ୟ ସେ ଯେଉଁ କାରଣ ଦର୍ଶାଇଛନ୍ତି ସେଥିରେ ଆଦୌ ସହମତ ନୁହନ୍ତି ବୋଲି କହିଛନ୍ତି।

ରାଜ୍ୟପାଳଙ୍କ ଆଚରଣ ଆଦୌ ଗ୍ରହଣଯୋଗ୍ୟ ନୁହେଁ ଏବଂ ଏହ କୌଣସି ଭଲ ପରମ୍ପରା ସୃଷ୍ଟି କରୁନାହିଁ ବୋଲି ଚେନ୍ନାଇ ପ୍ରେସ୍‌୍‌ କ୍ଲବ୍‌ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ଆଜି ଡିଏମ୍‌୍‌କେ ଏହି ଘଟଣାରେ ରାଜ୍ୟପାଳଙ୍କୁ କଡ଼ା ସମାଲୋଚନା କରିବା ସହ କେନ୍ଦ୍ର ସରକାର ତୁରନ୍ତ ତାଙ୍କୁ ପ୍ରତ୍ୟାହାର କରିନେବାକୁ ଦାବି କରିଛି। ଏହି ମାମଲା ନେଇ ରାଜ୍ୟପାଳଙ୍କ ବିରୋଧରେ ଡିଏମ୍‌୍‌କେ ବିକ୍ଷୋଭ ପ୍ରଦର୍ଶନ କରିଛି। କାମରାଜ ମଦୁରାଇ ବିଶ୍ୱବିଦ୍ୟାଳୟରେ କିଛି ଉପରିସ୍ଥ କର୍ମଚାରୀ ଜଣେ ମହିଳା ପ୍ରଫେସରଙ୍କ ମାଧ୍ୟମରେ କଲେଜ ଛାତ୍ରୀଙ୍କୁ ପ୍ରଲୋଭନ ଦେଖାଇ ଯୌନ ଶୋଷଣ କରୁଥିବା ମାମଲା ପ୍ରଘଟ ହେବାପରେ ଏଥିରେ ରାଜ୍ୟପାଳଙ୍କ ନାମ ମଧ୍ୟ ଆସିଥିଲା। ଗିରଫ ହୋଇଥିବା ମହିଳା ପ୍ରଫେସର ରାଜ୍ୟପାଳଙ୍କୁ ଏହି ମାମଲାରେ ଯୋଡ଼ିବା ପରେ ରାଜଭବନ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏଥିରେ ରାଜ୍ୟପାଳ କହିଥିଲେ ଯେ ସେ ଉକ୍ତ ମହିଳାଙ୍କୁ ଆଦୌ ଜାଣନ୍ତି ନାହିଁ ଏବଂ ସେ ଅଯଥା ବିବାଦ ସୃଷ୍ଟି କରିବାକୁ ତାଙ୍କ ନାମକୁ ଟାଣିଛନ୍ତି। ଛାତ୍ରୀମାନଙ୍କୁ ଅନୈତିକ କାର୍ଯ୍ୟରେ ଲଗାଇଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି। ଉକ୍ତ ମହିଳା ପ୍ରଫେସର ନିଜକୁ ରାଜ୍ୟପାଳ ପୁରୋହିତଙ୍କ ଅତି ନିକଟତର ବୋଲି ପରିଚୟ ଦେଇ କଲେଜ ଛାତ୍ରୀଙ୍କୁ ଭଲ ନମ୍ବର ପାଇବାକୁ ହେଲେ ବିଶ୍ୱବିଦ୍ୟାଳୟର ଉଚ୍ଚ ଅଧିକାରୀଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ହେବ ବୋଲି କହୁଥିଲେ। ସାମ୍ବାଦିକ ସମ୍ମିଳନୀ ସାରି ରାଜ୍ୟପାଳ ବାହାରୁଥିବା ସମୟରେ ମହିଳା ସାମ୍ବାଦିକ ତାଙ୍କୁ ଏ ବାବଦ ପ୍ରଶ୍ନ ପଚାରିବା ବେଳେ ରାଜ୍ୟପାଳ ତାଙ୍କ ଗାଲ ଥାପୁଡ଼ାଇ ପ୍ରଶଂସା କରିଥିଲେ । ତେବେ ଏହି ଘଟଣା ଏବେ ବଡ଼ ଧରଣର ବିବାଦ ସୃଷ୍ଟି କରିଥିବାରୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ମଧ୍ୟ ଏ ବାବଦରେ ଖୋଳତାଡ଼ ଆରମ୍ଭ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର